ଅନିୟମିତତାର ଗନ୍ତାଘର ପାଲଟିଛି ଫତେପୁର ଆରଆଇ ଅଫିସ୍ : ଅଧିକାଂଶ ସମୟରେ ତାଲା, ମନମାନିରେ କାର୍ଯ୍ୟ କରୁଛନ୍ତି କର୍ମଚାରୀ
ସିଂହପୁର: ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଲୋକମାନେ ପ୍ରଶାସନ ଠାରୁ ଉପଯୁକ୍ତ ସହଯୋଗ ଓ ସହାୟତା ପାଇପାରିବେ ବୋଲି ଆଶା କରାଯାଉଥିଲା । ମାତ୍ର କେତେକ ଅସାଧୁ ଓ ମୁନାଫାଖୋର ଅଧିକାରୀ ଏବଂ କର୍ମଚାରୀଙ୍କ ଜନ ଶୋଷଣ ମନୋଭାବ ପାଇଁ ନୂତନ ସରକାର ଲୋକପ୍ରିୟ ହେବା ପରିବର୍ତେ ଲୋକହସା ହେଉଥିବା ଦେଖିବାକୁ ମିଳୁଛି । ବିଞ୍ଝାରପୁର ତହସିଲ ଅଧିନରେ କାର୍ଯ୍ୟରତ ଆରଆଇ କିଭଳି ମନମାନି କାର୍ଯ୍ୟ କରିବା ସହିତ ଲୋକଙ୍କୁ ଶୋଷଣ କରି ସରକାରଙ୍କ ଯୋଜନାକୁ ବାଟବଣା କରିବାକୁ ମସୁଧା କରୁଛନ୍ତି ତାହା ଏହି ତହସିଲ ଅଧିନସ୍ତ ଫତେପୁର ଆରଆଇ କାର୍ଯ୍ୟାଳୟରେ ଚାଲିଥିବା ବ୍ୟାପକ ଅନିୟମିତତାହିଁ ସ୍ପଷ୍ଠ କରୁଛି । ଗାଁ ଗହଳିର ମହିଳା, ଛାତ୍ରଛାତ୍ରୀ, ବୟସ୍କ ଦୁରଦୁରାନ୍ତକୁ ଯାଇ ଆରଆଇ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟ କରୁଥିବାରୁ ନାହିଁନଥିବା ହଇରାଣର ସମ୍ମୁଖିନ ହେଉଥିଲେ । ଏଭଳି ସମସ୍ୟାକୁ ଦୃଷ୍ଠିରେ ରଖି ପୂର୍ବର ବିଜେଡି ସରକାର ସମୟରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପ୍ରଚେଷ୍ଠାରେ ବିଞ୍ଝାରପୁର ତହସିଲ ଅଧିନରେ କେତେକ ନୂତନ ଆରଆଇ ସର୍କଲ ସ୍ୃଷ୍ଠି କରାଯାଇଥିଲା । ଏଥିମଧ୍ୟରୁ ଫତେପୁର ମଧ୍ୟ ନୂତନ ଆରଆଇ ସର୍କଲ ଭାବେ ଘୋଷଣା କରାଯାଇଥିଲା । ଏଠାରେ ନୂତନ ଆରଆଇ ନିଯୁକ୍ତ ହୋଇ ଏବେ ଅସ୍ଥାୟୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି ସତ କିନ୍ତୁ କାର୍ଯ୍ୟାଳୟରେ ଅଧିକାଂଶ ସମୟରେ ତାଲା ଝୁଲୁଛି । ଆରଆଇ ନିଜ ମନଇଚ୍ଛା କାର୍ଯ୍ୟାଳକୁ ଆସୁଛନ୍ତି ଓ ଯାଉଛନ୍ତି । ପଚାରିଲେ ଫିଲ୍ଡିରେ ଅଛି ବୋଲି କହି କଥାକୁ ଏଡାଇ ଦେଉଛନ୍ତି । ଏହାବ୍ୟତିତ ଏହି ଆରଆଇ କାର୍ଯ୍ୟାଳୟ ଅଧିନରେ ଅନେକ ବେଆଇନ ଜମିଜମା ନଥିପତ୍ର ପ୍ରସ୍ତୁତ ହେଉଛି ବୋଲି ମଧ୍ୟ ସଙ୍ଗିନ ଅଭିଯୋଗ ଆସୁଛି । ବିଭିନ୍ନ କାର୍ଯ୍ୟ ଆଳ ଦେଖାଇ ଆରଆଇ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଆବେଦନ କରୁଥିବା ଜାତୀଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଆଦିକୁ ବିଳମ୍ବ କରି ରିପୋର୍ଟ ପ୍ରଦାନ କରି ଛାତ୍ରଛାତ୍ରୀଙ୍କୁ ହଇରାଣ କରୁଥିବା ଭଳି ସଙ୍ଗିନ ଅଭିଯୋଗ ଆରଆଇଙ୍କ ବିରୁଦ୍ଧରେ ଆସିଛି । କେବଳ ଏତିକି ନିହେଁ ଫତେପୁର ଆରଆଇ ସର୍କଲ ମଧ୍ୟରେ ଅନେକ ସ୍ଥାନରେ ବେଆଇନ ଭାବେ ଇଟା ଭାଟି, ମାଟି ଉଠାଣ ଚାଲିଥିବା ବେଳେ ଆରଆଇ ମାଫିଆ ମାନଙ୍କ ଠାରୁ ପଣି ନେଇ ଚୁପ ବସିଥିବା ମଧ୍ୟ ଅଭିଯୋଗ ହେଉଛି ।
ଏହି ଆରଆଇ ସର୍କଲ ଅଧିନରେ ପୁଳାପୁଳା ସରକାରୀ ଅନାବାଦୀ, ଗୋଚର ଜମିକୁ ମୁଷ୍ଟିମେୟ ମାନେ ଜବରଦଖଲ କରିଥିବା ବେଳେ ଆରଆଇ ଏହି ଜମି ଗୁଡିକୁ ଚିହ୍ନଟ କରିବା ପରିବର୍ତେ ବରଂ ମୁଷ୍ଟିମେୟ ମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ମଧ୍ୟ ଅଭିଯୋଗ ଆସୁଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏଥିନେଇ ଭାରପ୍ରାପ୍ତ ତହସିଲଦାରଙ୍କ ଦୃଷ୍ଠି ଆକର୍ଷଣ କରାଯାଇଛି । ତେବେ ଆରଆଇଙ୍କ ଏଭଳି ମନମାନି ବିରୁଦ୍ଧରେ ଜନଅସନ୍ତୋଷ ଧିରେ ଧିରେ ତିବ୍ର ହେବାରେ ଲାଗିଛି ।