ଅଗ୍ରପୂଜ୍ୟ ଗଣଦେବତା ଶ୍ରୀଗଣେଶ

ଡକ୍ଟର ଲକ୍ଷ୍ମଣ ସାହୁ : ଭାରତୀୟ ସଂସ୍କୃତିର ପ୍ରବହମାନ ଧାରାରେ ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ ନିର୍ବିଶେଷରେ ବିଘ୍ନରାଜ ବିନାୟକ ସର୍ବପୂଜ୍ୟ ଗଣଦେବତାର ଆସନ ଅଳଙ୍କୃତ କରି ଶ୍ରୀଗଣେଶ ନାମରେ ଖ୍ୟାତ ହୋଇଛନ୍ତି । ଋଗ୍‌ବେଦ ଦ୍ୱିତୀୟ ମଣ୍ଡଳାନୁସାରେ ଗଣନାଥ ଗଣେଶ ଉପାସନାର ପ୍ରାଚୀନତମ ନିଦର୍ଶନ ସୂଚନା ମିଳେ । ଏହି ସୂକ୍ତରେ ଶ୍ରୀଗଣେଶଙ୍କୁ ସର୍ବ ଦେବତାମାନଙ୍କ ମଧ୍ୟରେ ଶ୍ରେଷ୍ଠ  । କବିମାନଙ୍କ ମଧ୍ୟରେ ବରେଣ୍ୟ ତଥା ଜ୍ୟେଷ୍ଠ ଓ ଶ୍ରେଷ୍ଠ ରୂପରେ ପ୍ରତିପାଦନ କରାଯାଇଛି । ସେଭଳି ଯଜୁର୍ବେଦରେ ମଧ୍ୟ ଋଗ୍‌ବେଦ ସୂକ୍ତର ଏକ ଭିନ୍ନ ରୂପ ପରିଲକ୍ଷିତ ହୁଏ । ତେଣୁ ଭାରତୀୟ ଧର୍ମ ଧାରାରେ ବୈଦିକ କାଳରୁ ଶ୍ରୀଗଣପତିଙ୍କ ଉପାସନାର ଉନ୍ମେଷ ଘଟିଥିବା ଜଣାଯାଏ ।
   ଗଣଙ୍କର ଈଶ ବା ଈଶ୍ୱର ହେଉଛନ୍ତି ଶ୍ରୀଗଣେଶ । ସବୁ ଦେବାଦେବୀଙ୍କ ପୂଜା ଆରମ୍ଭରେ ସେ ପୂଜାପାଆନ୍ତି । ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜ ଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଓ ତାକୁ ଜୀବଦାନ ଦେଲେ । ତେଣୁ ପାର୍ବତୀ ଓ ଶିବଙ୍କର ସେ କନିଷ୍ଠ ପୁତ୍ର । କାର୍ତ୍ତିକେୟଙ୍କର ସେ ସାନଭାଇ । ବାଧ୍ୟ ହୋଇ ଗଣେଶ ମା' ପାର୍ବତୀଙ୍କ କଥାମାନି ଦ୍ୱାର ଜଗିଥିବାବେଳେ ଶିବଙ୍କୁ ମା'ଙ୍କ ନିର୍ଦ୍ଦେଶରେ ଭିତରକୁ ଛାଡିନଥିଲେ । ଫଳତଃ ତାଙ୍କର ମହାକ୍ରୋଧୀ ଦେବଦେବ ମହାଦେବଙ୍କ ସହିତ ଯୁଦ୍ଧ ହେଲା । ଯାହା ଫଳରେ ପାର୍ବତୀଙ୍କ ମାନସପୁତ୍ର ଗଣେଶଙ୍କର ଶେଷରେ ପରାଜୟ ହେବା ସହିତ ନିଧନ ବି ହେଲେ । ମା ପାର୍ବତୀ ଏକଥା ସହ୍ୟ କରିନପାରିବାରୁ , ସବୁ ଦେବତା ଏକଜୁଟ ହେଇ କ’ଣ କରାହେବ ସେକଥା ଭାବିଲେ । ଯାହା ଫଳରେ ଚଉଦ ଭୁବନ ଖୋଜା ପଡିଲା, ଯିଏ ଉତ୍ତର ଦିଗକୁ ମୁଣ୍ଡକରି ଶୋଇଥିବ, ତା’ ମୁଣ୍ଡ କାଟିଆଣି ମନ୍ତ୍ର ପଢି ଯୋଡ଼ି ଦେଲେ ଗଣେଶ ପୁଣି ନୂଆ ଜୀବନପାଇ ଜୀବିତ ହେବେ । ହାତୀଛୁଆ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଥିଲା । ତାର କଟା ମୁଣ୍ଡ ଆଣି ଯୋଡ଼ିବାକୁ ପଡିଲା । ବିଘ୍ନ ବିନାଶକ ଜୀବିତ ହେଲେ । ସେହି ଦିନରୁ ସେ ହେଲେ ଗଜାନନ ଓ ବକ୍ରତୁଣ୍ଡ।
   ପୁରାଣ କଥା ଏସବୁ ହୋଇପାରେ, କିନ୍ତୁ ବିଜ୍ଞାନ କହୁଛି ଉତ୍ତର ଦିଗକୁ ମୁଣ୍ଡକରି ଶୋଇଲେ ବୁଦ୍ଧି ନଷ୍ଟ ହୁଏ । ନିଦ ଭଲ ହୁଏ ନାହିଁ । ଦେହ ଖରାପହୁଏ । ଅଳ୍ପାୟୁ ହୁଏ ମଣିଷ । ତେଣୁ ଲୋକେ କହନ୍ତି ଉତ୍ତର ଦିଗକୁ ମୁଣ୍ଡରଖି ଶୁଅନା । ଉତ୍ତର ମେରୁର ଚୁମ୍ବକୀୟ କ୍ଷେତ୍ର ପାଇଁ ଏମିତି ହୁଏ । ବିଜ୍ଞାନ ସହିତ ପୁରାଣକୁ ଯୋଡି ସମାଜର ଜୀବନଶୈଳୀକୁ ଅତ୍ୟନ୍ତ  ସୁଖକର ,ସୁନ୍ଦର ଓ ସହଜ କରିଦିଆଯାଇଛି । ବ୍ୟାସଦେବ ଯେତେବେଳ ମହାଭାରତ ରଚନାକଲେ ସେତେବେଳେ ଗଣେଶ ସେସବୁ ଲେଖିରଖୁଥିଲେ । ବ୍ୟାସ କହୁଥିଲେ ଓ ସେ ଲେଖୁଥିଲେ । ଉଭୟ ଜ୍ଞାନ ଓ  ବୁଦ୍ଧି କୌଶଳରେ ପାରଙ୍ଗମ ଥିଲେ । ଦୁହେଁ ଦୁହଁଙ୍କିର ସମକକ୍ଷ । ଗଣେଶ କହିଲେ , ‘ଆପଣ ଯଦି ନିରବିଛିନ୍ନ ଭାବରେ କହିବେ, ମୁଁ ଲେଖିବି ନହେଲେ ମୁଁ ଚାଲିଯିବି ।’ ବ୍ୟାସଦେବ ହସିଦେଇ କହିଲେ, ‘ ତୁମେ ପ୍ରତ୍ୟେକ ପଦ ବୁଝିଲାପରେ ଯାଇ ଲେଖିବ ।’ ଗଣେଶ ବୁଝୁବୁଝୁ ବ୍ୟାସଦେବ ପଦଟିଏ ରଚନା କରିଦେଉଥିଲେ । ବଡ ସୁନ୍ଦର ତାଳମେଳ ରଖି ମହାନ ସଂସ୍କୃତିର ମହାକାବ୍ୟ ରଚିତ ହୋଇଥିଲା  ।  ପୌରାଣିକ ମତାନୁସାରେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ । ଏସବୁ ଦୃଷ୍ଟିରୁ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜା ହୁଏ । ଗଣେଶଙ୍କର ଅନେକ ନାମ ଅଛି, କିନ୍ତୁ ୧୨ଟି ନାମ ପ୍ରସିଦ୍ଧ : ସୁମୁଖ, ଏକଦନ୍ତ, କପିଳ, ଗଜକର୍ଣ୍ଣକ, ଲମ୍ବୋଦର, ବିକଟ, ବିଘ୍ନନାଶ, ବିନାୟକ, ଧୂମ୍ରକେତୁ, ଗଣଧ୍ୟକ୍ଷ, ଭାଲଚନ୍ଦ୍ର ଓ ଗଜାନନ । ଉପରୋକ୍ତ ଦ୍ୱାଦଶ ନାମ ନାରଦ ପୁରାଣରେ ପ୍ରଥମ ଥର ଆସିଥିଲା । ବିଦ୍ୟାରମ୍ଭ ତଥା ବିବାହ ଆଦିରେ ପ୍ରଥମରୁ ଏହି ନାମରେ ଗଣପତିଙ୍କୁ ଆରାଧନା କରାଯାଏ।
   

ବୈଦିକ ମନ୍ତ୍ରରେ ଗଣପତିଙ୍କୁ ସର୍ବ ସିଦ୍ଧିଦାତା, ଋଦ୍ଧି ସିଦ୍ଧିଦାତା, ସର୍ବ ମଙ୍ଗଳମୟ ରୂପେ ସ୍ତୁତି କରାଯାଇଛି । ସାମ୍‌ବେଦୀୟ ବିନାୟକ ସଂହିତା, ମୈତ୍ରାଣୀ ସଂହିତା, ଯଜୁର୍ବେଦୀୟ କାଣ ସଂହିତା ପ୍ରଭୃତିରେ ବିଘ୍ନ ବିନାଶନ ଗଣପତିଙ୍କ ମନ୍ତ୍ରର ଉଲ୍ଲେଖ ଅଛି । ଉପନିଷଦରେ ଗଣପତିଙ୍କୁ ସର୍ବ ଶକ୍ତିମାନ ରୂପରେ ବର୍ଣ୍ଣିତ କରାଯାଇଛି । ଗଣପତିଙ୍କୁ ମଧ୍ୟ ପରଂବ୍ରହ୍ମଙ୍କ ପ୍ରତୀକ ରୂପେ ଚିହ୍ନିତ କରାଯାଇଛି । ଗଣପତି ଉପନିଷଦରେ ବ୍ରହ୍ମ ଉପାସନାର ତତ୍ତ୍ୱ ପରିଦୃଷ୍ଟ । ନିଗମ ଓ ଆଗମ ଉଭୟ ପରମ୍ପରାରେ ଗଣପତି ଏକ ମହତ୍ତ୍ୱପୂର୍ଣ୍ଣ ଶ୍ରେଷ୍ଠ ଦେବତାର ଆସନ ଅଳଙ୍କୃତ କରି ଆସୁଛନ୍ତି । ସ୍ମୃତି ଶାସ୍ତ୍ରରେ ପ୍ରଭୁ ଗଣପତିଙ୍କୁ ହର୍ବିଭୋକ୍ତା ଯଜ୍ଞ ଦେବତା ରୂପେ ଚିତ୍ରଣ କରାଯାଇ ଗାଣପତ୍ୟାଗ୍ନିର ସଂସ୍କାର ବିଧି ଓ ହୋମକାର୍ଯ୍ୟ ସଂପାଦନ କରାଯାଉଥିବା ବିଧି ରହିଛି ।
   ଗଣପତି ଉପାସନାର ଉତ୍ତରଣ ଫଳରେ ଗାଣପତ୍ୟ ସମ୍ପ୍ରଦାୟର ଉନ୍ମେଷ ଘଟିଛି । ଯାହା ଫଳରେ ସେମାନଙ୍କ ଲେଖନୀ ଚାଳନାରେ ବିଭିନ୍ନ ସ୍ତବ, ସ୍ତୋତ୍ର, କବଚ, କୀଳକ, ପଟଳ ଓ ପୁରାଣାଦି ବର୍ଣ୍ଣିତ ହୋଇଛି । ସେ ଏକଦନ୍ତ, ଚତୁର୍ଭୁଜ, ପାଶ-ଅଙ୍କୁଶ ଅଭୟ ଓ ବରଦ ମୁଦ୍ରାଧାରୀ, ରକ୍ତ ବସ୍ତ୍ରଧାରୀ ରୂପେ ଚିତ୍ରିତ ହୋଇ ପୂଜା ପାଇଆସୁଛନ୍ତି । ସକଳ ବିଘ୍ନ ହରଣ ନିମିତ୍ତ ଭକ୍ତମାନେ ସଭକ୍ତି ପ୍ରଣାମ ପୂର୍ବକ ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତି । କାଳ କ୍ରମେ ଶକ୍ତି ଉପାସନା ସହିତ ଗଣପତି ପୂଜାର ମିଳନ ଘଟିଛି । ଭାରତର ବିଭିନ୍ନ ଶକ୍ତି ପୀଠଗୁଡ଼ିକରେ ମାତୃଗଣଙ୍କ ମଧ୍ୟରେ ଗଣପତି ଆରାଧିତ ହେଉଛନ୍ତି । ଓଡ଼ିଶାର ଗଞ୍ଜାମ ଜିଲା ସାନଖେମୁଣ୍ଡି ଅନ୍ତର୍ଗତ କଙ୍କରଡାସ୍ଥ ଶକ୍ତିପୀଠ ମା’ ନାରାୟଣୀଙ୍କ ସହ ଏକତ୍ର ଆସନରେ ପୂଜା ପାଉଛନ୍ତି । 
   ଯେପରି ଭଗବାନ ଶିବଙ୍କ ଭକ୍ତକୁ ଶୈବ ଉପାସକ କୁହାଯାଇ ଥାଏ ଓ ବିଷ୍ଣୁଙ୍କ ଭକ୍ତକୁ ବୈଷ୍ଣବ କୁହାଯାଇ ଥାଏ , ଠିକ୍‌ ସେହିଭଳି ଗଣପତିଙ୍କ ଭକ୍ତକୁ ଗଣପତ୍ୟେ କୁହାଯାଇ ଥାଏ । ଗଣପତି ହିଁ ପରଂବ୍ରହ୍ମ /ପରମାତ୍ମା । ଗଣପତି ହେଉଛନ୍ତି ବିଘ୍ନ ବିନାଶକ, ମହାରାଷ୍ଟ୍ରରେ ଗଣପତି ଉତ୍ସବ ସମୟରେ ଗଣପତି ବାପା ମୋରୀୟା କୁହାଯାଇ ଥାଏ । ମୋରଗ୍ରାମ ମହାରାଷ୍ଟ୍ରର ପୂଜକ ଓ ସ୍ଥାନୀୟ ଲୋକଙ୍କ ମତ ଅନୁସାରେ ଏହି ଶବ୍ଦ ଗଣପତ୍ୟେ ସମ୍ପ୍ରଦାୟର ପ୍ରବର୍ତ୍ତକ ମୋରୟା ଗୋଶାବିଙ୍କୁ ସମ୍ମାନ ଦେବା ପାଇଁ କୁହାଯାଇଥାଏ । ଗଣପତି ତାଙ୍କୁ ଆଶୀର୍ବାଦ ଦେଇଥିଲେ ଓ ସ୍ୱପ୍ନରେ କହିଥିଲେ ଯେ ଯେତେବେଳେ ତାଙ୍କ ନାମ ନିଆଯିବ ସେତେବେଳେ ମୋରୀୟା କୁହାଯିବ। ତେଣୁ ଗଣପତି ବାପା ମୋରିୟା ମଂଗଳମୂର୍ତ୍ତି ମୋରିୟା କୁହାଯାଇ ଥାଏ । 
   ସେହିପରି ଗଣପତି ଗଜାନନଙ୍କ ବାହନ ମୂଷିକ କଥା ସ୍ମରଣୀୟ । ପ୍ରାଚୀନ କାଳରେ ସୁମେରୁ ପର୍ବତରେ ସୋଭାରି ଋଷିଙ୍କର ଏକ ଅତି ମନୋରମ ଆଶ୍ରମ ଥିଲା । ତାଙ୍କର ଅତ୍ୟନ୍ତ ରୂପବତୀ ଓ ପତିବ୍ରତା ପତ୍ନୀ ମଧ୍ୟ ଥିଲେ । ତାଙ୍କର ନାମ ମନୋମୟୀ ଥିଲା । ଦିନେ ଋଷି କାଠ ଆଣିବାକୁ ଜଙ୍ଗଲକୁ ଗଲେ ଓ ମନୋମୟୀ ଘର କାମରେ ଲାଗିଗଲେ । ସେହି ସମୟରେ କୌଞ୍ଚ ନାମକ ଜଣେ ଦୁଷ୍ଟ ଗାନ୍ଧର୍ଭ ସେଠାରେ ପହଞ୍ଚି  ଅନନ୍ୟ ଲାବଣ୍ୟବତୀ ମନୋମୟୀଙ୍କୁ ଦେଖି ବ୍ୟାକୁଳ ହୋଇଉଠିଲା । ଏହା ପରେ କୌଞ୍ଚ ଋଷିପତ୍ନୀଙ୍କ ହାତ ଧରି ପକେଇଲା  । ଋଷିପତ୍ନୀ କାନ୍ଦି କାନ୍ଦି ଥରି ଥରି ତାଙ୍କୁ ଦୟା କରିବାକୁ ଭିକ୍ଷା ମାଗିଲେ । ସେହି ମୁହୂର୍ତ୍ତରେ ସୌଭାରୀ ଋଷି ପହଞ୍ଚିଗଲେ । ସେ ଗାନ୍ଧର୍ଭଙ୍କୁ ଅଭିଶାପ ଦେଇ କହିଲେ, “ତୁମେ ଚୋର ଭଳି ଆସି ମୋ ସହଧର୍ମିଣୀଙ୍କ ହାତକୁ ଧରିପକେଇଛ । ଏହି କାରଣରୁ ତୁମେ ମୂଷା ହୋଇ ପୃଥିବୀର ମାଟି ଭିତରେ ଲୁଚି ରହିବା ସହ ଚୋରି କରି ପେଟ ପୋଷିବ  ।” ଥରି ଥରି ଗାନ୍ଧର୍ଭ ଋଷିଙ୍କୁ ପ୍ରାର୍ଥନା କଲେ, ହେ ଦୟାଳୁ ମୁନିବର, ମୋର ଅବିବେକତା ହେତୁ ମୁଁ ତୁମ ପତ୍ନୀଙ୍କ ହାତକୁ ଛୁଇଁଦେଲି । ମୋତେ କ୍ଷମା କର । ଏହା ପରେ ଋଷି କହିଲେ ଯେ ମୋର ଅଭିଶାପ କେବେ ବୃଥା ହେବ ନାହିଁ  । ଗଣେଶ ପ୍ରତ୍ୟେକ ଯୁଗରେ ବିଭିନ୍ନ ଅବତାର ଗ୍ରହଣ କରିଥାନ୍ତି । ତେଣୁ ତୁମେ ଦ୍ୱାପର ଯୁଗରେ ଗଣପତିଦେବ ଗଜମୁଖ ପୁତ୍ର ରୂପରେ ଦେଖାଯିବେ, ସେତେବେଳେ ତୁମେ ତାଙ୍କ ବାହନ ହେବ । ଏହା ପରେ ଦେବତାମାନେ ମଧ୍ୟ ତୁମର ସମ୍ମାନ କରିବେ। ଗଣପତି  ଗଜାନନ ବୈଦିକ ଦେବତା ଅଗ୍ରପୂଜ୍ୟ ବିଘ୍ନ ବିନାଶକାରୀ ବିନାୟକ । ସେ ଓଁକାରରୂପୀ, ଅଖିଳ ଜଗତରେ ସେ ଜୀବ ସ୍ୱରୂପ । ସେ ବକ୍ରତୁଣ୍ଡ ଓ ସର୍ବ କାର୍ଯ୍ୟ ସିଦ୍ଧିଦାତା ଗଣେଶ ଭାବରେ ଆରାଧିତ ହୋଇ ଆସୁଛନ୍ତି- ‘ଓଁ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭଃ/ ନିର୍ବିଘ୍ନଂ କୁରୁମେ ଦେବ! ସର୍ବ କାର୍ଯ୍ୟେଷୁ ସର୍ବଦା ।’ ପୁରାଣ ଯୁଗ ପରେ ବୌଦ୍ଧ ମତବାଦରେ ମଧ୍ୟ ଗଣପତି ଶ୍ରେଷ୍ଠ ଦେବତାର ଆସନ ଅଳଙ୍କୃତ କରିଛନ୍ତି । ବୌଦ୍ଧମାନେ ଗଣେଶଙ୍କୁ ପ୍ରଛନ୍ନ ବୁଦ୍ଧ ନାମରେ ନାମିତ କରିଛନ୍ତି । ବୌଦ୍ଧ କିମ୍ବଦନ୍ତୀ ଅନୁଯାୟୀ ଭଗବାନ ବୁଦ୍ଧଙ୍କର ଜନନୀ ମାୟାଦେବୀ ଗୌତମଙ୍କ ଜନ୍ମ ପୂର୍ବରୁ ଶତେ ହସ୍ତୀର ସପ୍ନ ଦେଖିଥିଲେ । ସେହି ଶତେ ହସ୍ତୀ ମସ୍ତକ ସହ ଆରୋଧିତ ଗଣେଶ ମୂର୍ତ୍ତି ହିଁ ପ୍ରଛନ୍ନ ବୁଦ୍ଧ ବୋଲି ଧରାଯାଏ । ବୌଦ୍ଧ ଭିକ୍ଷୁ ଓ ଶ୍ରମଣଗଣ ଦକ୍ଷିଣ ପୂର୍ବ ଏସିଆରେ ଗଣପତି ଉପାସନାର ପ୍ରସାର ଘଟାଇଥିବା କଥା ପୁରାତନ ଗ୍ରନ୍ଥ ଓ ଇତିହାସରୁ ଜଣାପଡେ଼ । ଜାପାନ ଓ ଚାଇନାରେ ଗଣେଶଙ୍କୁ ବିନାୟକ ନାମରେ ଆରାଧନା କରାଯାଏ । ବ୍ରହ୍ମଦେଶରେ ମହାପୀନେ ରୂପେ ଗଣପତି ସୁବିଖ୍ୟାତ ହୋଇଛନ୍ତି  । 
   ଶ୍ରୀଲଙ୍କାରେ ସୁବ୍ରମଣ୍ୟମ ମନ୍ଦିରରେ ସର୍ବସାଧାରଣଙ୍କ ଦ୍ୱାରା ଗଣପତିଙ୍କ ପୂଜାର୍ଚ୍ଚନା ହୋଇଥାଏ । ସେଭଳି ନେପାଳରେ ସିଂହବାହନ ହେରମ୍ବ ଗଣପତି ସର୍ବ ସିଦ୍ଧିଦାତା ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି ।ଉତ୍କଳରେ ଗଣପତିଙ୍କ ପୂଜାର ପରମ୍ପରା ବହୁ ପ୍ରାଚୀନ । ଉତ୍କଳର ଭୌମ ଓ ସୋମ ବଂଶୀ ଶାସନ କାଳରୁ ଏହି ପର୍ବ ପାଳିତ ହେଉଥିବା ଇତିହାସରୁ ଜଣାଯାଏ  । ମହାକବି ଶୂଦ୍ରମୁନି ସାରଳା ଦାସ ‘ମହାଭାରତ’ର ବନ ପର୍ବ ପ୍ରଥମ ଖଣ୍ଡରେ ବ୍ୟାଧିର ମୁକ୍ତି ଦାତା ଭାବରେ ଶ୍ରୀଗଣେଶଙ୍କୁ ଚିତ୍ରିତ କରିଛନ୍ତି  । ତତ୍କାଳୀନ ସମାଜରେ ଗଣପତି ଉପାସନାର ପ୍ରସାର ଘଟି ଶେଷରେ ସାର୍ବଜନୀନ ଉପାସନାରେ ପରିଣତ ହୋଇଛି  । ଫଳତଃ ସମଗ୍ର ଦେଶର ପୁରପଲ୍ଲୀ ସହର ନଗ୍ରରେ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଜନଗଣଙ୍କ ଦ୍ୱାରା ଶ୍ରୀଗଣେଶଙ୍କ ପୂଜା ମହାନନ୍ଦ ଉଲ୍ଲାସରେ ପାଳିତ ହୋଇଆସୁଛି । ପ୍ରଭୁ ଗଜାନନ ବିଘ୍ନ ନାଶକ ଓ ଅଗ୍ରପୂଜ୍ୟ ହୋଇଥିବା ହେତୁ ତାଙ୍କ ପୂଜା ପରେ ଅନ୍ୟ ଦେବଦେବୀଙ୍କ ପୂଜା ବ୍ରତ ବିଧି ମୁତାବକ ପାଳିତ ହୋଇଥାଏ  । ଶ୍ରୀଗଣେଶ ବିଦ୍ୟାଦାତା ଓ ସିଦ୍ଧିଦାତା ରୂପେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପୂଜିତ ହୁଅନ୍ତି । ଛାତ୍ରୀଛାତ୍ରମାନେ ଆପଣାର ବିଘ୍ନ ବିନାଶ ତଥା ସର୍ବ ମଙ୍ଗଳ ନିମିତ୍ତ ପ୍ରଭୁ ବିଘ୍ନ ବିନାଶକାରୀ ପାର୍ବତୀ ନନ୍ଦନ ଶ୍ରୀ ଗଣେଶଙ୍କୁ ପରମ ଭକ୍ତି ସହକାରେ ପୂଜା କରନ୍ତି । ପ୍ରତ୍ୟେକ ମାଙ୍ଗଳିକ ଓ ଶୁଭ କାର୍ଯ୍ୟର ପ୍ରାରମ୍ଭରେ ପୂର୍ଣ୍ଣ କଳସ ସ୍ଥାପନ କରାଯାଇ ଶ୍ରୀଗଣେଶଙ୍କର ଆରାଧନା କରାଯାଏ । ଅନେକ ପୀଠ ମନ୍ଦିରରେ ଗଣେଶ ମୁଖ୍ୟ ଦେବତା ଓ ପାର୍ଶ୍ୱ ଦେବତା ରୂପେ ପୂଜା ପାଉଛନ୍ତି । କେତେକ ମନ୍ଦିରରେ ସ୍ୱତନ୍ତ୍ର ଗଣପତି ପୂଜାର ବିଧି ରହିଛି  । ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥ ଜନ୍ମ ବାସରରେ ସ୍ନାନବେଦିରେ ଗଣପତି ରୂପ ଧାରଣ କରନ୍ତି  । ସିଦ୍ଧ ସାଧକଗଣ ଲେଖନୀରେ ‘ଗଣେଶ ବିଭୂତି’, ‘ଗଣେଶ ଶତନାମ’, ‘ସହସ୍ର ନାମ’ ପ୍ରଭୃତି ରଚନାର ସୃଷ୍ଟି ଘଟିଛି । ଗଣପତି ଗଜାନନଙ୍କୁ ବିଦ୍ୟାଦାତା କୁହାଯାଇଥାଏ । ଏହି ଦୃଷ୍ଟିରୁ  ଗଣପତି ସ୍ତୋତ୍ରମ୍‌ ମନ୍ତ୍ର ପଢିବା ଦ୍ୱାରା ବିଦ୍ୟାର୍ଥୀ ଗଜାନନଙ୍କର କୃପା ଲାଭ କରିପାରିବେ ବୋଲି  ବିଶ୍ୱାସ ରହିଛି - "ପ୍ରଣମ୍ୟ ଶିରସା ଦେବଂ ଗୌରୀପୁତ୍ର ବିନାୟକଂ। ଭକ୍ତାବାସଂ ସ୍ମରେନ୍ନିତ୍ୟାୟୁଷ୍କାମାର୍ଥସିଦ୍ଧୟେ  ।୧ । ପ୍ରଥମଂ ବକ୍ରତୁଣ୍ଡଂ ଚ ଏକଦନ୍ତଂ ଦ୍ୱିତୀୟକମ୍‌ । ତୃତୀୟଂ କୃଷ୍ଣପିଙ୍ଗାକ୍ଷଂ ଗଜବକ୍ତ୍ରଂ ଚତୁର୍ଥକମ୍‌  ।୨ । ଲମ୍ବୋଦରଂ ପଞ୍ଚମଂ ଚ ଷଷ୍ଠଂ ବିକଟମେବ ଚ । ସପ୍ତମଂ ବିଘ୍ନରାଜଂ ଚ ଧୂମ୍ରବର୍ଣ୍ଣ ତଥାଷ୍ଟମମ୍‌  ।୩ । ନବମଂ ଭାଲଚନ୍ଦ୍ରଂ ଚ ଦଶମଂ ତୁ ବିନାୟକମ୍‌ । ଏକାଦଶଂ ଗଣପତିଂ ଦ୍ୱାଦଶଂ ତୁ ଗଜାନନମ୍‌  ।୪ । ଦ୍ୱାଦଶୈତାନି ନାମାନି ତ୍ରିସନ୍ଧ୍ୟଂ ଯଃ ପଠେନ୍ନରଃ । ନ ଚ ବିଘ୍ନଭୟଂ ତସ୍ୟ ସର୍ବସିଦ୍ଧିଶ୍ଚ ଜାୟତେ  ।୫ । ବିଦ୍ୟାର୍ଥୀ ଲଭତେ ବିଦ୍ୟାଂ ଧନାର୍ଥୀ ଲଭତେ ଧନମ୍‌ । ପୁତ୍ରାର୍ଥୀ ଲଭତେ ପୁତ୍ରାନ୍‌ମୋକ୍ଷାର୍ଥୀ ଲଭତେ ଗତିମ୍‌  ।୬ । ଜପେଦ୍‌ ଗଣପତିସ୍ତୋତ୍ରଂ ଷଡ୍ଭିର୍ମାସୈଃ ଫଳଂ ଲଭେତ୍‌ । ସଂବତ୍ସରେଣ ସିଦ୍ଧିଂ ଚ ଲଭତେ ନାତ୍ର ସଂଶୟଃ  ।୭  ।ଅଷ୍ଟାଭ୍‌ୟୋ ବ୍ରାହ୍ମଣେଭ୍ୟଶ୍ଚ ଲିଖିତ୍ୱା ଯଃ ସମର୍ପୟେତ୍‌  । ତସ୍ୟ ବିଦ୍ୟା ଭବେତ୍ସର୍ବା ଗଣେଶସ୍ୟ ପ୍ରସାଦତଃ " ...!!!


 ଅଧ୍ୟକ୍ଷ , ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ, ମୋ: ୯୦୪୦୧୫୧୪ ୭୫