ଅଟକିଛି ଆପ୍ରୋଚ ରୋଡ଼ : ଦୁଃଖ ପାଲଟିଛି ପଣ୍ଡୁଆ ସେତୁ

 ସିଂହପୁର : ବର୍ଷ ପରେ ବର୍ଷ ବିତିଯାଉଛି । କିନ୍ତୁ ହେଇ ପାରୁନି ଆପ୍ରୋଚ ରୋଡ଼ । ଫଳରେ ନଈପାରି ଲୋକେ ବିପଦ ସଂକୁଳ ଅବସ୍ଥାରେ ନଙ୍ଗାରେ ନଦୀ ପାରି ହେଉଛନ୍ତି । ବିଞ୍ଝାରପୁର ଥାନା ତଥା ବରୀ ବ୍ଲକ ଅନ୍ତର୍ଗତ ଅଙ୍ଗାଳୋ ସ୍ଥିତ ପଣ୍ଡୁଆ ସେତୁ ଏବେ ଲୋକଙ୍କ ପାଇଁ ଦୁଖ ପାଲଟିଛି । ଗମନାଗମନ କ୍ଷେତ୍ରରେ ସୁବିଧା ପାଇଁ ୨୦୧୭ ମସିହାରେ ପଣ୍ଡୁଆ ନଦୀ ଉପରେ ଏହି ସେତୁ ନିର୍ମାଣ କରାଯାଇଥିବା ବେଳେ ଏବେ ଏହା ଲୋକଙ୍କ କାମରେ ଆସୁନାହିଁ । ସେତୁର କଷ୍ଟ୍ରକସନ କାର୍ଯ୍ୟ ଏକ ପ୍ରକାର ଶେଷ ହୋଇଥିଲେ ମଧ୍ୟ ଉଭୟ ପାଶ୍ୱର ଆପ୍ରୋଚ ରୋଡ ନଥିବାରୁ ଏହା ଲୋକଙ୍କ କାମରେ ଆସୁନାହିଁ । ଲୋକେ ବର୍ଷ ବର୍ଷ ଧରି ଯେମିତି ବିପଦ ସଙ୍କୁଳ ଅବସ୍ଥାରେ ଡଙ୍ଗା ସାହାର୍ଯ୍ୟରେ ନଦୀ ପାରହୋଇ  ଯାତାୟତ କରୁଥିଲେ ଏବେ ମଧ୍ୟ ଠିକ ସେମିତି ପିଲା ଛୁଆ, ଗାଡି ମଟର ଧରି ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହୋଇ ଯାତାୟତ କରୁଛନ୍ତି । ଏହି ସେତୁ କାର୍ଯ୍ୟ ସମ୍ପୁର୍ଣ୍ଣ ହେଲେ ବିରଜା କ୍ଷେତ୍ର ଓ ତୁଳସୀ କ୍ଷେତ୍ରକୁ ଗମନା ଗମନ କ୍ଷେତ୍ରରେ ବିଶେଷ ସୁବିଧା ହୋଇପାରିବ । ଦୁଇ ଐତିହ୍ୟ କ୍ଷେତ୍ର ମଧ୍ୟରେ ଗମନା ଗମନରେ ବାଧକ ସାଜିଥିବା ଏହି ସେତୁ କେବଳ ଆପ୍ରୋଚ ରୋଡ ପାଇଁ ଅଧାପନ୍ତରିଆ ହୋଇ ପଡିରହିଛି । ଅଙ୍ଗାଳୋ, ଢିହବାରିଙ୍ଗି, ମଧୂସୁଦନପୁର, ରଣପୁର, କଣ୍ଟିପୁର, ବୋଇତାଳୁ ପାଟଣା, କୂଳସାହି ଆଦି ଅଞ୍ଚଳର ହଜାର ହଜାର ଲୋକଙ୍କ ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପୋଲକାର୍ଯ୍ୟ ଶେଷ କରିବାକୁ ଅଞ୍ଚଳବାସୀ ବାରମ୍ବାର ଦାବି କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଲୋକଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉନାହଁନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ବଢି ଚାଲିଛି । ନୂଆ ସରକାର ଆସିବା ପରେ ମଧ୍ୟ ଲୋକଙ୍କ ସମସ୍ୟା ପ୍ରତି ପ୍ରଶାସନିକ ଅଧିକାରୀମାନଙ୍କ ଉଦାସିନ ମନୋଭାବ ସରକାରଙ୍କ ବିକଳ ଚିତ୍ରକୁ ପଦାରେ ପକାଉଛି । ଏହି ପୋଲ କାର୍ଯ୍ୟ ତୁରନ୍ତ ଶେଷ କରି ଗମନା ଗମନ କ୍ଷେତ୍ରକୁ ସୁଦୃଢ କରିବାକୁ ଦାବି କରାଯାଉଛି ।