ରୋଜଗାରର ଉତ୍ସ ପାଲଟିଛି ‘ଛତୁ’ ଚାଷ

 ତାଳଚେର : ପୂର୍ବରୁ ତାଳଚେର ଉପଖଣ୍ଡଟି ବଣଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ତାଳଚେର ବ୍ଲକର ବିଭିନ୍ନ ଛୋଟବଡ ଗାଁ ଗଣ୍ଡାରେ ମହିଳା ଓ ପୁରୁଷ ବିଭିନ୍ନ କିସମର ଚାଷବାସ କାର୍ଯ୍ୟ କରି ବଞ୍ଚôବା ସହିତ ବଣପାହାଡରୁ ଜଙ୍ଗଲଜାତ ଦ୍ରବ୍ୟ ଯଥା ହରିଡା, ବାହାଡା, ମହୁଲ, ଝୁଣା ଓ ବିଭିନ୍ନ ପ୍ରକାର ଫୁଲ, ଫଳ ଆଦି ସଂଗ୍ରହ କରି ବଜାରରେ ବିକ୍ରୟ କରି ଭଲ ଦି’ପଇସା ରୋଜଗାର କରିଥାନ୍ତି । 
ସେହିପରି ବର୍ଷାଋତୁର ପ୍ରାରମ୍ଭରେ ହୋଇଯାଏ ବିଭିନ୍ନ ପ୍ରକାର ‘ଛତୁ’ ସଂଗ୍ରହ । ଏଠିକାର ଗାଁ ଲୋକମାନେ ଅଂଚଳରେ ଥିବା ଛୋଟବଡ ବଣପାହାଡ, ଜଙ୍ଗଲ, ଜମିହୁଡା, ଉଇହୁଙ୍ଗା ଓ ଅନ୍ୟାନ୍ୟ ସ୍ଥାନରୁ ବିଭିନ୍ନ ପ୍ରକାର ଛତୁ ଯଥା- ରୁଟକ, ବିହିଡଣୀ, ନାଡ, ଭାନୁ, କୁଟା, ବାଲିଛତୁ ସଂଗ୍ରହ କରି ନିଜେ ଖାଇବା ସହ ବଜାରରେ ବକ୍ରୟ ମଧ୍ୟ କରିଥାନ୍ତି ଓ ଭଲ ଦି’ପଇସା ରୋଜଗାର ମଧ୍ୟ କରନ୍ତି । ଏହି ଛତୁ ଗୁଡିକ ଅଧିକ ସ୍ୱାଦିଷ୍ଟ ହୋଇଥିବାରୁ ଖାଇବା ପାଇଁ ଲୋକମାନେ ତାକୁ ଅଧିକ ମୂଲ୍ୟରେ ବଡସରାଗରେ କିଣିଥାନ୍ତି । ‘ଛତୁ’ ସଂଗ୍ରହ କରୁଥିବା ମହିଳା ଓ ପୁରୁଷମାନଙ୍କ କହିବା ମୁତାବକ ବର୍ଷାଋତୁରେ ଏହି ଛତୁର ଦର ଅଧିକ ହୋଇଯାଏ । ଆଷାଢ଼ ମାସର ପହିଲି ବର୍ଷାରେ ଏହି ଛତୁ କିଲୋପ୍ରତି ଦେଢ଼ଶହରୁ ଦୁଇଶହ ଟଙ୍କା ବିକ୍ରୟ ହେଉଥିବାବେଳେ ଶ୍ରାବଣମାସରେ ଏହାର ମୂଲ୍ୟ ୪ଶହ ପାର ହୋଇଯାଏ । ବିଶେଷ କରି ସହରାଞ୍ଚଳରେ ବସବାସ କରୁଥିବା ଲୋକେ ଗାଁ ବ୍ୟବସାୟୀଙ୍କୁ ଛତୁ ପାଇଁ ନିର୍ଭର କରିଥାନ୍ତି । ପ୍ରାୟତଃ ଗାଁ ବ୍ୟବସାୟୀମାନେ ଏହି ଛତୁକୁ ପତ୍ର ଓ ଚଉପତି ଦ୍ୱାରା ଭାଗ କରି ରାଜପଥ ଗୁଡିକରେ ବସି ବିକ୍ରୟ କରୁଥିବା ଦେଖିବାକୁ ମିଳଛି ।

ଭାଗ କରାଯାଇଥିବା ଛତୁର ମୂଲ୍ୟ ୩୦ରୁ ୫୦ଟଙ୍କା ରହିଥିବାବେଳେ କିଲୋପ୍ରତି ଶହେରୁ ୨ଶହ ଟଙ୍କା ବେପାରୀମାନେ ବିକ୍ରୟ କରିଥାନ୍ତି । ରୁଟକ, ବିହିଡଣୀ, ନାଡ, ଭାନୁ, କୁଟା, ବାଲିଛତୁ ଆଦିର ଚାହିଦା ଅଧିକ ରହିଛି ଏହାର ଦାମ ବାଜରରେ ଅନ୍ୟ ଛତୁ ତୁନଳାରେ ଅଧିକ । ଆଧୁନିକ ପ୍ରଣାଳୀରେ ବଟମ, ପୁଆଳ ଓ ପାଳଛତୁ ବର୍ଷତମାମ ଚାଷ କରାଯାଇଥାଏ, ତେଣୁ ସେଗୁଡିକର ଚାହିଦାର୍ କମ୍ ହୋଇଥାଏ । ବିଶେଷ କଥା ଗାଁର ବିଭିନ୍ନ ପ୍ରକାର ଚାଷବାସ, ପନିପରିବା, ରବିଫସଲ ଓ ଋତୁ ଗୁଡିକରେ ମିଳୁଥିବା ଜଙ୍ଗଲଜାତ ଦ୍ରବ୍ୟ ଏସବୁର କାରବାରର ଫାଇଦା ନେଇ ପାରୁନାହାନ୍ତି ଚାଷୀ ଅବା ଗାଁ ବ୍ୟବସାୟୀ । ଦଲାଲମାନେ ପ୍ରତି ଗାଁରେ ସବୁ ସମୟରେ ପଂହଚି ଯାଉଥିବାରୁ ଚାଷୀ ଓ ଗାଁ ବ୍ୟବସାୟୀଙ୍କ ନିକଟରୁ ଦ୍ରବ୍ୟର ଅଳ୍ପକିଛି ମୂଲ୍ୟଦେଇ ସେମାନଙ୍କ ଠାରୁ କ୍ରୟ କରିନେଇଥାନ୍ତି ଓ ବଜାରେ ସେଗୁଡିକ ଅଧିକ ମୂଲ୍ୟରେ ବିକ୍ରୟ କରିନ୍ତି । ଯାହାଫଳରେ ଗାଁ ବ୍ୟବସାୟୀ ସହର ମୁହାଁ ହୋଇ ନ ପାରି ଗାଁ ମୁଣ୍ଡରେ ରହିଯାଆନ୍ତି, ଏହାର ଫାଇଦା ଦଲାଲମାନେ ଚାଲାକ ଚତୁରତା ଦେଖାଇ ବେଶ ଭଲ ଦି’ପଇସା ରୋଜଗାର କରନ୍ତି  । ତେଣୁ ଚାଷୀ ଓ ଗାଁ ବ୍ୟବସାୟୀଙ୍କୁ ଏକ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇ ଦେବାକୁ ସରକାର ଉଚିତ ପଦକ୍ଷେପ ଗହଣ କଲେ ସେମାନେ ଉପକୃତ ହୋଇ ପାରନ୍ତେ ବୋଲି ବିଭିନ୍ନ ମହଲରେ ଦାବି ହେଉଛି ।