ଉପ କାରାଗାର ନିର୍ମାଣ ବିବାଦକୁ ନେଇ ବୈଠକ
ଯାଜପୁର ଟାଉନ: ଯାଜପୁର ବ୍ଲକ ଏରବାଙ୍କ ପଞ୍ଚାୟତ ଛତରିଆ ପଡ଼ିଆରେ ନିର୍ମାଣଧିନ ଉପକାରାଗାର ସ୍ଥାନୀୟ ଅଧିବାସୀଙ୍କ ବିରୋଧ ଯୋଗୁଁ ଦୀର୍ଘଦିନ ହେବ କାର୍ଯ୍ୟ ବନ୍ଦରହିଛି । ବିବାଦକୁ ନେଇ ପୁଲିସ ସ୍ଥାନୀୟ ଅଞ୍ଚଳରେ ଏକାଧିକବାର ବୈଠକ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରି ବିଫଳ ହୋଇଛି । ଏହି ପରିପ୍ରେକ୍ଷୀରେ ସଦର ଥାନାରେ ସୋମବାର ଅପରାହ୍ଣରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୀତିକଣ୍ଠ କାନୁନଗୋଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଉପଜିଲାପାଳ ତାପସ ରଞ୍ଜନ ଦେହୁରୀ, ତହସିଲଦାର ରବି ନାରାୟଣ ପାଢ଼ୀ, ଅତିରିକ୍ତ ତହସିଲଦାର ଅଜୟ କୁମାର ପଣ୍ଡା, ଏସ୍ଡିପିଓ ପ୍ରଶାନ୍ତ କୁମାର ମାଝୀ, ସଦର ଥାନାଧିକାରୀ ଦାୟିତ୍ୱରେ ଥିବା ଡିଏସ୍ପି ଶଙ୍କର୍ଷଣ ଦଳେଇ, ପୁଲିସ ହାଉସିଂ ବୋର୍ଡ଼ର ଡେପୁଟୀ ମ୍ୟାନେଜର ସ୍ୱରୂପ ରଞ୍ଜନ ପଟ୍ଟନାୟକ, ଯନ୍ତ୍ରୀ ମାନସ କୁମାର ପାଲ୍, ଏରବାଙ୍କ ସରପଞ୍ଚଙ୍କ ପ୍ରତିନିଧି କୃପାସିନ୍ଧୁ ମଲ୍ଲିକ, ସ୍ଥାନୀୟ ଗ୍ରାମବାସୀ ଶୁଭେନ୍ଦୁ ସାମଲ, ଅଶୋକ କୁମାର ସାହୁ, ଅଜୟ କୁମାର ପଡ଼ିହାରୀ ଉପସ୍ଥିତ ରହି ନିର୍ମାଣରେ ଉପୁଜୁଥିବା ବିବାଦ ସମ୍ପର୍କରେ ଆଲୋଚନା କରିଥିଲେ । ୧୦ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ପୁର୍ନବାର ଆରମ୍ଭ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ପରବର୍ତୀ ପର୍ଯ୍ୟାୟରେ ସ୍ଥାନୀୟ ଅଞ୍ଚଳରେ ବୈଠକ ମାଧ୍ୟମରେ ବିସ୍ତୃତ ଆଲୋଚନା କରାଯାଇ ନିର୍ମାଣ କାର୍ଯ୍ୟ ଯେପରି ସୁରୁଖୁରୁରେ ଚାଲୁ ରହିବ ସେ ନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କାନୁନଗୋ ସୂଚନା ଦେଇଥିଲେ ।