ସବ୍ଇନିସପେକ୍ଟର ମହାପ୍ରସାଦ ନାୟକ ମାଲକାନାଗିରିକୁ ବଦଳି
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ବରିଷ୍ଠ ସବଇନିସପେକ୍ଟର ମହାପ୍ରସାଦ ନାୟକଙ୍କୁ ମାଲକାନାଗିରି ଜିଲ୍ଲାକୁ ବଦଳି କରାଯାଇଛି । ଗତ ୭ ତାରିଖ ବୁଧବାର ରାଜ୍ୟ ପୁଲିସ ମୁଖ୍ୟାଳୟରୁ ଆଦେଶ ସଂଖ୍ୟା ୧୯୯୮ ଅନୁଯାୟୀ ୬୩ ଜଣ ସବଇନିସପେକ୍ଟରଙ୍କୁ ଆନ୍ତଃଜିଲ୍ଲା ବଦଳି ହୋଇଛି । ଏହି କ୍ରମରେ ମହାପ୍ରସାଦ ନାୟକଙ୍କୁ ମାଲକାନାଗିରି ଜିଲ୍ଲାକୁ ବଦଳି ହୋଇଛି । ବଦଳି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳ ଓ ଖୋଦର ଥାନାର କର୍ମଚାରୀମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ଦୀର୍ଘ ୨୦ ବର୍ଷ ଚାକିରି କାଳ ମଧ୍ୟରେ ଆଦୌ ପଦୋନ୍ନତି ପାଇନଥିବା ସଂପୃକ୍ତ ସବଇନିସପେକ୍ଟର ଭଣ୍ଡାରିପୋଖରୀ ଥାନାରେ ତାଙ୍କର ୨ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସର୍ବଦା ବିବାଦ ମଧ୍ୟରେ ରହିଥିଲେ । ଥାନାକୁ ନମ୍ବର ବିହୀନ ବୁଲେଟ ଓ କାର ଯୋଗେ ଭଦ୍ରକରୁ ନିୟମିତ ଭାବେ ଯାତାୟତ କରିବା, ଥାନାରୁ ଜବତ କୋଇଲା ଗାଡି ଛାଡିଦେବା, ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଦୁର୍ବବ୍ୟବହାର କରିବା, ବାଲି ମାଫିଆ ଓ ଅନ୍ୟାନ୍ୟ ଅପରାଧିମାନଙ୍କ ସାଥ ଦେବା, ଥାନାର ଅନ୍ୟ କର୍ମଚାରୀଙ୍କୁ ଧମକ ଚମକ ଦେବା ଭଳି ବିପୁଳ ସଂଖ୍ୟକ ଅଭିଯୋଗ ବିଭିନ୍ନ ସ୍ତରରେ ହୋଇଆସୁଥିଲା । ଅଚାନକ ଏହି ବଦଳି ଆଦେଶ ଆସିବା ପରେ ଶ୍ରୀ ନାୟକ ଏହାକୁ ରୋକିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଥିବା ଜଣାଯାଇଛି । ଏଥିପାଇଁ ରାଜନୈତିକ ଚାପ ପ୍ରୟୋଗ କରି ବଦଳିକୁ ଟାଳିବାକୁ ପ୍ରୟାସ କରୁଥିବା ଖବର ମିଳିଛି ।