ଡା.ଶୁଭଶ୍ରୀ ମିଶ୍ର :
ଜୀବନ ଓ ଜୀବନାନନ୍ଦ କହିଲେ ପାରମ୍ପରିକ ଭାବଧାରାର ସ୍ୱାମୀ ସନ୍ତାନ ସନ୍ତତି ଓ ପରିବାର । ତେବେ ବର୍ତ୍ତମାନର ସମୟକୁ ଦେଖିଲେ ଏହି ପରମ୍ପରାର ଆବହମାନ କାଳ ଧରି ଗଢ଼ି ଆସିଥିବା ଭାବଧାରା ଅନେକ ମହିଳାଙ୍କ ପାଇଁ ହେଉଛି ପୁରୁଣାକାଳିଆ ସେମାନେ ନିଜ କ୍ୟାରିୟର, ସ୍ୱାଧୀନତା, ବୃତ୍ତିଗତ ଜୀବନ ଓ ଖୋଲା ସୁଖ ସୌଚ୍ଛନ୍ଦ୍ୟଭରା ଜୀବନ ଡ଼େଣାରେ ନିଜ ଇଛାରେ ବଞ୍ଚôବା ପାଇଁ ବେଶି ପସନ୍ଦ କରୁଛନ୍ତି । ସେମାନଙ୍କ ଚିନ୍ତାଧାରାରେ ସନ୍ତାନସନ୍ତତି ଜନ୍ମ ଭଗବାନଙ୍କ ବରଦାନ ନୁହଁ ବଦଳରେ ଏହା ଏକ ବୋଝ । ଆମ ଭାରତରେ ମହିଳା ପ୍ରଜନନ ହାରର ଗ୍ରାଫ ଦ୍ରୁତ ଭାବେ ତଳମୁହାଁ । ଦିନଥିଲା ବୋଧେ ଚାଳିଶ ବର୍ଷ ତଳର କଥା ଜାପାନ, ତୁର୍କୀ, କୋରିଆ, ଚାଇନା ଓ ଥାଇଲ୍ୟାଣ୍ଡ ପରି ଦେଶ ନିଜ ଦେଶର ଜନସଂଖ୍ୟାକୁ ନେଇ ବ୍ୟତିବ୍ୟସ୍ତ ହୋଇପଡ଼ି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଅନେକ ସରକାରୀ ଓ ପ୍ରୋତ୍ସାହନ ମୂଳକ ଯୋଜନା ହାତକୁ ନେଇଥିଲେ । ଭାରତର ସବୁଠାରୁ ଜନବହୁଳ ରାଷ୍ଟ୍ର ଭାରତର ଜନସଂଖ୍ୟା ହେଉଛି ୧୪୬.୩୯ କୋଟି । ଜାତିସଂଘର ଏକ ତଥ୍ୟ ଭିତ୍ତିକ ରିପୋର୍ଟ ଅନୁଯାୟୀ ୨୦୨୫ ଶେଷ ସୁଦ୍ଧା ଭାରତର ଜନସଂଖ୍ୟା ହେବ ବିଶ୍ୱର ସର୍ବୋଚ୍ଚ ଭାବେ ୧୪୬.୮୯ କୋଟି । ତେବେ ଜାତିସଂଘର ରିପୋର୍ଟ ଯାହା ଦର୍ଶାଇଛି ଯେ ପ୍ରକୃତ ସଙ୍କଟ ଅତିରିକ୍ତ ଜନସଂଖ୍ୟା ନୁହେଁ ବରଂ କୋଟି କୋଟି ପୁରୁଷ ଓ ନାରୀ ନିଜ ନିଜର ଚାହିଦା ଅନୁସାରେ ସନ୍ତାନ ଧାରଣ କରିପାରିନାହାଁନ୍ତି ଯାହାକୁ ‘ଦି ରିୟଲ ଫର୍ଟିଲିଟି କ୍ରାଏସିସ’୍ ବା ବାସ୍ତବ ପ୍ରଜନନ ସଙ୍କଟ କୁହାଯାଏ । ୨୦୨୫ର ଏକ ସରକାରୀ ତଥ୍ୟର ପରିସଂଖ୍ୟାନ କହୁଛି ୦-୧୪ ବର୍ଷ ବୟସ୍କଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୪ ପ୍ରତିଶତ । ସେହିପରି ୧୦-୧୯ ବର୍ଷ ବୟସ୍କଙ୍କ ସଂଖ୍ୟା ୧୭ ପ୍ରତିଶତ ଓ ୧୦-୨୬ ବର୍ଷ ବୟସ୍କଙ୍କ ସଂଖ୍ୟା ୨୬ ପ୍ରତିଶତ ।
ଆଜିକାଲିର ସମୟକୁ ଦେଖିଲେ ନିକଟରେ ଏକ ଆନ୍ତର୍ଜାତିକ ଗବେଷଣା ସଂସ୍ଥାର ତଥ୍ୟ ମୁତାବକ ନିଃସନ୍ତାନ ରହିବା ଦ୍ୱାରା ଆର୍ଥôକ ସ୍ୱାଧୀନତା ପ୍ରାପ୍ତ ହୋଇଥାଏ ବୋଲି ଅନେକ ଦମ୍ପତି ମତ ରଖିଛନ୍ତି । ବିଶ୍ୱର ଅଧିକାଂଶ ପିତାମାତା ପ୍ରତ୍ୟେକ ଶିଶୁଙ୍କର ଜନ୍ମ ଠାରୁ ୧୮ ବର୍ଷ ପର୍ଯ୍ୟନ୍ତ ପହଞ୍ଚôବା ପର୍ଯ୍ୟନ୍ତ ପାଖାପାଖି ୨୪୦,୦୦୦ ଡଲାର ଖର୍ଚ୍ଚ କରନ୍ତି । ତେବେ ବିଶ୍ୱବିଖ୍ୟାତ ପତ୍ରିକା "ଲାନସେଟ'ର ତଥ୍ୟ ଅନ୍ୟ କିଛି ସୂଚାଉଛି । ବୟସ ବଢ଼ିବା ସହ ପୁରୁଷ ପ୍ରଜନନ କ୍ଷମତା କମିଥାଏ । ସେହିପରି ବିଳମ୍ବରେ ଘର ସଂସାର କରିବା କିମ୍ବା ବିଳମ୍ବରେ ପିଲାପିଲି ପାଇଁ ଉଦ୍ୟମ କରିବା ଏକ ପ୍ରମୁଖ କାରଣ । ବଦଳୁଥିବା ଜୀବନଶୈଳୀ ପ୍ରଜନନ କ୍ଷମତାକୁ କମାଉ ଥିବାବେଳେ ଜୀବନ ଯାପନ ଶୈଳୀ ଓ ପରିବେଶର ପରିପାଶ୍ୱର୍ିକ କାରଣ ପ୍ରଜନନ କ୍ଷମତା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରଖିଥାଏ । ଏହିପରି ଏକ ଆଲୋଚନା କଲାବେଳେ ବିଶ୍ୱର ଅନ୍ୟତମ ଅଭିବୃଦ୍ଧି ସମ୍ପନ୍ନ ଦେଶ ଜାପାନ କଥା ଚିନ୍ତା କରାଯାଉ । ଖୋଦ ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯେଉଁ ରିପୋର୍ଟ ପ୍ରକାଶ କରିଛି, ୨୦୨୪ ମସିହାରେ ୭,୨୦,୯୮୮ ଶିଶୁ ଜନ୍ମ ହୋଇଛନ୍ତି । ଜାପାନରେ ପ୍ରଥମଥର ଏହି ପ୍ରବଣତା ୧୮୯୯ ମସିହାରେ ଲକ୍ଷ୍ୟ କରାଯାଇଥିଲା । ଏହାର ବଡ଼ କାରଣ ହେଉଛି ଲୋକମାନଙ୍କ ଭିତରେ ସନ୍ତାନ ଜନ୍ମ କରିବାର ଆଗ୍ରହ ରହୁନି । ଏପରି ଏକତ୍ର ବାସ କରୁଥିଲେ ମଧ୍ୟ ଏକ ପ୍ରକାର ସର୍ତ୍ତ ରଖୁଛନ୍ତି ଯେ କେହି କାହା ଉପରେ ପିଲା ଜନ୍ମ କରିବା ପ୍ରସଙ୍ଗକୁ ନେଇ ଚାପ ସୃଷ୍ଟି କରିବ ନାହିଁ । ସୂଚନାଥାଉକି ଜାପାନ ସରକାର ଶିଶୁ ଯତ୍ନ ନୀତି ପ୍ୟାକେଜ ଆରମ୍ଭ କରି ମଧ୍ୟ ଜନ୍ମହାର ଉତ୍ସାହ ଜନକ ନୁହେଁ ।
ଜେନ ଜି (ଜେଡ଼) ଓ ମିଲେନିଆଲଙ୍କ ମଧ୍ୟରେ ପ୍ରତି ଚାରି ଜଣଙ୍କ ଭିତରୁ ଜଣେ ସନ୍ତାନ ଜନ୍ମ କରିବା ପ୍ରତି ଅନାଗ୍ରହ ପ୍ରକାଶ କରୁଛନ୍ତି । ପୂର୍ବ ତୁଳନାରେ ପରିବାରର ଆକାର କମିଯାଉଛି । ଯୌଥ ପରିବାର ପରିବର୍ତ୍ତେ ଏକକ ପରିବାରର ପ୍ରଚଳନ ବଢ଼ୁଛି । ଅଧିକାଂଶ ଜେନ ଜି ଓ ମିଳେ ନିଆଲ୍ସ ଅନ୍ୟ ମାନଙ୍କ ଅପେକ୍ଷା ନିଜ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ନିଜ ପାଇଁ ଆବଶ୍ୟକୀୟ ସୁବିଧା, ଅୟସ, ଆରାମ ଓ ନିଜ ସୁଖଶାନ୍ତି ତଥା ଉନ୍ନତ ଜୀବନଶୈଳୀ ପାଇଁ ଏମାନେ ସନ୍ତାନ ଜନ୍ମ କରିବାକୁ ଏକ ବୋଝ ଭାବୁଛନ୍ତି । ଏହି କ୍ରମରେ ଡିଙ୍କ ଓ ପେଟ ପ୍ୟାରେଣ୍ଟିଂ ପରି ନୂତନ ଧାରା ସାମିଲ ହେବାରେ ଲାଗିଛି । ଡିଙ୍କ, ଅର୍ଥାତ ‘ଡବଲ ଇନକମ ଆଣ୍ଡ ନୋ କିଡ଼’ । ବୁଝି ପାରିଲେ ତ? ଉଭୟ ପିତାମାତା ରୋଜଗାର କରୁଥିଲେ ମଧ୍ୟ ସେମାନେ ସନ୍ତାନ କରିବାକୁ ରାଜି ନୁହଁ । ଏହା ସେମାନଙ୍କର ନିଜସ୍ୱ ଇଛା । ଆପଣମାନେ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିଲେ କେବେ ନା କେବେ ଏପରି କିଛି କ୍ୟାପସନ ନିହାତି ଭାବରେ ଦେଖିବେ ଯେ "ଫର୍ଟି ଆଣ୍ଡ ମ୍ୟାରେଡ଼ ଷ୍ଟିଲ ନୋ କିଡ଼, ଇଟ୍ସ ଆୱାର ଚଏସ' ଏହାର ଅର୍ଥ ବୁଝାଇବା ଅନାବଶ୍ୟକ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ୪୦ ବର୍ଷର ବିବାହିତ ଦମ୍ପତିଙ୍କ ପାଇଁ ସନ୍ତାନ ଧାରଣ ନକରିବା ସଂପୂର୍ଣ୍ଣ ଭାବରେ ନିଜସ୍ୱ ଇଛା । ଦେଶ ବିଦେଶରେ ବିଭିନ୍ନ ସ୍ଥାନ ବୁଲିବା, ଏକ ସ୍ୱଚ୍ଛଳ ଜୀବନଯାପନ କରିବାରେ ଏହି ପିଢ଼ିର ଦମ୍ପତି ପ୍ରାଥମିକତା ଦେଉଛନ୍ତି । ସ୍ନେହ କରିବା ପାଇଁ କିମ୍ବା ଗେହ୍ଲା କରିବା ପାଇଁ ଏମାନେ ନିଜର ଜୈବିକ ସନ୍ତାନ ପରିବର୍ତ୍ତେ କୌଣସି ପୋଷା ଜୀବଜନ୍ତୁଙ୍କୁ ଆଣି ପାଳିବାକୁ ମଧ୍ୟ ଶ୍ରେୟ ମଣୁଛନ୍ତି । ଆଧୁନିକ ଭାଷାରେ ଏହାକୁ କୁହାଯାଉଛି ପେଟ ପ୍ୟାରେଣ୍ଟିଂ । କୁକୁର, ବିଲେଇ କିମ୍ବା ଅନ୍ୟ ସାଙ୍ଗରେ ବୁଲାଇ ନେବା, ଖୁଆଇ ଦେବା, ଗାଧୋଇ ଦେବା ଏହି ଧାରାରେ ସାମିଲ ହେଉଛି । ଭାରତ ଆଜି ଦୁନିଆରେ ସବୁଠୁ ଜନବହୁଳ ହୋଇସାରିଛି । ତେବେ ଜାଣନ୍ତି କି ଜନସଂଖ୍ୟା ବୃଦ୍ଧି ଯେମିତି କେତେକ ଦେଶ ପାଇଁ ଚିନ୍ତାଜନକ ସେମିତି ଜନସଂଖ୍ୟା ହ୍ରାସ କିଛି ଦେଶ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ତେବେ ମାନବତାର ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଯୌଥ ପରିବାରରେ ପିତାମାତାଙ୍କ ସହ ରହିବା ଦ୍ୱାରା ସନ୍ତାନ ଲାଳନପାଳନର ସହଯୋଗ ରହିଥାଏ । କ୍ୟାରିୟର ଦାୟିତ୍ୱ ଥିଲେ ଯୌଥ ପରିବାରର ମାହୋଲ ଏ କ୍ଷେତ୍ରରେ ସହାୟକ ହୋଇଥାଏ । ସେହିପରି ପୃଥିବୀରେ ଅଚାନକ ଘଟିଥିବା ଜଳବାୟୁର ପରିବର୍ତ୍ତନ ମାନବର ପ୍ରଜନନ କ୍ଷମତାକୁ ପ୍ରଭାବିତ କରୁଛି । ତେଣୁ ସମାଜ ଓ ଜୀବନ ଶୃଙ୍ଖଳକୁ ଚିନ୍ତାକରି ପାରମ୍ପରିକ ପ୍ରଜନନ ବ୍ୟବସ୍ଥାକୁ ସୀମିତ ସନ୍ତାନ ସନ୍ତତିଙ୍କ ଭିତରେ ରହି ଜୀବନକୁ ଆନନ୍ଦମୟ କରିପାରିବେ ।