ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ସଜେଇ ହେଉଛି ସହର

 ଯାଜପୁର ଟାଉନ : ଆଉ ମାତ୍ର ଦିନ କେଇଟା ପରେ ପୂଜା ପାଇବେ ଅଗ୍ରପୂଜ୍ୟ ପ୍ରଭୁ ଗଜାନନ । ସେଥିପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଚଳ ଚଞ୍ଚଳ ହୋଇପଡ଼ିଛି । ଯାଜପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଗଣେଶ ମୂର୍ତ୍ତି ପୂଜା ପାଇଥାନ୍ତି । ମୂର୍ତ୍ତି କାରିଗର ପ୍ରଭୁ ଗଣେଶଙ୍କ ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ । କେଉଁଠି ଗଣେଶଙ୍କ ମୂର୍ତ୍ତି ଏକ ମାଟିଆ କାମ ସାରି ଦୋ’ମାଟିଆ କାମ ହେଉଛି ତ ଆଉ କେଉଁଠି ଦୋ ମାଟିଆ କାମ ଶେଷ ପର୍ଯ୍ୟାୟରେ ଦେଖିବାକୁ ମିଳିିଛି । 
କାରିଗର ଦିନ ରାତି ଏକ କରି ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ । ଯାଜପୁର ସହରର ବିଭିନ୍ନ ସ୍ଥାନରେ କାରିଗର ଅସ୍ଥାୟୀ ଟେଣ୍ଟ ତଳେ ବିଭିନ୍ନ ଗଣେଶଙ୍କ ମୂର୍ତ୍ତି ନିର୍ମାଣ କରୁଛନ୍ତି । ଛୋଟରୁ ବଡ଼ ବିଭିନ୍ନ ଡିଜାଇନର ଗଣେଶ ମୂର୍ତ୍ତିର୍ ତିଆରି ହୋଇଛି । ବିଶେଷ କରି ମୁମ୍ବାଇ ଡିଜାଇନର ଗଣେଶ ମୂର୍ତ୍ତି ଯାଜପୁରରେ ନିର୍ମାଣ ହୋଇଛି । ସେହିପରି ପିଲାଠୁ ଆରମ୍ଭ କରି ଯୁବପିଢ଼ି ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ଗୋଟିଏ ଦଳ ଗଢ଼ି ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି ପ୍ରଭୁ ଗଣେଶଙ୍କ ପୂଜା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । କିଏ କାହାଠାରୁ ଭଲ ଭାବେ ପୂଜା କରିବେ ସେଥିପାଇଁ ନିଜ ନିଜ ଭିତରେ ପ୍ରତିଯୋଗିତା ଲାଗି ଗଲାଣି । ବିଭିନ୍ନ ପୂଜା କମିଟି ପକ୍ଷରୁ ଟେଣ୍ଟ ଭିଡ଼ା କାମ ଆରମ୍ଭ ହୋଇଗଲାଣି । ସବୁ ପୂଜା କମିଟି ପକ୍ଷରୁ ପ୍ରଭୁ ଗଣେଶଙ୍କୁ ସ୍ୱାଗତ କରିବା ପାଇଁ ଏବେ ଠାରୁ ଲାଗି ପଡ଼ିଲେଣି । କେଉଁ ପୂଜା କମିଟି ଠାକୁରଙ୍କୁ ନେଇ ବ୍ୟସ୍ତ ତ ଆଉ କେଉଁ ପୂଜା କମିଟି ଭସାଣି ଶୋଭାଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ତ ଆଉ କିଏ ପୂଜା ସମୟରେ ନାମୀଦାମୀ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ବର୍ତ୍ତମାନ ଠାରୁ ବ୍ୟସ୍ତ ଥିବାର ଦେଖିବାକୁ ମିଳିଛି । ସବୁଠି ଧାଁ ଦଉଡ଼ ଓ ବ୍ୟସ୍ତତା ପ୍ରଭୁ ଗଣେଶଙ୍କ ପୂଜା ପାଇଁ । ମାଟି ମୂର୍ତ୍ତି କାରିଗର ମଧ୍ୟ ଗଣେଶଙ୍କୁ ଶେଷ ସ୍ପର୍ଶ ଦେବା ପାଇଁ  ଲାଗି ପଡ଼ିଛନ୍ତି । ଆଉ କିଛି ଦିନ ପରେ ଯାଜପୁର ସହର ଗଣେଶ ପୂଜା ପାଇଁ ଦୁଲୁକିବ, ସେଥିପାଇଁ ସହର ଏବେ ଠାରୁ ସଜେଇ ହେଲାଣି ।