ଶିକ୍ଷା ଯୋଜନା ଓ ସମସ୍ୟା
ସୌଭାଗ୍ୟ ରଞ୍ଜନ ମହାନ୍ତି : ଦେଶରେ ଶିକ୍ଷାର ବିକାଶ ଲାଗି ତଥା ସମସ୍ତଙ୍କୁ ଶିକ୍ଷିତ କରାଇବା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଏଥିଲାଗି ୩ ବର୍ଷରୁ ୧୪ବର୍ଷ ପର୍ଯ୍ୟନ୍ତ ମାଗଣା ଶିକ୍ଷା ବାଧ୍ୟତାମୂଳକ ହୋଇଛି । ସେହିପରି ଶିଶୁଙ୍କ ବୌଦ୍ଧିକ ବିକାଶ ଲାଗି ଏବେ ବାଲବାଟିକା ଶିକ୍ଷା ବ୍ୟବସ୍ଥା ଆରମ୍ଭ ହୋଇଛି । ନିକଟରେ ସାମୂହିକ ଭାବେ ମହାଆଡମ୍ବରରେ ଶିଶୁଙ୍କୁ ଖଡି ଛୁଅାଁ ଅଭିଯାନ ଅନୁଷ୍ଠିତ ହୋଇଥିବାବେଳେ ଅଭିଭାବକ ଓ ପିଲାମାନଙ୍କ ସଚେତନ କରାଇବା ଲାଗି ‘ଆସ ସ୍କୁଲ ଯିବା’ ଅଭିଯାନ ଆରମ୍ଭ ହୋଇଛି ।
ସଭା, ସମିତି, ଶୋଭାଯାତ୍ରା ଦ୍ୱାରା ବ୍ୟାପକ ସଚେତନତା ସୃଷ୍ଟି ଏହାର ମୁଖ୍ୟ ଲକ୍ଷ୍ୟ । ସେହିପରି ବିଦ୍ୟାଳୟରେ ଉପସ୍ଥାପନ ବଢାଇବା ପାଇଁ ଦେଶରେ ୯୦ଦଶକରୁ ପ୍ରଚଳିତ ହୋଇ ଆସୁଥିବା ମଧ୍ୟାହ୍ନ ଭୋଜନ ଯୋଜନା ଏବେ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇଛି । ଯେଉଁ ଯୋଜନାରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ବାଧ୍ୟତାମୂଳକ ହୋଇଛି । ଏହା ବ୍ୟତୀତ ପ୍ରଥମରୁ ମାଧ୍ୟମିକ ପର୍ଯ୍ୟନ୍ତ ମାଗଣାରେ ବହି, ୟୁନିଫର୍ମ ଯୋଗାଇ ଦିଆଯାଉଥିବାବେଳେ ଏବେ ଓଡିଶା ସମେତ କେତେକ ରାଜ୍ୟ ସରକାର ସ୍କୁଲ ପର୍ଯ୍ୟନ୍ତ ମାଗଣା ବସ୍ ଯାତ୍ରା ବ୍ୟବସ୍ଥା କରିଥିବା ଜଣାଯାଏ । ଆହୁରି ମଧ୍ୟ ସମସ୍ତଙ୍କୁ ବାଧ୍ୟତାମୂଳକ ଶିକ୍ଷାକୁ ମୌଳିକ ଅଧିକାର ଭୁକ୍ତ କରାଯାଇଛି । ଏହା ସତ୍ତେ୍ୱ ଦେଶରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ପହଁଚିଛି ।
ଲୋକସଭାରେ ସରକାର ଦେଇଥିବା ସୂଚନା ଅନୁଯାୟୀ ଦେଶରେ ୧କୋଟି ୧୭ଲକ୍ଷ ପିଲା ସ୍କୁଲ ବାହାରେ ଅଛନ୍ତି । ଆସନ୍ତା ୨୦୩୦ ସୁଦ୍ଧା ଶତପ୍ରତିଶତ ନାମ ଲେଖା (ଏନରୋଲମେଂଟ) ପାଇଁ ଜାତୀୟ ଶିକ୍ଷା ନୀତିରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ବିଶେଷ କରି ଭାରତରେ ଏହା ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ତେବେ କେବଳ ଭାରତ ନୁହେଁ, ବିଶ୍ୱର ବିକାଶମୁଖୀ ରାଷ୍ଟ୍ରଗୁଡିକରେ ଅଧାରୁ ପାଠ ଛାଡିବା, ସ୍କୁଲ ବାହାରେ ରହିବା ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ଜୀବନ ଜୀବିକା ତଥା କାମ କରିବା ପାଇଁ କିମ୍ବା ଅନାଗ୍ରହ ଯୋଗୁଁ ଅଧାରୁ ପାଠ ଛାଡ ପିଲାଙ୍କ ସଂଖ୍ୟା ବଢୁଛି ବୋଲି ୟୁନୋସ୍କୋର ଆନ୍ତର୍ଜାତିକ ଶିକ୍ଷା ତଦାରଖ ରିପୋର୍ଟ(ଜିଇଏମଆର) ୨୦୨୫ ରିପୋର୍ଟରେ କୁହାଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱବ୍ୟାପୀ ୨୭୨ ମିଲିଅନରୁ ଅଧିକ ପିଲା ସ୍କୁଲ ବାହାରେ ଅଛନ୍ତି, ଯାହାକି ଅତ୍ୟନ୍ତ ଚିନ୍ତାଜନକ ।
ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୧୧ପ୍ରତିଶତ ପିଲା ସ୍କୁଲ ବାହାରେ ରହିଥିବା ବେଳେ ନିମ୍ନ ମାଧ୍ୟମିକ ସ୍ତରରେ ୧୫ପ୍ରତିଶତ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ୩୧ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ସ୍କୁଲ ଛାଡୁଛନ୍ତି । କାମଧନ୍ଦା ତଥା ରୋଜଗାର ପାଇଁ ଉଚ୍ଚମାଧ୍ୟମିକ ସ୍ତରରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲ ଛାଡୁଥିବା ରିପୋର୍ଟ ଦର୍ଶାଇଛି । ସେହିପରି ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଯୁଦ୍ଧ, ଜାତିଗତ ଦଙ୍ଗା, ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଲଢେଇ ଯୋଗୁଁ ବୈଶ୍ୱିକ ସ୍ତରରେ ଅଧାରୁ ପାଠ ଛାଡ ଏବେ ଏକ ସମସ୍ୟା ଭାବେ ଦଣ୍ଡାୟମାନ ହୋଇଥିବା କୁହାଯାଏ । ଆମ ଦେଶରେ ମହାମାରୀ କରୋନା ପରେ ବହୁ ଛାତ୍ରଛାତ୍ରୀ ଆଉ ସ୍କୁଲକୁ ଫେରିନଥିଲେ । ଏଥିପାଇଁ ବିଭିନ୍ନ କାରଣ ଦାୟୀ । ବିଶେଷ କରି ଡିଜିଟାଲ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବାରେ ଅକ୍ଷମତା, କରୋନାରେ ଜୀବନ ଜୀବିକା ହରାଇଥିବା ପରିବାରକୁ ସହାୟତା କରିବା ପାଇଁ ଏବଂ କରୋନାରେ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇବା ଆଦି ଘଟଣା ଯୋଗୁଁ ବହୁ ଛାତ୍ରୀଛାତ୍ରୀ ଆଉ ସ୍କୁଲକୁ ଫେରିବାକୁ ମନ ବଳାଇନଥିଲେ, ଯାହାକି ଅଧାରୁ ପାଠ ଛାଡ ଛାତ୍ରୀଛାତ୍ରୀଙ୍କ ସଂଖ୍ୟା ଆଶାତୀତ ଭାବେ ବଢାଇ ଦେଇଥିଲେ ।
ସାଂପ୍ରତିକ ଡିଜିଟାଲ ଯୁଗରେ ଶିକ୍ଷା ହିଁ ବିକାଶର ମାଧ୍ୟମ । ଯେଉଁ ଦେଶ ଯେତେ ଶିକ୍ଷାରେ ବିକଶିତ, ସେହି ଦେଶ ସେତେ ପ୍ରଗତିଶୀଳ, ଶିକ୍ଷାର ଉନ୍ନତି ପାଇଁ ସରକାର ବହୁବିଧ ଯୋଜନା କରିଥିବା ସତ୍ତେ୍ୱ ଅଧାରୁ ପାଠ ଛାଡିବା ଏବେ ଦେଶ ସମ୍ମୁଖରେ କେବଳ ବଡ ସମସ୍ୟା ଭାବେ ଠିଆ ହୋଇନାହିଁ, ଏହାର ମୁକାବିଲା ଗୁରୁତର ସମସ୍ୟା ସୃଷ୍ଟି କରିଛି । ଏହାର ମୁକାବିଲା ପାଇଁ ସରକାର ଏବଂ ନୀତି ନିର୍ଦ୍ଧାରକମାନେ ଚିନ୍ତା କରିବାର ସମୟ ଏବେ ଉପନୀତ ହୋଇଛି ।
ମୋ:୭୯୭୮୬୬୬୪୦୩