ସୁଧୁରୁନି କୟାଁ-ବଳରାମପୁର ଭାୟା ଇଚ୍ଛାପୁର ରାସ୍ତା ଅବସ୍ଥା

 ଦଶରଥପୁର : ଗ୍ରାମାଞ୍ଚଳ ଗମନାଗମନ କ୍ଷେତ୍ରରେ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ପ୍ରତି ବର୍ଷ ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, କେତେକ କ୍ଷେତ୍ରରେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଓ ଠିକାଦାରଙ୍କ ଲାଭଖୋର ମନୋବୃତି ଯୋଗୁଁ ଅବସ୍ଥାରେ କୌଣସି ପରିବର୍ତନ ଘଟୁନି । ଯାହାର ଉଦାହରଣ କୟାଁ-ବଳରାମପୁର ଭାୟା ଇଚ୍ଛାପୁର ରାସ୍ତା ପାଲଟିଛି । ଯାଜପୁର ଗ୍ରାମ ଉନ୍ନୟନ ଡିଭଜନ ଅଧିନସ୍ଥ ମଙ୍ଗଳପୁର ଗ୍ରାମ ଉନ୍ନୟନ ସେକ୍ସନ ଅନ୍ତର୍ଗତ କୟାଁଗୋଲା ଛକ ଠାରୁ ଇଚ୍ଛାପୁର ଦେଇ ବଳରାମପୁର ଗ୍ରାମକୁ ସଂଯୋଗ ହୋଇଥିବା ଏହି ରାସ୍ତା ଅବସ୍ଥା ସୁଧୁରୁନିବାର ନାଁ ଧରୁନି । ୫.୫ କିମି ଲମ୍ବ ବିଶିଷ୍ଟ ଏହି ରାସ୍ତା ପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ ହୋଇଥିଲା । 
ମାତ୍ର ନିମ୍ନମାନର କାର୍ଯ୍ୟ ଓ ଠିକାଦାର ପ୍ରୀତି ଯୋଗୁଁ ମାତ୍ର ୫ ବର୍ଷରେ ଏହି ରାସ୍ତା ଜନସାଧାରଣଙ୍କ ନିମନ୍ତେ ମରଣଯନ୍ତା ପାଲଟିଛି । ପ୍ରତ୍ୟେହ ଛୋଟ ବଡ ଦୁର୍ଘଟଣାରେ ଶିକାର ହେଉଛନ୍ତି ବାଟୋଇ । ଏପରିକି ଗର୍ଭବତୀ ମହିଳା ଏହି ରାସ୍ତାରେ ଯାତାୟାତ କରିବାକୁ ସୁରକ୍ଷିତ ମଣୁ ନାହାନ୍ତି । ଏହିରାସ୍ତାର କୟାଁଗୋଲା ହାଇସ୍କୁଲ ଠାରୁ ବଳରାମପୁର ପର୍ଯ୍ୟନ୍ତ ପ୍ରାୟ ୫ କିମି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ବେଳେ ରାସ୍ତାରୁ ପିଚୁ, ବାଲି ଓ ଗୋଡି ପର୍ଯ୍ୟନ୍ତ ଉଠି ଶହଶହ ସଂଖ୍ୟାର ଗାଢ଼ ସୃଷ୍ଟି ହୋଇ ଗ୍ରାମ୍ୟ ପୁଷ୍କରିଣୀର ଭ୍ରମ ସୃଷ୍ଟି କରୁଛି । ବୈତରଣୀ ଓ ଏହାର ଶାଖା ନଦୀ କୂଳରେ ଅବସ୍ଥିତ କୟାଁ, ଗୁଣ୍ଠୁଣିପଡ଼ା, ଇଚ୍ଛାପୁର, ବଳରାମପୁର ଆଦି ଗ୍ରାମକୁ ସଂଯୋଗ କରୁଥିବା ଏହି ଗ୍ରାମ୍ୟ ଉନ୍ନୟନ ରାସ୍ତା ଅଂଚଳବାସୀଙ୍କ ପାଇଁ ଜୀବନରେଖା କହିଲେ ଅତୁ୍ୟକ୍ତି ହେବ ନାହିଁ । ଗମନାଗମନ ବ୍ୟତୀତ ଚାଷକାର୍ଯ୍ୟ ଓ ଚାଷ କାର୍ଯ୍ୟରୁ ଉତ୍ପାଦିତ ସାମଗ୍ରୀକୁ ବଜାରରେ ପହଁଚାଇବା ନିମନ୍ତେ ଏହି ଗ୍ରାମର ବାସିନ୍ଦାମାନଙ୍କ ନିମନ୍ତେ ଏହା ଏକମାତ୍ର ମାଧ୍ୟମ ଅଟେ । ପ୍ରତିବର୍ଷ ବୈତରଣୀ ନଦୀ ଓ ଏହାର ଶାଖା ମାହାରାରେ ବନ୍ୟା ଜଳ ଆସିଲେ ଏହି ରାସ୍ତା କେତେକ ସ୍ଥାନରେ ବୁଡି ଯିବା ଫଳରେ ସାମୟିକ ଭାବରେ ଜନସାଧାରଣଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଜନସାଧାରଣଙ୍କ ସମୂହ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାୟାଁ, କମାରଡ଼ିହି ଓ ନିଜାମପୁର ଆଦି ପଂଚାୟତର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତାର ଉଚ୍ଚତା ବୃଦ୍ଧି କରିବା ଓ ଆବଶ୍ୟକ ସ୍ଥାନରେ ଜଳ ନିଷ୍କାସନ ନିମନ୍ତେ ବ୍ୟବସ୍ତା କରିବା ସହିତ ରାସ୍ତାର ପୁନଃ ନିର୍ମାଣ ନିମନ୍ତେ ସମାଜସେବୀ ବୈକୁଣ୍ଠନାଥ ପରିଡା, କମାରଡ଼ିହି ପଂଚାୟତର ପୂର୍ବତନ ସରପଂଚ ପ୍ରିୟବ୍ରତ ବିଶ୍ୱାଳ, କୟାଁ ପଂଚାୟତର ପୂର୍ବତନ ସରପଂଚ ପ୍ରଶେଷ ସୁତାରଙ୍କ ସମେତ ଚନ୍ଦ୍ରକାନ୍ତ ନାୟକ, ସଂଜୀବ ସାହାଣୀ, ପ୍ରଫୁଲ୍ଲ ଯେନା, ବଟକୃଷ୍ଣ ଦାସ, ଗଜେନ୍ଦ୍ର ଦାସ, ସୁକୁଟା ମହାକୁଡ଼, ରାଧାଶ୍ୱମ ଦାସ ପ୍ରମୁଖ ସାଧାରଣରେ ଦାବୀ କରିଛନ୍ତି ।