ଶ୍ରମ ଆଇନ୍ ମାନୁନି ବିଦ୍ୟା ମଡେଲ ସ୍କୁଲ
ପାଣିକୋଇଲି ସ୍ଥିତ ବିଦ୍ୟା ରେସିଡେନ୍ସିଆଲ ମଡେଲ ସ୍କୁଲରେ ଶ୍ରମ ଆଇନ ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ବୈରୀ ଥାନା ଅନ୍ତର୍ଗତ ଉପୁଳା ଗ୍ରାମର କ୍ଷୀରୋଦ ଚନ୍ଦ୍ର ବେହେରା ତା ୧୦ା୩ା୨୦୨୪ରେ ଉକ୍ତ ସ୍କୁଲରେ ଇଂରାଜୀ ଶିକ୍ଷକ (ପିଜିଟି) ଭାବେ ଯୋଗ ଦେଇଥିଲେ । ରହିବା, ଖାଇବା, ଭବିଷ୍ୟନିଧି ଓ ଇଏସ୍ଆଇ ସୁବିଧା ସହ ମାସକୁ ୧୨ହଜାର ଟଙ୍କା ଦରମା ଦିଆଯିବ ବୋଲି ସ୍କୁଲର ନିର୍ଦେଶକ ବ୍ରଜ କିଶୋର ସାହୁ ଓ ମାଲିକ ରଞ୍ଜିତ କୁମାର ନାୟକ ରାଜି ହୋଇଥିଲେ । ଦରମା ଦେଲା ବେଳକୁ ମାସକୁ ତିନି-ଚାରି ହଜାରେ ଟଙ୍କା ଶାଗରେ ମୁଗରେ ଦେଇଥିବା ଶ୍ରୀ ବେହେରା ଅଭିଯୋଗ କରିଛନ୍ତି । ପିଏଫ୍ ଓ ଇଏସ୍ଆଇ କଥା ପଚାରେ କିଏ । ନା ନିଯୁକ୍ତି ପତ୍ର ଦେଲେ ନା ସାଲାରୀ ସ୍ଲିପ । ଦରମା ଟଙ୍କା ମାଗିଲା ବେଳକୁ ମାଲିକଙ୍କର ନାଲି ଆଖି । ବାଧ୍ୟ ହୋଇ ସେ ୨୦୨୪ ସେପ୍ଟେମ୍ବର ୫ରେ ସ୍କୁଲ ପରିତ୍ୟାଗ କଲେ । ଖରାଦିନେ ସରକାରୀ ନିଦେ୍ର୍ଦଶ ଉଲ୍ଲଙ୍ଘନ କରି ସ୍କୁଲ କର୍ତ୍ତୃପକ୍ଷ ପାଠପଢା ଜାରି ରଖିଥିଲେ । ଯାଜପୁର ଶ୍ରମ ଅଧିକାରୀଙ୍କୁ ଭେଟ କରି ଅଭିଯୋଗ କରିବାର ମାସେ ପୂରଣ ହୋଇଥିଲେ ମଧ୍ୟ ଫଳ ଶୂନ । ଏବିଷୟରେ ସେ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ । ଏହାଜାଣି ବ୍ରଜ କିଶୋର ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିବାରୁ ଉଭୟ ପକ୍ଷ କେସ୍ ସମାଧାନ ନ ହେବା ପର୍ଯ୍ୟନ୍ତ କେହି କାହାରିକୁ ଅଶ୍ଳୀଳ ଭାଷା ପ୍ରୟୋଗ କରିବେ ନାହିଁ ବୋଲି ପାଣିକୋଇଲି ଥାନାରେ ମଇ ୬ ତାରିଖରେ ଅଣ୍ଡରଟେକିଂ ଦେଇଥିଲେ । ବିଭିନ୍ନ ଫୋରମରେ ଅଭିଯୋଗ ହେଉଥିବା ଜାଣି ବ୍ରଜ କିଶୋର ପୁନଶ୍ଚ ଅଶ୍ଳୀଳ ଭାଷାରେ ଗାଳି କରିଥିବାର ଆଉ ଏକ ଅଭିଯୋଗ କ୍ଷୀରୋଦ ପାଣିକୋଇଲି ଥାନାରେ ପ୍ରଦାନ କରିଛନ୍ତି । କେବଳ ସେ ଜଣେ କର୍ମଚାରୀ ନୁହଁନ୍ତି, ଆଉ କେତେ କର୍ମଚାରୀଙ୍କୁ ଏହିପରି ଉଚିତ ପ୍ରାପ୍ୟ ନ ଦେଇ ସ୍କୁଲ କର୍ତ୍ତୃପକ୍ଷ ହଇରାଣ ହରକତ କରୁଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସଂପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କ୍ଷୀରୋଦ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।