ସ୍ୱାସ୍ଥ୍ୟବିଭାଗ ଷ୍ଟାଣ୍ଡିଂ କମିଟିର ତାଳଚେର ଗସ୍ତ
ତାଳଚେର : ସ୍ୱାସ୍ଥ୍ୟବିଭାଗ ଷ୍ଟାଣ୍ଡିଙ୍ଗ କମିଟି ତାଳଚେର ଗସ୍ତରେ ଆସି ତାଳଚେର ମଣ୍ଡାପାଳ ଡ଼ାକ୍ତରଖାନା ପରିଦର୍ଶନ କରି ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇଥିଲେ । ସେ ରୋଗୀଙ୍କ ସମସ୍ୟା ବୁଝିବା ସହିତ ଡ଼ାକ୍ତର ଅଭାବ, ଭିତ୍ତିଭୂମିର ସ୍ଥିତି ସମୀକ୍ଷା କରିଥିଲେ । ଏହା ପରେ ସେ ପବିତ୍ର ମୋହନ ମେଡ଼ିକାଲ କଲେଜକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ମେଡ଼ିକାଲ କଲେଜଟି ଶୀଘ୍ର ଚାଲୁହେବ, କେଉଁକେଉଁ ସରଞ୍ଜାମ ଆବଶ୍ୟକ ଓ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ସରକାରଙ୍କୁ ଜଣାଇବେ ବୋଲି ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ତଥା ପର୍ଜଙ୍ଗ ବିଧାୟକ ଏହା ପ୍ରକାଶ କରିଥିଲେ । ପ୍ରକାଶ ଥାଉକି, ଏହି ମେଡ଼ିକାଲ କଲେଜଟି ଏମସିଏଲ ପକ୍ଷରୁ ପ୍ରାୟ ୧୬ଶହ କୋଟି ଟଙ୍କା ଏହାର ନିର୍ମାଣ ଓ ୫ବର୍ଷ ପାଇଁ ଆନୁସାଙ୍ଗିକ ଖର୍ଚ୍ଚ ସିଏସଆର ଅର୍ଥରୁ କରାଯାଇଥିଲେ ହେଁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇ ପାରିନଥିବାରୁ ଅଂଚଳବାସୀଙ୍କ ମନରେ ଏହାକୁ ନେଇ ଦ୍ୱନ୍ଦ ଉପୁଜିବା ସହ ଏହା କେବେ କାର୍ଯ୍ୟକ୍ଷମ ହେବା ନେଇ ଆଶା ଆଶାଙ୍କା ଦେଖାଦେଇଛି । ବିଭିନ୍ନ ସରକାରୀ ଡ଼ାକ୍ତରଖାନାରୁ ମାତ୍ର ପିରିଓଡ଼ିକାଲ୍ ଭାବେ ୨୮ଜଣ ଡ଼ାକ୍ତରଙ୍କୁ ମେଡ଼ିକାଲ କଲେଜରେ ନିଯୁକ୍ତି ମିଳିଥିବା ବେଳେ ଆବଶ୍ୟକ ଡ଼ାକ୍ତର ନଥିବାରୁ ରୋଗୀମାନେ ସେଠାରୁ ମୁହଁ ଫେରାଇ ନେଉଛନ୍ତି ବୋଲି ଅଭିଯୋଗ ହେଉଛି । ଏହାକୁ ନେଇ ଘଂଟାପଡ଼ା ପଂଚାୟତବାସୀଙ୍କ ପକ୍ଷରୁ ଉକ୍ତ ମେଡ଼ିକାଳକୁ ଆମ୍ବୁଲାନ୍ସ ସେବା ଯୋଗାଇଦେବା, ସାପ କାମୁଡ଼ା, କୁକୁର କାମୁଡ଼ା ଓ ସ୍ୱତନ୍ତ୍ରଭାବେ ଡ଼େଙ୍ଗୁ ୱାର୍ଡ଼ କରିବା ନେଇ ଷ୍ଟାଣ୍ଡିଙ୍ଗ କମିଟିକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ୧୩ଜଣିଆ ଷ୍ଟାଣ୍ଡିଙ୍ଗ କମିଟିରେ ଜଏଣ୍ଟ ସେକ୍ରାଟାରୀ ବିଦ୍ୟାଧର ମାଝୀ, ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ତଥା ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ବିଧାୟିକା ପ୍ରମିଳା ମଲ୍ଲୀକ, ସୀମାରାଣୀ ନାଏକ, ପ୍ରଶାନ୍ତ ବେହେରା, ଉମାଶାଙ୍କର ମଲ୍ଲୀକ, ପ୍ରକାଶ ଚନ୍ଦ୍ର ସେଠୀ, ହିମାଂଶୁ ମୋହନ ନାଏକ, ଗୌତମବୁଦ୍ଧ ଦାସ, ରୂପେଶ ପାଣିଗ୍ରାହୀ, ସତ୍ୟଜିତ୍ ଗମାଙ୍ଗ, ବିଜୟ ଦଳବେହେରା ଓ ଅନୁଗୋଳ ଜିଲ୍ଳାପାଳ ପ୍ରମୁଖ ସାମିଲ ହୋଇଥିଲେ ।