ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ଯାଜପୁର ଟାଉନ୍: ଯାଜପୁର ଜିଲ୍ଲାସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିବରଣୀ ପାଠ କରିଥିଲେ । କୁସୁମା ସମ୍ମୁଖ ପଡିଆ ଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବ ।ପ୍ରତୁ୍ୟଷ ଘ. ୪.୩୦ ମିନିଟ୍ରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ରାମଧୂନ୍ ପରିବେଷଣ କରାଯିବ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସକାଳ ଘ. ୬.୩୦ମିନିଟରେ ପ୍ରଭାତ ଫେରୀ, ଘ. ୭.୩୦ ମିନିଟ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସକାଳ ଘ. ୮.୩୦ମିନିଟ ସମୟରେ କୁସୁମା ସମ୍ମୁଖ ପଡିଆ ଠାରେ ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ ପରିଦର୍ଶନ, ପ୍ୟାରେଡ ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୈଠକରେ ହେବ ବୋଲି ସ୍ଥିର କରାଯାଇଛି । ଏହି ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ କୈଳାଶ ଚନ୍ଦ୍ର ସେଠୀ, ଯାଜପୁର ଟାଉନ ଥାନା ଆଇଆଇସି ଶରତ ଚନ୍ଦ୍ର ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ, ଅଗ୍ରଣୀ ବ୍ୟାଙ୍କ୍ ପରିଚାଳକ, ନିର୍ବାହୀ ଅଧିକାରୀ, ପୌର ପରିଷଦ, ଯାଜପୁର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବୁଦ୍ଧିଜୀବୀ, ବିଭିନ୍ନ ବିଭାଗର ଅଧିକାରୀ, ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ନବକ୍ରିଷ୍ଣ ଜେନା ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୁଷ୍ପଲତା ବାରିକ୍ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ଶାନ୍ତି, ମୈତ୍ରୀ, ସମ୍ପ୍ରୀତି, ଭାଇଚାରା ଏବଂ ଜାତୀୟ ଏକତା ଓ ସଂହତି ବଜାୟ ରଖି ଆନନ୍ଦ ଉଲ୍ଲାସରେ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ ।