ଆର୍ପିଡିଏସି ବୈଠକ ପରେ ବିସ୍ଥାପିତଙ୍କ ମନରେ ଛନକା , ସନ୍ଦିହାନ ହୋଇ ପଡିଛନ୍ତି ପରିବାର
ାା ପ୍ରଭାନୁ୍ୟଜ ।ା ଯଖପୁରା : କଳିଙ୍ଗନଗର ଗୋଟେ ପରିଚିତ ନାଁ । କେହି ଏହାକୁ ଶିଳ୍ପର ରାଜଧାନୀ କହନ୍ତି ତ କିଏ ଏହାକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନର ନଗରୀ କୁହନ୍ତି । ଶିଳ୍ପ ଓ ଶିଳ୍ପ ପାଇଁ ବଳିଦାନ ସକାଶେ ପରିଚିତ କଳିଙ୍ଗନଗର । କଳିଙ୍ଗନଗରରେ ଅନେକ କଳକାରଖା ହେଲା । ଲୋକମାନଙ୍କ ମଧ୍ୟରେ ଆଶା ସଞ୍ଚାର ହେଲା । ଆମର ବିକାଶ ହେବ ଆଉ ତା ସହିତ ଆମ ରାଜ୍ୟ ବିକଶିତ ହେବ । କଳିଙ୍ଗନଗରରେ ଶିଳ୍ପ ପାଇଁ ଅନେକ ଲୋକ ନିଜର ଭିଟା ମାଟି ହରାଇଲେ । ଅନେକ ଚାଷୀ ନିଜର ଜମି ଦେଲେ । ତା ବଦଳରେ ଶିଳ୍ପ କାରଖାନାକୁ ନେଇ ସ୍ୱପ୍ନ ଦେଖିଲେ । ଜମି ଗଲା ପରେ ଜମିହରା ଉଦେ୍ଦଶ୍ୟରେ ଶିଳ୍ପରେ ନିଯୁକ୍ତି ପାଇଁ ଆଶା ବାନ୍ଧିଲେ । ମାତ୍ର ଶିଳ୍ପ କାରଖାନାର ଶିଳ୍ପପତି ମାନେ ଜମିହରାଙ୍କ ଉପରେ ଦାଉ ସାଧିଲେ । ବିସ୍ଥାପିତ ପରିବାର ଓ ଜମିହରାଙ୍କ ସହିତ ପ୍ରତାରଣା କରିବାର ଦେଖିବାକୁ ମିଳିଲା । ଯେଉଁ ଜମି ଉପରେ ଶିଳ୍ପ କାରଖାନା ଗଢି ଉଠିଲା ସେହି ଜମି ମାଲିକ କାରଖାନାରେ ଖଣ୍ଡେ ଚାକିରି ପାଇଁ ବାର ଦୁଆର ତେର ପିଣ୍ଡାକୁ ଦୋଉଡ଼ିଲେ । କାରଖାନା ପାଇଁ ଜମି ହରାଇଥିବା ଲୋକ ଓ ବିସ୍ଥାପିତ ପରିବାର ନିଜର ହକ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଲେ । ଜମି ହରାଇବାର କୋଡ଼ିଏ ବର୍ଷ ବିତି ଯାଇଥିଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ତାଙ୍କର ଅଧିକାର ମିଲିପାରିଲା ନାହିଁ । ଯାହାକୁ ନେଇ ଅନେକ ରାସ୍ତା ରୋକ, ଶିଳ୍ପ କାରଖାନା ଆଗରେ ମାସ ମାସ ଧରି ଆନେ୍ଦାଳନ କରିବାକୁ ପଡୁଛି ।୨୦୦୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ ବିସ୍ଥାପିତ ପରିବାର ନିଜର ହକ ପାଇଁ ଆନେ୍ଦାଳନ ଜାରି ରଖିଛନ୍ତି । ତାହା ମଧ୍ୟ ଶେଷ ହୋଇନାହିଁ । ଚଳିତ ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ୩ ମାସ ଧରି ନୀଳାଚଳ କାରଖାନା ଆଗରେ ବିସ୍ଥାପିତ ଆଦିବାସୀ ମାନେ ଆନେ୍ଦାଳନ ଜାରି ରଖିଥିଲେ । ମାତ୍ର ନିର୍ବାଚନ ଥିବାରୁ ତାଙ୍କୁ ସ୍ଥାନୀୟ ପ୍ରଶାସନ ଅନେକ ପ୍ରତିଶ୍ରୁତି ଦେଇ ଆନେ୍ଦାଳନରୁ ବିରତି ଦେଲେ । ତା ସହିତ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ମାନେ ଆଦିବାସୀ ଆନେ୍ଦାଳନରେ ନିଜକୁ ସାମିଲ କରି ବଡ଼ ବଡ଼ ପ୍ରତିଶ୍ରୁତି ଦେଲେ । ନିର୍ବାଚନ ଶେଷ ହେଲା । ରାଜ୍ୟରେ ସରକାର ପରିବର୍ତ୍ତନ ହେଲା । ନବୀନ ସରକାର ପତନ ପରେ ମୋହନ ସରକାର ଆସିଲା । କିନ୍ତୁ ନିର୍ବାଚନ ପୂର୍ବରୁ ଯେଉଁ ଆଦିବାସୀ ଭାଇଭଉଣୀ ନିଜର ହକ ପାଇଁ ଲଢେଇ କରିଥିଲେ ତାଙ୍କୁ କିଛି ମିଳିଲା ନାହିଁ । ମିଳିଲା ତ କେବଳ ପ୍ରତିଶ୍ରୁତି । ପୁଣି କଳିଙ୍ଗନଗର ବିସ୍ଥାପିତ ପରିବାର ଓ ପାରିପାର୍ଶ୍ୱିକ ଉନ୍ନତି ପାଇଁ ଦୀର୍ଘ ଆଠ ବର୍ଷ ପରେ ଆରପିଡିଏସି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁ ବୈଠକକୁ ନେଇ ବିସ୍ଥାପିତ ପରିବାର ବାରମ୍ବାର ଦାବି କରୁଥିଲେ । ଶେଷରେ ଜିଲ୍ଲା ପ୍ରଶାସନକୁ ନେଇ ଆରପିଡିଏସି ବୈଠକ ଅନୁଷ୍ଠିତ ହୋଇଥିଲା । ବିସ୍ଥାପିତ ପରିବାର ଆଶା ରଖିଥିଲେ ଉକ୍ତ ବୈଠକରେ ତାଙ୍କର ଦାବିକୁ ଗୁରୁତ୍ୱ ଦିଆଯାଇ ଫଳ ସ୍ୱରୂପ ପଦକ୍ଷେପ ନିଆଯିବ । ମାତ୍ର ବୈଠକରେ ସେମିତି କିଛି ପଦକ୍ଷେପ ନିଆଗଲା ନାହିଁ । ବରଂ ୨୦୧୭ ମସିହା ଆରପିଡିଏସି ବୈଠକରେ ଆଲୋଚନା ହୋଇଥିବା କଥାକୁ ଜିଲ୍ଲା ପ୍ରଶାସନ ଆଦୌ ଗ୍ରହଣ କରିନଥିଲେ । ବାରମ୍ବାର ବିସ୍ଥାପିତ ପରିବାର ଉକ୍ତ ବୈଠକ କଥା ଉଠାଇଥିଲେ ମଧ୍ୟ ଆରଡିସି ଏହାକୁ କର୍ଣ୍ଣ ପାତ କରିନଥିଲେ । ଫଳରେ ବିସ୍ଥାପିତ ପରିବାର ନିରାଶ ହୋଇଥିଲେ । ୨୦୦୫ ଓ ୨୦୦୬ ମସିହା ଆର ଆର ନିୟମକୁ ବଳବତର ରଖିଥିଲେ । ଯେଉଁ ନିୟମକୁ ବିସ୍ଥାପିତ ପରିବାର ବିରୋଧ କରି ଆସୁଥିଲେ । ୨୦୦୫ ମସିହା ବିସ୍ଥାପିତ ନିୟମକୁ ପରିବର୍ତ୍ତନ କରି ନୂତନ ଭାବେ ଆରଆର ନିୟମ କରିବା ପାଇଁ ବିସ୍ଥାପିତ ପରିବାର ଦାବି କରିଥିଲେ । ମାତ୍ର ବୈଠକରେ ସେମିତି କିଛି ନିଷ୍ପତ୍ତି ନିଆଗଲା ନାହିଁ । ଏମିତିକି ବୈଠକରେ ବିସ୍ଥାପିତ ପରିବାର ପାଇଁ ନୂତନ ଏଜେଣ୍ଡା ଆଲୋଚନା ପାଇଁ ପ୍ରସ୍ତୁତି ରଖାଯାଇ ନଥିଲା । ଏହି ନିଷ୍ପତ୍ତି କୁ ବିସ୍ଥାପିତ ପରିବାର ଘୋର ବିରୋଧ କରିଥିଲେ । ବୈଠକ ବିଫଳ ହେଲା ବୋଲି ବିସ୍ଥାପିତ ପରିବାର କହିଥିଲେ ମାତ୍ର ଜିଲ୍ଲା ପ୍ରଶାସନ କହିଥିଲେ ଯେହେତୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏହାକୁ ତ୍ୱରାନ୍ୱିତ କରିବାକୁ ହେଲେ ସରକାରଙ୍କ ସହିତ ଆଲୋଚନା କରାଗଲା ପରେ ଯାହା ନିଷ୍ପତ୍ତି ନିଆଯିବ ।ଏହି ନିଷ୍ପତ୍ତି କୁ ମଧ୍ୟ ସ୍ଥାନୀୟ ଲୋକ ପ୍ରତିନିଧି ସୁକିନ୍ଦା ବିଧାୟକ ଏହାକୁ ନେଇ ଚୁପ୍ ବସିଲେ । ବିସ୍ଥାପିତ ପରିବାର ପାଇଁ କିଛି ବି ନିଷ୍ପତ୍ତି ନେଇ ପାରିଲେ ନାହିଁ । ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ କଳିଙ୍ଗନଗର ବିସ୍ଥାପିତ ପରିବାର ସନ୍ଦିହାନୀ ହୋଇପଡିଛନ୍ତି । ସେମାନଙ୍କର ଅବସ୍ଥା କଣ ହେବ । ନୀଳାଚଳ କାରଖାନା ପାଇଁ ୧୯୯୭ ମସିହାରୁ ବିସ୍ଥାପିତ ପରିବାର ନିଜର ହକ ପାଇନାହାନ୍ତି । ସେହିପରି ଟାଟା, ଜିନ୍ଦଲ ପରି ବଡ଼ବଡ଼ କାରଖାନା ପାଇଁ ବିସ୍ଥାପିତ ପରିବାର ଏପର୍ଯ୍ୟନ୍ତ ଥଇଥାନ୍ ହୋଇନାହାନ୍ତି । ପୁଣି ଏବେ ଏବେ ନୂତନ ଭାବେ ଇମ୍ଫା, ଜଟିଆ, ବିକେ ଷ୍ଟିଲ, ଭିସିଆଇ କେମିକାଲ କାରଖାନା ପାଇଁ ବିସ୍ଥାପିତ ହେବାକୁ ଥିବା ପରିବାର ଏବେ ପ୍ରଶାସନର ଏକ ତରଫା ନିଷ୍ପତ୍ତିରେ ଛାନିଆ ହୋଇପଡିଛନ୍ତି । ବିସ୍ଥାପିତ ହେଲା ପରେ ତାଙ୍କ ପରିବାରର ଭବିଷ୍ୟତ କଣ ହେବ ଏହାକୁ ନେଇ ସନ୍ଦିହାନ ହୋଇ ପଡିଛନ୍ତି । ବିସ୍ଥାପିତ ପରିବାରଙ୍କ ଯେଉଁ ମୂଳ ଦାବି ଥିଲା ଯେଉଁ କାରଖାନା ପାଇଁ ବିସ୍ଥାପିତ ହେବେ ସେ କାରଖାନାରେ ପିଢ଼ି ପରେ ପିଢ଼ି ନିଯୁକ୍ତି ଦେବା ତା ସହିତ ନୂତନ ଭାବେ ବର୍ଦ୍ଧିତ ପରିବାରକୁ ହିସାବକୁ ନେବା ଦାବିକୁ ନେଇ ସନ୍ଦିହାନୀ ହୋଇ ପଡିଛନ୍ତି । ଆଗାମୀ ଦିନରେ ଯଦି ଜିଲ୍ଲା ପ୍ରଶାସନ ବିସ୍ଥାପିତ ପରିବାରଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନ କରନ୍ତି ତେବେ ଭବିଷ୍ୟତରେ ଆଦିବାସୀଙ୍କ ଘୋର ବିରୋଧ ଦେଖିବାକୁ ମିଳିବ । ବଡ଼ କଥା ହେଉଛି ବର୍ତ୍ତମାନ ସରକାରରେ ଆଦିବାସୀ ନେତୃତ୍ୱ ଚାଲିଛି । ଜଣେ ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଆଗକୁ ଅଣା ଯାଇଛି । ତେବେ ଦେଖିବାକୁ ବାକି ରହିଲା ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ବିସ୍ଥାପିତ ଆଦିବାସୀ ପରିବାର ପାଇଁ କି ପଦକ୍ଷେପ ନେଉଛନ୍ତି ?