ଅଲାରନାଥ ମନ୍ଦିରରେ ଖୋଲିବ ଅସ୍ଥାୟୀ ଫିଡ୍ବ୍ୟାକ୍ ସେଣ୍ଟର 

 ପୁରୀ : ଆସନ୍ତା ମାସ ୧୧ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା । ପ୍ରତ୍ୟହ ରତ୍ନସିଂହାସନରେ ମହାପ୍ରଭୁ ମନ୍ତ୍ରସ୍ନାନ କରୁଥିବା ବେଳେ, ବର୍ଷକର ଏହି ଦିନ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ୧୦୮ଗଡ଼ୁ ଜଳସ୍ନାନ କରିବେ । ସ୍ନାନଯାତ୍ରା ପରଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ମହାପ୍ରଭୁ ଜୋରାକ୍ରାନ୍ତ ହୋଇ ଅନବସରରେ ରହିବେ । ଦଇତାପତି ଓ ପତି ମହାପାତ୍ର ମହାପ୍ରଭୁଙ୍କ ଆରୋଗ୍ୟ ପାଇଁ ବିଭିନ୍ନ ଉପଚାର କରିବେ । ଅନବସର ସମୟରେ ବ୍ରହ୍ମଗିରି ସ୍ଥିତ ଅଲାରନାଥ ଦେବଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନର ସମଫଳ ମିଳିଥାଏ ବୋଲି ଲୋକାଚାର ରହିଛି । ତେଣୁ ଏହି ୧୪ଦିନ ଧରି ଅଲାରନାଥ ମନ୍ଦିରକୁ ଭକ୍ତମାନଙ୍କ ସ୍ରୋତ ଛୁଟିବ । ପ୍ରତିବର୍ଷ ଭଳି ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଳା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ଏସ୍.ପି ବିନିତ ଅଗ୍ରୱାଲ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଅଲାରନାଥ ମନ୍ଦିର ପରିଦର୍ଶନରେ ଯାଇ ପୋଲିସ ପକ୍ଷରୁ କିଭଳି ବ୍ୟବସ୍ଥା ଗ୍ରହଣ କରାଯିବ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ସୁଚାରୁ ରୂପେ ସମ୍ପର୍ଣ୍ଣ ହେବ ସେ ସମ୍ପର୍କରେ ଅନୁଧ୍ୟାନ କରିବା ସହ ଅଲାରନାଥଙ୍କ ସେବାୟତମାନଙ୍କୁ ବିଭିନ୍ନ ବିଷୟରେ ପରାମର୍ଶ ଦେଇଛନ୍ତି । ଭକ୍ତମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ଅତିରିକ୍ତ ପୋଲିସ ବଳ ନିଯୁକ୍ତ କରାଯିବ । ବିଦୁ୍ୟତ୍ ଲାଇନ୍ ବ୍ୟବସ୍ଥା, ବ୍ୟାରିକେଡ଼ିଂ ଓ ଦିଗ ନିଦେ୍ର୍ଦଶକ ସାଇନ୍ ବୋର୍ଡ଼ ସହିତ ଭିଡ଼କୁ ଶାନ୍ତିପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରାଯିବ । ବ୍ରହ୍ମଗିରିକୁ ଯାଉଥିବା ଏବଂ ବ୍ରହ୍ମଗିରିରୁ ଫେରୁଥିବା ରାସ୍ତାରେ ପାର୍କିଂ, ଡ଼ାଇଭର୍ସନ ଓ ୱାନ ୱେ ବ୍ୟବସ୍ଥା କରାଯିବ । ଯାନବାହନ ନିୟନ୍ତ୍ରଣ ପାଇଁ ପ୍ରତି ଛକ ସ୍ଥାନମାନଙ୍କରେ ପୋଲିସ ମୁତୟନ ରହିବେ । ମନ୍ଦିରର ସେବାୟତମାନେ ସ୍ଥାନୀୟ ପ୍ରଶାସନ ସହ କିଭଳି ସମନ୍ୱୟ ରକ୍ଷା କରି ନୀତିକାନ୍ତି ସହ ପ୍ରସାଦ ସେବନର ବ୍ୟବସ୍ଥା କରିବେ ସେ ସମ୍ପର୍କରେ ଜିଲ୍ଲାପାଳ ସେବାୟତଙ୍କୁ ପରାମର୍ଶ ଦେଇଥିଲେ । ପ୍ରଥମ ଥର ପାଇଁ ଅଲାରନାଥ ମନ୍ଦିରରେ ଫିଡ଼ବ୍ୟାକ୍ ସେଣ୍ଟର କରାଯିବ ବୋଲି ଏସ୍ପି ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି । ଏହି ସେଣ୍ଟର ଦ୍ୱାରା ଭକ୍ତମାନେ ନିଜର ଅନୁଭୂତି ରେଜିଷ୍ଟରରେ ଉଲ୍ଲେଖ କରିପାରିବେ ଏବଂ ଆଗକୁ କିଭଳି ଉନ୍ନତମାନର କାର୍ଯ୍ୟ କରାଯାଇପାରିବ ତା ଉପରେ ମତାମତ ଦେଇପାରିବେ । କ’ଣ ଅସୁବିଧା ରହୁଛି ସେଥିପାଇଁ କି ପଦକ୍ଷେପ ନିଆଯିବା ଆବଶ୍ୟକ ସେ ସଂପର୍କରେ ମଧ୍ୟ ସଚେତନ କରାଇପାରିବେ । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଏସ୍.ପି ସୁଶୀଲ କୁମାର ମିଶ୍ର, ଦେବପ୍ରତାପ, ସୌମ୍ୟରଂଜନ ମାଲିକ, ବ୍ରହ୍ମଗିରି ତହସିଲଦାର, ବିଡିଓ, ସଦର ଏସ୍ଡିପିଓ ରବିନାରାୟଣ ଭଞ୍ଜ, ବ୍ରହ୍ମଗିରି ଥାନାଧିକାରୀ ପ୍ରଜ୍ଞା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।