ଆଇଆଇଟିର ୧୭ ତମ ପ୍ରତିଷ୍ଠା ଦିବସ : ଭାରତର ଯୁବବର୍ଗ କ୍ୟାରିୟର ନୁହେଁ ଦେଶ ଗଢୁଛନ୍ତି: ରାଜ୍ୟପାଳ

 ଜଟଣୀ/ଭୁବନେଶ୍ୱର : ଆଜି ଅରଗୁଳସ୍ଥିତ ଆଇଆଇଟି ଭୁବନେଶ୍ୱରର ୧୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଯୋଗ ଦେଇଥିଲେ । ସେ ତାଙ୍କ ଅଭିଭାଷଣରେ କହିଥିଲେ କି, ବର୍ତ୍ତମାନ ସମୟରେ ଭାରତର ଯୁବବର୍ଗ କେବଳ ନିଜର କ୍ୟାରିୟର ଗଢୁନାହାନ୍ତି, ବରଂ ଦେଶ ଗଢୁଛନ୍ତି । ଛାତ୍ରଛାତ୍ରୀ-ତଥା-ଫାକଲ୍ଟିମାନଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଦ୍ରୁତ ପରିବର୍ତନଶୀଳ ବିଶ୍ୱରେ ଭାରତର ଯୁବକମାନେ ପରିବର୍ତ୍ତନର ଅଗ୍ରଭାଗରେ ରହିଛନ୍ତି ଏବଂ ନବସୃଜନ ଓ ଷ୍ଟାଟ୍ଅପ୍ ଇକୋସିଷ୍ଟମ, ୟୁନିକର୍ଣ୍ଣ ସୃଷ୍ଟି ଏବଂ ଲକ୍ଷ ଲକ୍ଷ ନୂଆ ସୁଯୋଗ ସୃଷ୍ଟି କ୍ଷେତ୍ରରେ ଭାରତ ବିଶ୍ୱର ୩ଟି ଶ୍ରେଷ୍ଠ ଦେଶ ମଧ୍ୟରେ ପରିଗଣିତ ହେଉଛି । ସଂପ୍ରତି ଭାରତର ଯୁବ ବର୍ଗ ଚାକିରି ନଖୋଜି ଚାକିରିଦାତା ହେଉଛନ୍ତି । ଯୁବକମାନଙ୍କ ଉପରେ ଦେଶର ପ୍ରଗାଢ ଆସ୍ଥା ରହିଛି ଏବଂ ଆଇଆଇଟିଆନ୍ମାନେ ଦୃଢ ବିଶ୍ୱାସ, ସାହସ ଓ ସମ୍ବେଦନଶୀଳତାର ସହ ଦେଶ ଗଠନରେ ଅଗ୍ରଣୀ ଭୂମିକା ନିଭାଇବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଥିଲେ । ଏତଦ୍ବ୍ୟତୀତ ଆଇଆଇଟିଆନ୍ମାନେ ବାସ୍ତବବାଦୀ ଆଶା ଆକାଂକ୍ଷା ଓ ଚିନ୍ତାଧାରା ସହିତ ଆଗକୁ ବଢ଼ିବା, ଲୋକମାନଙ୍କର ଅସ୍ଥାକୁ ସମ୍ମାନ ଜଣାଇବା, ନବସୃଜନ ଚିନ୍ତାଧାରା ସଂପନ୍ନ ହେବା ଏବଂ ଜ୍ଞାନ ସୃଷ୍ଟି କରି ତା'ର ସକରାତ୍ମକ ରୂପାନ୍ତରଣ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ୨୦୦୮ ମସିହାରେ ପ୍ରତିଷ୍ଠିତ ହେବା ପରଠାରୁ ଭୁବନେଶ୍ୱର ଆଇଆଇଟିର ଉଲ୍ଲେଖନୀୟ ଅଗ୍ରଗତିକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ଏହାକୁ ବିଶ୍ୱସ୍ତରୀୟ ଉକôର୍ଷ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ରାଜ୍ୟପାଳ ଛାତ୍ରଛାତ୍ରୀ, ଫାକଲ୍ଟି ଓ କର୍ମଚାରୀମାନଙ୍କୁ ଆହ୍ୱାନ ଜଣାଇଥିଲେ । ପ୍ରାରମ୍ଭରେ ଭୁବନେଶ୍ୱର ଆଇଆଇଟିର ନିଦେ୍ର୍ଦଶକ ଶ୍ରୀପଦ କରମଲ୍କର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କ୍ୟାମ୍ପସର ପ୍ରତିଷ୍ଠା ଓ ଅଗ୍ରଗତି, ଶିକ୍ଷାଦାନ, ଗବେଷଣା, ଶିଳ୍ପ ଶିକ୍ଷା, ଉଦ୍ୟୋଗ ବିକାଶ ଇତ୍ୟାଦି ସଂପର୍କରେ ଆଲୋକପାତ କରିଥିଲେ । ଡିନ୍ ପ୍ରଫେସର ରାଜେଶ୍ ରୋଶନ ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରେ ରାଜ୍ୟପାଳ ଆଇଆଇଟି ଭୁବନେଶ୍ୱରର କ୍ୟାମ୍ପସ୍ ପରିଦର୍ଶନ କରିଥିଲେ । ପ୍ରଫେସର ମିହିର ପଣ୍ଡିତ, ଡିନ୍ (ଅଧ୍ୟାପକ) ଏବଂ ପ୍ରତିଷ୍ଠାନର ରେଜିଷ୍ଟ୍ରାର ବାମଦେବ ଆଚାର୍ଯ୍ୟ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଅବସରରେ ଏହାର ବାର୍ଷିକ ସାଂସ୍କୃତିକ ଏବଂ ଟେକ୍ନୋପ୍ରେନୁ୍ୟରସିପ୍ ଫେଷ୍ଟର ପ୍ରଥମ ସଂସ୍କରଣ, "ପ୍ରବାହ'ର ଶୁଭାରମ୍ଭ କରାଯାଇଥିଲା । ଯାହାର ବିଷୟବସ୍ତୁ "ସୋଲିଷ୍ଟ୍ରା ନୋଭାରିଅନ୍' ନବସୃଜନ ଏବଂ ପରିବର୍ତ୍ତନର ପ୍ରତୀକ ଅଟେ ।