ଅଶାନ୍ତିର କାରଣ
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନରେ ପ୍ରାୟ ଅଶାନ୍ତିର କାରଣ ଆମେ କେମିତି ନିେଜେ, ସେନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଜୀବନର ପ୍ରାୟ ପରିସ୍ଥିତିରେ ନିଜ ଅଶାନ୍ତିର କାରଣ ଆମେ ନିଜେ ଓ ନିଜ ମନ, ଆଉ କେହି ନୁହଁ । ହେଲେ ଆମେ ସେତକ ବୁଝିପାରିନଥାଉ । ନିଜ ଭିତରେ ହିଁ ଶାନ୍ତି ଅଛି । ନିଜ ମନ ତଳେ, ନିଜ ହୃଦୟରେ ଅଛି । ବାହ୍ୟ ଆବରଣ ଯାହା ସହାୟକ ମାତ୍ର । ବର୍ତ୍ତମାନ ସମୟରେ ଯାହାକୁ ବି ପଚାର ସମସ୍ତେ କହୁଛନ୍ତି ଅଶାନ୍ତିରେ ଅଛନ୍ତି । ବହୁବର୍ଷ ତଳେ ଆମେ ଜେଜେ, ଅଜାମାନେ ଢ଼େର୍ ଶାନ୍ତିରେ ଥିଲେ ବୋଲି କହୁଥିଲେ । ସେ ସମୟ ଏବଂ ଏ ସମୟ ତୁଳନା କଲେ ଆକାଶ-ପାତାଳ ପାର୍ଥକ୍ୟ । ଆମ ଜେଜେବାପାଙ୍କ ସମୟରେ ଗୋଡ଼ରେ ଚପଲ ନଥିଲା । ରାସ୍ତାରେ ମୋରମ କି ଗେଟି ନଥିଲା । ଗାଡ଼ ନଥିଲା କି ଉଡ଼ାଜାହାଜ ବି ନଥିଲା । ତଥାପି ସେମାନେ ଶାନ୍ତିରେ ଥିଲେ ବୋଲି କହୁଥିଲେ । ବର୍ତ୍ତମାନ ଆମ ପାଖରେ ଯେତିକି ଦରକାର ଆବଶ୍ୟକତା ଠାରୁ ଶହେ ଗୁଣା ଅଧିକ ଅଛି । ରୋଜଗାର ବି ବଢ଼ିଛି । ଗାଡ଼ିଘୋଡ଼ା ଅଛି, ରୋଜଗାର ଅଛି, ହାଟ ବଜାରରେ ଚାହିଁବା ମାତ୍ରକେ ଜିନିଷ ଅଛି । ତଥାପି ଶାନ୍ତି ନାହିଁ । ଏ ଅଶାନ୍ତିର ମୂଳ କଣ । ଶାନ୍ତି ଓ ଅଶାନ୍ତି-ଏ ଦୁଇଟି ଯାକ ଆପେକ୍ଷିକ ଶବ୍ଦ । ଆମେ ଆମ ପାଇଁ ଯାହାକୁ ଅଶାନ୍ତି କହୁଛୁ ହୁଏତ ଆଉ କାହା ପାଇଁ ତାହା ଆବଶ୍ୟକତା ହୋଇପାରେ । ଯାହାକି ଶାନ୍ତି ଆଣି ଦେବ । ତେଣୁ ଜଣଙ୍କ ପାଇଁ ଯଦି ଅଶାନ୍ତି ଆଉ ଜଣଙ୍କ ପାଇଁ ତାହା ଶାନ୍ତି ।
କହିବାକୁ ଗଲେ ଆମେ ବର୍ତ୍ତମାନ ଏଭଳି ଏକ ସମୟରେ ଗତିଶୀଳ ବା ସଂସାର ପ୍ରବହମାନ ଯେ ଆମର ଇଚ୍ଛାର ସୀମା ନାହିଁ । ଗୋଟିଏ ଇଚ୍ଛା ପୂରଣ ହେଲେ ଆଉ ଗୋଟିଏ ଇଛା ଆପଣା ଛାଏଁ ସୃଷ୍ଟି ହେଉଛି । ତେଣୁ ଶାନ୍ତି ଆସିବ କେଉଁଠୁ? ମଣିଷ ଯେତେ କମ୍ରେ ଚଳିବ ତାହା ନିକଟକୁ ସେତେ ଅଧିକ ଶାନ୍ତି ଆସିବ ବା ପ୍ରାପ୍ତ ହେବ । ଏଥିପାଇଁ ବୁଦ୍ଧ କହିଥିଲେ "କାମନାର ବିନାଶ ହିଁ ଦୁଃଖର ବିନାଶ ।' ଅର୍ଥାତ୍ ସର୍ବନିମ୍ନ ଆବଶ୍ୟକତା ହିଁ ଶାନ୍ତିର ଜୀବନ । ହଉ ଆଜ୍ଞା, ଆଜି ପାଇଁ ତାହା ହେଲେ ଏତିକିରେ ରହୁଛି । ଆପଣ ଭଲରେ ଥାଆନ୍ତୁ, ନମସ୍କାର ।