ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି
ବଡ଼ସାହି: ବଡ଼ସାହି ବ୍ଲକର ବିଡ଼ିଓ ବନଜା ଦାସଙ୍କ ଆହ୍ୱାନକ୍ରମେ ଜାତୀୟ ଦିବସ ପାଳନ କମିଟି ଆନୁକୂଲ୍ୟରେ ବଡ଼ସାହି ବ୍ଲକ୍ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବ୍ଲକ୍ ଉପାଧ୍ୟକ୍ଷ କାଞ୍ଚନ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ଅଫିସ୍, ବ୍ୟାଙ୍କ୍, ବିଭିନ୍ନ ସଂଘ, ସଂଗଠନର ପଦାଧିକାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଜାତୀୟ ଦିବସ ପାଳନ କମିଟିର କାର୍ଯ୍ୟକାରୀ ସଭାପତି ରଣଜିତ କୁମାର ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପୁଥାଳ, ବରିଷ୍ଠ ସଦସ୍ୟ ରାଜେନ୍ଦ୍ର କୁମାର ଜେନା,ବଙ୍କିମ ବିହାରୀ ପାତ୍ର, ସୁବାସିନୀ ପତି, ସୁବୋଧ କୁମାର ଦଣ୍ଡପାଟ, ରଣଜିତ ପାତ୍ର, ବିଧାୟକଙ୍କ ପ୍ରତିନିଧି ଭବାନୀ ଶଙ୍କର ସାହୁ ଆଦି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଗଠନମୂଳକ ମତାମତ ପ୍ରଦାନ କରିଥିଲେ । ପ୍ରାରମ୍ଭରେ କମିଟିର ହିସାବରକ୍ଷକ ସନ୍ତୋଷ କୁମାର ବିଶ୍ୱାଳ ଗତ ସ୍ୱାଧୀନତା ଦିବସ ପାଳନର ଆୟ ଓ ବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ । ଏଥରର କାର୍ଯ୍ୟକ୍ରମରେ ବଡ଼ସାହି ପଞ୍ଚାୟତ ସମିତିର ଅଧ୍ୟକ୍ଷା ମିନତି ସିଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ୨୧ତାରିଖ ମଙ୍ଗଳବାର ବଡ଼ସାହି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷରେ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସହଶୈକ୍ଷିକ ବିଷୟଭିତ୍ତିକ ବିଭିନ୍ନ ପ୍ରତିଯୋଗିତାମାନ ସମ୍ପାଦିତ ହେବ । ବଡ଼ସାହି ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ସାରୱାନା ହେମ୍ବ୍ରମଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶଚୀନ୍ଦ୍ର କୁମାର ବିଶ୍ୱାଳ ସଂଚାଳନ କରିଥିଲେ ଓ ଶିକ୍ଷକ ଲଳିତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।