ଇଲେକ୍ଟ୍ରୋ ହୋମିଓପାଥି ଦାତବ୍ୟ ଚିକିତ୍ସାଳୟ ଉଦ୍ଘାଟିତ

 ସାରସକଣା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସତ୍ସଙ୍ଗ ବିହାର ନିକଟରେ ଏକ ଇଲେକ୍ଟ୍ରୋ ହୋମିଓପାଥି ଦାତବ୍ୟ ଚିକତ୍ସାଳୟ ଉଦ୍ଘାଟିତ ହୋଇଯାଇଛି । ଡକ୍ଟର ସରୋଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ବିଶିଷ୍ଟ ଚିକିତ୍ସକ ତଥା ପୂର୍ବତନ ବିଧାୟକ ବୁଢାନ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଇଲେକ୍ଟ୍ରୋ ହୋମିଓପାଥି ଏକ ନିର୍ଭରଯୋଗ୍ୟ ଚିକିତ୍ସା ବ୍ୟବସ୍ଥା ଓ ଦାତବ୍ୟ ଚିକିତ୍ସାଳୟ ଦ୍ୱାରା ବହୁ ପରିମାଣରେ ମୟୂରଭଞ୍ଜର ଲୋକେ ଉପକୃତ ହୋଇପାରିବେ ବୋଲି ମତ ରଖିଥିଲେ । ଦୟାଲ କ୍ଲିନିକର ମୁଖ୍ୟ ଡାକ୍ତର ଚୂଡ଼ାମଣି ପାତ୍ର ନିଜ ଦୀର୍ଘଦିନର ଇଲେକ୍ଟ୍ରୋ  ହୋମିଓ ଚିକିତ୍ସା ଅନୁଭୂତି ଓ ପରୀକ୍ଷା ବର୍ଣ୍ଣନା କରିବାକୁ ଯାଇ ଏହା ବହୁ ଦୁରାରୋଗ୍ୟ ଭଲ କରିବାରେ ସକ୍ଷମ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ଝାରପୋଖରିଆ ଇଲେକ୍ଟ୍ରୋ ହୋମିଓ କଲେଜର ଅଧ୍ୟକ୍ଷ ଡାକ୍ତର ଫକୀର ଦାସ, ଅଧ୍ୟାପକ ଗୋପାଳ ସାହୁ, ଡାକ୍ତର ମନୋରଞ୍ଜନ ସେନାପତି ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଇଲେକ୍ଟ୍ରୋ  ହୋମିଓ ଡାକ୍ତର ଆସୋସିଏସନର ସମ୍ପାଦକ ଡାକ୍ତର କୁଳବଲ୍ଲବ ପାତ୍ର ଏହି ଦାତବ୍ୟ ଚିକିତ୍ସାଳୟ ପ୍ରତ୍ୟେକ ଦିନ ସକାଳ ସାତଟାରୁ ନଅଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଖୁଲା ରହିବ ବୋଲି ସୂଚନା ଦେଇଥିଲେ ।ଡାକ୍ତର ରାସବିହାରୀ ସେଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡାକ୍ତର ଆଦିକନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।