ଉପରାଷ୍ଟ୍ରପତି ଏବଂ ତାଙ୍କ ସାମ୍ବିଧାନିକ ଦାୟିତ୍ୱ

ଗୋପାଳ ମହାପାତ୍ର: 
ନବନିର୍ବାଚିତ ଉପରାଷ୍ଟ୍ରପତି ଚନ୍ଦ୍ରପୁରମ ମୋନୁସ୍ୱାମୀ ରାଧାକୃଷ୍ଣନ ବା ସି.ପି. ରାଧାକୃଷ୍ଣନଙ୍କ କଥା ଆସିଲେ ଦେଶର ପ୍ରଥମ ଉପରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ କଥା ସ୍ୱତଃ ମନେ ପଡିଯାଏ । ୧୯୫୭ ମସିହା ଅକ୍ଟୋବର ୨୦ ତାରିଖରେ ତାମିଲନାଡୁରେ ଯେତେବେଳେ ସିପି ରାଧାକୃଷ୍ଣନଙ୍କ ଜନ୍ମ ହେଲା ସେତେବେଳେ ତାଙ୍କ ମାତା ପିତା ତାଙ୍କ ନାମ ସହ ରାଧାକୃଷ୍ଣନ ଯୋଡି ଦେଇଥିଲେ ଏଇଥିପାଇଁ ଯେ ତାଙ୍କ ପୁଅ ମଧ୍ୟ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଭଳି ଦିନେ ବଡ଼ଲୋକ ହେବ । ବାପା ମା ଯେଉଁ ଉଦେଶ୍ୟ ନେଇ ନାମକରଣ କରିଥିଲେ ତାହା ୨୦୨୫ ସେପ୍ଟେମ୍ବର ୯ତାରିଖରେ ସିପି ରାଧାକୃଷ୍ଣନ ଉପରାଷ୍ଟ୍ରପତି ହେବା ପରେ ସାକାର ହୋଇଯାଇଛି । ଏନ୍ଡିଏ ଯେତେବେଳେ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କଲା ସେତେବେଳେ ତାଙ୍କ ମାତା ଜାନକୀ ଅମ୍ମାଲ ଏକ ଜାତୀୟସ୍ତରର ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍କାରରେ ନାମ ସହ ରାଧାକୃଷ୍ଣନ ଯୋଡିଥିବାର କାହାଣୀ କହିଥିଲେ । ସିପି ରାଧାକୃଷ୍ଣନ ହେଉଛନ୍ତି ଭାରତ ବର୍ଷର ୧୭ ତମ କିନ୍ତୁ ବ୍ୟକ୍ତି ହିସାବରେ ୧୫ ତମ ଉପରାଷ୍ଟ୍ରପତି । ନିର୍ବାଚିତ ୧୫ ଉପରାଷ୍ଟ୍ରପତିଙ୍କ ମଧ୍ୟରୁ ଡ଼କ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ (୧୯୫୨ ରୁ ୧୯୫୭ ଓ ୧୯୫୭ ରୁ ୧୯୬୨) ଏବଂ ମହମ୍ମଦ ହମଦଆନସାରୀ (୨୦୦୭ ରୁ ୨୦୧୨ ଓ ୨୦୧୨ ରୁ ୨୦୧୭) ଦୁଇ ଦୁଇଥର ଏହି ପଦରେ ରହିଥିଲେ ।
ଉପରାଷ୍ଟ୍ରପତି ଭାବେ ଅଧିଷ୍ଠିତ ହୋଇଥିବା ଭୈରୋସିଂହ ଶେଖାବତ ଏବଂ ଜଗଦୀପ ଧଡ଼ଖଡ଼  ରାଜସ୍ଥାନର ପ୍ରତିନିଧିତ୍ୱ କରୁଥିଲେ । ଦେଶର ୧୫ ଜଣ ଉପରାଷ୍ଟ୍ରପତିଙ୍କ ମଧ୍ୟରୁ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ, ଡକ୍ଟର ଜାକିର ହୁସେନ, ଭିଭିଗିରି, ବିଡି ଜତି, ଏମ୍ ହିଦାୟତୁଲ୍ଲା, ଆର ଭେଙ୍କଟ ରମଣ, ଶଙ୍କର ଦୟାଲ ଶର୍ମା ଏବଂ କେ ଆର ନାରାୟଣନ ମଧ୍ୟ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଉପରାଷ୍ଟ୍ରପତିଙ୍କ ପଦବୀର ସାମ୍ବିଧାନିକ ଦାୟିତ୍ୱର ଅବଧାରଣା ଆମେରିକାର ରାଷ୍ଟ୍ରପତି ଶାସନ ପ୍ରଣାଳୀରୁ ଅଣାଯାଇଛି । ଆମେରିକାରେ ସିନେଟ (ଉଚ୍ଚ ସଦନ)ର ଅଧ୍ୟକ୍ଷ ସେଠାକାର ଉପରାଷ୍ଟ୍ରପତି ହୋଇଥାନ୍ତି । ସେହିଭଳି ଭାରତ ବର୍ଷର ଉଚ୍ଚସଦନ (ରାଜ୍ୟସଭା)ର ସଭାପତି ହୋଇଥାନ୍ତି ଉପରାଷ୍ଟ୍ରପତି । ରାଜ୍ୟସଭାର ସଭାପତି ଭାବେ ତାଙ୍କର ଭୂମିକା ହେଉଛି ରାଜ୍ୟସଭାର ସୁଚାରୁ ରୂପେ ସଂଚାଳନ ଏବଂ ସଦନର ମର୍ଯ୍ୟାଦା ବଜାୟ ରଖିବା । ନିୟମ ଉଲଂଘନ କରୁଥିବା ସଦସ୍ୟ (ରାଜ୍ୟସଭାର ସାଂସଦ)ଙ୍କ ବିରୁଦ୍ଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନର ଅଧିକାର ମଧ୍ୟ ଉପରାଷ୍ଟ୍ରପତିଙ୍କର ରହିଛି । ସଂସଦ ଅଧିବେଶନ ବେଳେ ସାଂସଦ ମାନଙ୍କ ଦ୍ୱାରା ଉପସ୍ଥାପିତ ପ୍ରଶ୍ନ ଉପରେ ନିର୍ଣ୍ଣୟ ନେବା ତଥା ବିଧେୟକ ଏବଂ ପ୍ରସ୍ତାବକୁ ବିସ୍ତୃତ ଯାଞ୍ଚ୍ ପାଇଁ ସମନ୍ୱିତ ସଂସଦୀୟ  ସମିତି ପାଖକୁ ପଠାଇଥାନ୍ତି ଉପରାଷ୍ଟ୍ରପତି । ରାଜ୍ୟସଭାରେ କୌଣସି ପ୍ରସଙ୍ଗରେ ମତଦାନ ବେଳେ ଯଦି ମତ (ଭୋଟ) ସମାନ ହୁଏ ସେ କ୍ଷେତ୍ରରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ଉପରାଷ୍ଟ୍ରପତିଙ୍କର ରହିଛି ।  ରାଷ୍ଟ୍ରପତିଙ୍କ ନିଧନ, ପଦତ୍ୟାଗ ବା ଅନ୍ୟ କୌଣସି କାରଣରୁ ରାଷ୍ଟ୍ରପତି ପଦ ଖାଲି ପଡିଲେ ନୂଆ ରାଷ୍ଟ୍ରପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥାନ୍ତି । ଏଥିସହ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି ବା ତାଙ୍କ ଅସୁସ୍ଥତା ଅଥବା ଅସମର୍ଥତା ସମୟରେ ମଧ୍ୟ ଉପରାଷ୍ଟ୍ରପତି ରାଷ୍ଟ୍ରପତି ଭାବେ କାର୍ଯ୍ୟ ଚଳାଇଥାନ୍ତି । ଭାରତବର୍ଷରେ ଅନେକ ବାର ଉପରାଷ୍ଟ୍ରପତି ରାଷ୍ଟ୍ରପତିଙ୍କ ଦାୟିତ୍ୱ ତୁଲାଇଛନ୍ତି । ଏଥିପାଇଁ ଉପରାଷ୍ଟ୍ରପତି ରାଷ୍ଟ୍ରପତି ପଦର ଶପଥ ଗ୍ରହଣ କରିଥାନ୍ତି । ଏହାର ଉଦାହରଣ ମଧ୍ୟ ରହିଛି । ୧୯୬୦ ମସିହାରେ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ସୋଭିଏତ ସଂଘ ଗସ୍ତ ବେଳେ ଏବଂ ପରବର୍ତ୍ତୀ ସମୟରେ ତାଙ୍କ ଅସୁସ୍ଥତା ବେଳେ ୧୯୬୧ ମସିହାରେ ଉପରାଷ୍ଟ୍ରପତି ଡକ୍ଟର ରାଧାକୃଷ୍ଣନ ରାଷ୍ଟ୍ରପତି ଭାବେ କାର୍ଯ୍ୟ ତୁଲାଇଥିଲେ । ଉପରାଷ୍ଟ୍ରପତି ଡ଼କ୍ଟର ଜାକିର ହୁସେନ ମଧ୍ୟ ରାଷ୍ଟ୍ରପତି ଡକ୍ଟର ରାଧାକୃଷ୍ଣଙ୍କ ଅସୁସ୍ଥତା ଓ ଅନ୍ୟ କାରଣରୁ ଦୁଇଥର ରାଷ୍ଟ୍ରପତି ଦାୟିତ୍ୱ ତୁଲାଇଥିଲେ । ଡକ୍ଟର ହୁସେନଙ୍କ ନିଧନ ପରେ ଉପରାଷ୍ଟ୍ରପତି ଭିଭି ଗିରି ଏବଂ ରାଷ୍ଟ୍ରପତି ଡକ୍ଟର ଫକିରୁଦ୍ଦିନ ଅଲ୍ଲି ଅହମଦଙ୍କ ନିଧନ ପରେ ଉପରାଷ୍ଟ୍ରପତି ବିଡି ଜତି କାର୍ଯ୍ୟବାହୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ । ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହ ଯେତେବେଳେ ଚିକିସôା ପାଇଁ ବିଦେଶ ଯାଇଥିଲେ ସେତେବେଳେ ଉପରାଷ୍ଟ୍ରପତି ହିଦାୟୁତୁଲ୍ଲା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଉପରାଷ୍ଟ୍ରପତି ଯେତେବେଳେ ରାଷ୍ଟ୍ରପତି ଭାବେ କାର୍ଯ୍ୟ ବା ଦାୟିତ୍ୱ ନିଅନ୍ତି ସେତେବେଳେ ସେ ରାଷ୍ଟ୍ରପତିଙ୍କ ସମସ୍ତ ପାଓ୍ୟାର (ଶକ୍ତି)ର ଉପଯୋଗ କରିଥାନ୍ତି । ଉପରାଷ୍ଟ୍ରପତି ଯେତେବେଳେ ରାଷ୍ଟ୍ରପତିଙ୍କ ଦାୟିତ୍ୱରେ ରହନ୍ତି ସେତେବେଳେ ବା ସେହି ଅବଧିରେ ସେ ରାଜ୍ୟ ସଭାର ସଭାପତି ଭାବେ କାର୍ଯ୍ୟ କରିନଥାନ୍ତି । ଏଭଳି ସ୍ଥିତିରେ ରାଜ୍ୟସଭାର ଉପସଭାପତି ରାଜ୍ୟସଭା ସଂଚାଳନ କରିଥାନ୍ତି । ରାଜ୍ୟ ସଭାର କାର୍ଯ୍ୟର ସଂଚାଳନରେ ଉପସଭାପତିଙ୍କ ଭୂମିକା ଏବଂ ଅଧିକାର ସଭାପତିଙ୍କ ସମକକ୍ଷ ଅଟେ । ଉଲ୍ଲେଖନୀୟ ଯେ ଉପରାଷ୍ଟ୍ରପତିଙ୍କୁ ଉପରାଷ୍ଟ୍ରପତି ପଦବୀ ପାଇଁ କୌଣସି ବେତନ ବା ଭତ୍ତା ମିଳିନଥାଏ । ତାଙ୍କୁ ରାଜ୍ୟସଭାର ସଭାପତି ରୂପରେ ହିଁ ବେତନ ମିଳିଥାଏ । କିନ୍ତୁ ଉପରାଷ୍ଟ୍ରପତିଙ୍କୁ ପେନସନ ମିଳିଥାଏ । ୧୯୯୭ ଉପରାଷ୍ଟ୍ରପତି ପେନସନ ଆଇନ ଅନୁସାରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମାପ୍ତି ଅଥବା ସେ ଇସ୍ତଫା ଦେବାପରେ ପେନସନ ମିଳିଥାଏ । କିନ୍ତୁ ଯଦି ଉପରାଷ୍ଟ୍ରପତିଙ୍କୁ ତାଙ୍କ ପଦରୁ ଦୁର୍ବ୍ୟବହାର ବା ଅନ୍ୟ କୌଣସି କାରଣରୁ ହଟାଇ ଦିଆଯାଏ ତେବେ ତାଙ୍କୁ ପେନସନ ବା ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳେନାହିଁ । ଉପରାଷ୍ଟ୍ରପତି ସମ୍ବନ୍ଧୀୟ ପ୍ରାବଧାନ ଉପରେ ସମ୍ବିଧାନ ସଭାରେ ୧୯୪୮ ମସିହା ଡିସେମ୍ବର ୨୮ରେ କୌଣସି ସ୍ପଷ୍ଟ ଆଲୋଚନା ହୋଇନଥିଲା । ସମ୍ବିଧାନର ଅନୁଛେଦ ୫୩ ରେ ଉପରାଷ୍ଟ୍ରପତିଙ୍କୁ ରାଜ୍ୟସଭାର ସଭାପତି କରାଯିବାର ସ୍ଥିର କରାଯାଇଛି । ଏଥିରେ କୁହାଯାଇଛି ଯେ ଉପରାଷ୍ଟ୍ରପତି ଅନ୍ୟ କୌଣସି ଲାଭଜନକ ପଦବୀରେ ରହିପାରିବେ ନାହିଁ । କିନ୍ତୁ ଉପରାଷ୍ଟ୍ରପତି ଯେତେବେଳେ  ରାଷ୍ଟ୍ରପତିଙ୍କ ଦାୟିତ୍ୱରେ ରହିବେ ସେତେବେଳେ ରାଷ୍ଟ୍ରପତିଙ୍କୁ ମିଳୁଥିବା ବେତନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ତାଙ୍କୁ ମିଳିବ । କିନ୍ତୁ ସେତେବେଳେ ରାଜ୍ୟ ସଭାର ସଭାପତି ଭାବେ ପାଉଥିବା ବେତନ ପାଇଁ ସେ ହକ୍ଦାର ହେବେ ନାହିଁ । ସମ୍ବିଧାନର ଅନୁଛେଦ ୬୬ ଅନୁସାରେ ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭାର ସାଂସଦ ମାନେ ଭୋଟ ଦେଇଥାନ୍ତି । ଉପରାଷ୍ଟ୍ରପତି ସଂସଦର ସଦସ୍ୟ କିମ୍ବା କୌଣସି ରାଜ୍ୟର ବିଧାୟକ ହୋଇନଥିବା ଆବଶ୍ୟକ । ଅନ୍ୟପକ୍ଷରେ ଲୋକସଭାର ବାଚସ୍ପତିଙ୍କ ଭଳି ରାଜ୍ୟସଭାର ସଭାପତିଙ୍କୁ ରାଜ୍ୟସଭାର ସାଂସଦ ମାନେ ନିର୍ବାଚନ କରିଥାନ୍ତି ।
ରାମଚନ୍ଦ୍ରପୁର, ରଣପୁର,ମୋ ୯୪୩୮୪୮୫୦୯୪