ଐତିହାସିକ ପାଇକ ବିଦ୍ରୋହ
ବାଦଲ ଭୂୟାଁ : ପାଇକପୁଅର ବୀରତ୍ୱର ଗାଥା କିଏ ବା ନ ଜାଣେ । ଇତିହାସର ପୃଷ୍ଠା ଓଲଟାଇ ଯଦି ଆମେ ଦେଖିବା ନିଶ୍ଚେ ଜାଣିବାକୁ ପାଇବା ଯେ କେତେ କେତେ ଓଡ଼ିଆ ପାଇକ ପୁଅ ପରାଧୀନ ଭାରତକୁ ଇଂରେଜମାନଙ୍କ ଅଧୀନରୁ ମୁକ୍ତ କରିବା ପାଇଁ ହସି ହସି ପ୍ରାଣ ବଳି ଦେଇଯାଇଛନ୍ତି । ୧୮୫୭ରେ ହୁଏତ ଭାରତର ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ପଡ଼ିଥିଲା । କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଏହାର ୪୦ବର୍ଷ ପୂର୍ବରୁ ଓଡ଼ିଶାରେ ଗୋଟିଏ ଛୋଟ ବିଦ୍ରୋହ ହୋଇଥିଲା ଯାହାକୁ ୧୮୫୭ର ବିରାଟ ପାଇକ ବିଦ୍ରୋହକୁ ପ୍ରାରମ୍ଭ କରିଥିଲା । ଏହି ବିଦ୍ରୋହରେ ଓଡ଼ିଆ ପାଇକ ପୁଅ ନିଜ ଛାତିଚିରି ଲେଖି ଦେଇଥିଲା ତା ବୀରତ୍ୱର ଗାଥା । ଆଉ ଖାସ୍ ଏଥିପାଇଁ ୧୮୫୭ ବିଦ୍ରୋହରେ ଓଡ଼ିଶା ତଥା ଭାରତର ଇତିହାସରେ ଖୋର୍ଦ୍ଧାର ସ୍ଥାନ ସ୍ୱତନ୍ତ୍ର ରହିଆସିଛି । ଆଉ ଓଡ଼ିଆ ପାଇକ ପୁଅ ଓଡ଼ିଶାର ବୀରତ୍ୱର ଯେଉଁ ପରାକାଷ୍ଠା ପ୍ରର୍ଦଶନ କରିଥିଲା ତାହାକୁ ୨୦୩ ବର୍ଷ ପୂର୍ତ୍ତି ହୋଇଛି । ବୀରତ୍ୱର ବ୍ୟଞ୍ଜନ ସାମରିକ ଚିତ୍ରର ରୂପାୟନଗୁଡ଼ିକ ସାହିତ୍ୟ କଳା, ଶିଳ୍ପ, ଭାସ୍କର୍ଯ୍ୟ, ଗୀତ, ଦଣ୍ଡନାଚ, ନୃତ୍ୟ, ପାଇକ ନୃତ୍ୟ, ନାଗାନୃତ୍ୟ, ଲୋକଗୀତ ପ୍ରଭୃତି ସମୃଦ୍ଧଶାଳୀ ପ୍ରାଚୀନ ପରମ୍ପରାର ଉଜ୍ଜ୍ୱଳ ଝଲକ । ବିଭିନ୍ନ ରାଜବଂଶର ଶାସନକାଳରେ ଏହି ବିଶାଳ ସାମ୍ରାଜ୍ୟର କେନ୍ଦ୍ରସ୍ଥଳ ରହିଥିଲା ଖୋର୍ଦ୍ଧା । ଓଡ଼ିଶାର ଅଙ୍ଗ କଳିଙ୍ଗ, କଙ୍ଗୋ, ଉଡ୍ର, ଉକ୍ରଳ, ତୋଷାଳୀର ହୃତ୍ପିଣ୍ଡ ରହିଥିଲା ଖୋର୍ଦ୍ଧା । ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧାଗଡ଼ ସାମରିକ ସ୍ଥାପତ୍ୟ କଳାର ଉତୁଙ୍ଗ ପରିପ୍ରକାଶ ।
୧୮୧୭ରୁ ୧୮୧୮ ମଧ୍ୟରେ ଓଡ଼ିଶାର ଖୋର୍ଦ୍ଧାଗଡ଼ରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ରଙ୍କ ନେତୃତ୍ୱରେ ପାଇକମାନଙ୍କର ଯେଉଁ ଆଲୋଡ଼ନ ହୋଇଥିଲା ତାହାର ଦୁଇଶହ ବର୍ଷ ପୂର୍ତ୍ତି ହୋଇଯାଇଛି । ଓଡ଼ିଶାରେ ବ୍ରିଟିଶ ଶାସନର ଆରମ୍ଭରେ ଏହି ଆଲୋଡ଼ନର ମୂଳ କାରଣ ରହିଥିଲା, ବ୍ରିଟିଶ ଶାସନର ଅବ୍ୟବସ୍ଥା ଓ ଅଦୂରଦର୍ଶିତା । ଗଞ୍ଜାମର ଘୁମୁସର ଠାରୁ ଆରମ୍ଭ କରି ମହୁରୀ ତଥା ବାଣପୁର ଦେଇ ଖୋର୍ଦ୍ଧା, ପିପିଲି ଓ ପୁରୀ ଅଞ୍ଚଳରେ ଏତେ ବ୍ୟାପକ ହୋଇଗଲା ଯେ, ସାମ୍ରାଜ୍ୟବାଦୀ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ପକ୍ଷରେ ଏହାର ସହସା ଦମନ ଅସମ୍ଭବ ହୋଇପଡ଼ିଥିଲା । ପାଇକ ବିପ୍ଳବରେ ଆଦିକନ୍ଦ ବିଦ୍ୟାଧର, ବିଶ୍ୱନାଥ ହରିଚନ୍ଦନ, ଦୀନବନ୍ଧୁ ସାନ୍ତରା, ପିଣ୍ଡୁକୀ ବାହୁବଳେନ୍ଦ୍ର, କରୁଣାକର ପରମଗୁରୁ, ସାଧୁଚରଣ ମଙ୍ଗରାଜ, ଗୋପାଳ ଛୋଟରାୟ, ପଦ୍ମନାଭ ଛୋଟରାୟ ଏବଂ ଶିବ ନାୟକଙ୍କ ଠାରୁ କୃତ୍ତିବାସ ପାଟ୍ଟଶାଣୀ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଭୋଇବଂଶର ପ୍ରତିଷ୍ଠାତା ରାମଚନ୍ଦ୍ର ଦେବ ଖୋର୍ଦ୍ଧାରେ ନୂତନ ରାଜ୍ୟ ସ୍ଥାପନ କରିବାରୁ ଏହି ସ୍ଥାନର ମହତ୍ତ୍ୱ ପୁନଃ ବିକଶିତ ହେଲା । ବାରବାଟୀରୁ ବରୁଣେଇକୁ ଶାସନ କେନ୍ଦ୍ର ସ୍ଥାନାନ୍ତରିତ ହେଲା । ଖ୍ରୀ.୧୫୬୮ରୁ ଖ୍ରୀ.୧୮୦୪, ଇଂରେଜମାନଙ୍କ ଖୋର୍ଦ୍ଧା ଦୁର୍ଗ ଅଧିକାର ପର୍ଯ୍ୟନ୍ତ ପ୍ରାୟ ୨୩୫ ବର୍ଷ ଓଡ଼ିଆର ଧର୍ମ ସଂସ୍କୃତି ସାହିତ୍ୟ ସଂଗ୍ରାମର ମୁଖ୍ୟକେନ୍ଦ୍ର ରହିଥିଲା ଖୋର୍ଦ୍ଧା ।
ଓଡ଼ିଶାର ବଡ଼ ବିଦ୍ରୋହ ଭାବେ ପରିଚିତ ପାଇକ ବିଦ୍ରୋହ । ଯାହା ୧୮୧୭ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଓଡ଼ିଶାରୁ ବିତାଡ଼ିତ କରିବା ପାଇଁ ଓଡ଼ିଆମାନଙ୍କୁ ସାହାଯ୍ୟ କରିଥିଲା । ବକ୍ସି ଜଗବନ୍ଧୁ ବିଦ୍ୟାଧର ଏହାର ନେତୃତ୍ୱ ନେଇ ତାଙ୍କ ସୈନ୍ୟବାହିନୀ ଦ୍ୱାରା ବ୍ରିଟିଶ ମାନଙ୍କୁ ଆନ୍ଦୋଳନ ଦ୍ୱାରା ଓଡ଼ିଶାରୁ ବିତାଡ଼ିତ କରିବାରେ ସକ୍ଷମ ହୋଇଥିଲେ । ଜଗବନ୍ଧୁଙ୍କ ମନ ମଧ୍ୟରେ ଏହି ଉଗ୍ରରୂପ ବିଦ୍ରୋହ ଭାବ ଜନ୍ମିବା ବେଳକୁ ୧୮୧୭ ଖ୍ରୀଷ୍ଟାବ୍ଦର ମାର୍ଚ୍ଚ ମାସରେ ଘୁମୁସରରୁ ୪୦୦ କନ୍ଧ ଖୋରଧା ରାଜ୍ୟ ମଧ୍ୟରେ ପଶି ବିଦ୍ରୋହ ଆରମ୍ଭ କଲେ । ଏହି କନ୍ଧ ବିଦ୍ରୋହରେ ଶାନ୍ତ ପଡ଼ିଯାଇଥିବା ପ୍ରଜାଙ୍କ ବିଦ୍ରୋହ ହଠାତ୍ ଜଳି ଉଠିଲା ଏବଂ ପାଇକ ନାୟକ ବକ୍ସି ଏହାକୁ ପରମ ସୁଯୋଗ ଜ୍ଞାନକରି ଜୀବନର ଶେଷ ପରୀକ୍ଷା ସ୍ୱରୂପ ଏହି ବିଦ୍ରୋହ ବହ୍ନିରେ ଆପଣାକୁ ଝାସ ଦେଲେ । ବିଗତ ତିନି ଶତବର୍ଷର ପରାଧୀନତା ଓ ନାନା ଅତ୍ୟାଚାର ମଧ୍ୟରେ ପାଇକମାନେ ବହୁ ହୀନବଳ ହୋଇଥିଲେ ମଧ୍ୟ ପ୍ରାଚୀନ ସମରଲିପ୍ସା, ସାହସ ଓ ରଣକୌଶଳ ସେମାନଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ଲୋପ ପାଇନଥିଲା । ଜୈନକା କନ୍ଧ ସର୍ଦ୍ଦାର ଲୋଚନା ଏହି ବିପ୍ଳବରେ ବାଣପୁର ଆଡ଼ୁ ଆଗେଇ ଆସିଥିଲେ । କୁହାଯାଏ, ଏହି କନ୍ଧ ସର୍ଦ୍ଦାର ଲୋଚନା ଦେହରେ ହାତୀର ବଳ, ଛାତିରେ ସିଂହର ସାହସ, ଧନୁର୍ବିଦ୍ୟାରେ ଅସାମାନ୍ୟ ବିଦ୍ୟା ଅର୍ଜନ କରିଥିଲେ । ବାଣପୁର ଭଗ୍ନ ଗିରିଦୁର୍ଗ, ଗଡ଼ ନିଳାଦ୍ରିପ୍ରସାଦ ଓ ନିଜିଗଡ଼ ଅରାଙ୍ଗର ଦୁର୍ଗମ ନିବିଡ଼ ଅରଣ୍ୟ ପରିବେଷ୍ଟିତ ପର୍ବତ ଖୋଲମାନଙ୍କରେ ବିପ୍ଳବୀ ଶିବିର ସ୍ଥାପନ କରାଯାଇଥିଲା ।
ଅରାଙ୍ଗ ନିକଟରେ ଗୋଟିଏ ପାହାଡ଼କୁ ଏବେ ମଧ୍ୟ ଭଣ୍ଡାର ପାହାଡ଼ ବୋଲି କୁହାଯାଏ । ସେହି ପାହାଡ଼ଗର୍ଭସ୍ଥ ଗଭୀର ଅନ୍ଧକାରମୟ ଗୁମ୍ଫା ମଧ୍ୟରେ ଏକ ଅସ୍ତ୍ରାଗାର ଥିଲା । ଲୋଚନା ଓ କୃତ୍ତିବାସ ବିଚାରବିମର୍ଶ କରି ପାହାଡ଼ରେ ଲୁଚି ରହି ଶତ୍ରୁକୁ ବାରମ୍ବାର ଅତିର୍କିତ ଆକ୍ରମଣ କରି ପାରିଥିଲେ । ସୈନ୍ୟମାନେ ଖଣ୍ଡା, ଧନୁଶର, ଏକମୁନା, ତୀକ୍ଷଣମୁନା, ବାଙ୍କଛୁରୀ, ଲାଭ ତୁମ୍ବ ପ୍ରଭୃତି ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ । ଖୋର୍ଦ୍ଧାରେ ଛୋଟ ଛୋଟ ଯୁଦ୍ଧ ବ୍ୟତୀତ ପ୍ରାୟ ୨୫ଟି ଭୟାବହ ଯୁଦ୍ଧ ହୋଇଥିଲା । ବିଭିନ୍ନ ଆଗ୍ନେୟାସ୍ତ୍ରର ପ୍ରୟୋଗ ଦ୍ୱାରା ଶତ୍ରୁକୁ ହଟାଇବା ବ୍ୟବସ୍ଥା ସହ ଖୋର୍ଦ୍ଧାରେ ନନ୍ଦି ବନ୍ଧୁକ ନିର୍ମାଣ କାରଖାନା ମଧ୍ୟ ଥିଲା । ପାଇକ ବିଦ୍ରୋହର ପରିସ୍ଥିତି ଏତେ ଭୟାବହ ରହିଥିଲା ସତ କୌଣସି ପ୍ରାଣହାନି ଘଟିନଥିଲା । ଏହା ଖୋର୍ଦ୍ଧା, ଏବଂ ପୁରୀ ପରେ କଟକ ଜିଲ୍ଲାକୁ ମଧ୍ୟ ପରିବ୍ୟାପ୍ତ ହୋଇଯାଇଥିଲା । କୌଣସି ଜୀବନକୁ ହାରିବା ପରିବର୍ତ୍ତେ ସିପାହୀମାନେ ସକାଳ ୫ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲି ଚାଲି ପୁରୀ ଜିଲ୍ଲାର ବାଳକାଟିରେ ପହଞ୍ôଚବା ପରେ ସେଠାରେ ସେମାନେ ରହଣି କରିଥିଲେ । ସେଠାରେ ରହଣି କରିବା ପରେ ଘୋର ଅନ୍ଧକାର ମଧ୍ୟରେ ପୁଣି ସେମାନେ ପୁଣି ଆକ୍ରମଣର ଶିକାର ହୋଇଥିଲେ । ନିଜର ପ୍ରିୟଜନମାନଙ୍କୁ ହରାଇବା ପରେ ଅନ୍ୟ କାହାର ଜୀବନ ଯିବା ଭୟରେ ସେମାନେ ଉକ୍ତ ସ୍ଥାନ ପରିତ୍ୟାଗ କଲେ । ସେମାନେ ଚାଲି ଚାଲି ଶେଷରେ କଟକରେ ପହଞ୍ôଚବା ବେଳକୁ ସିପାହୀମାନେ ସାଙ୍ଗରେ ନେଇଥିବା ହାତୀ, ଟେଣ୍ଟ ଏବଂ ଜିନିଷପତ୍ର ହରାଇ ସାରିଥିଲେ । ଖୋର୍ଦ୍ଧା ଏବଂ ପିପିଲିରେ ପଛକୁ ଯିବା ପରେ ପିପିଲି ସେନାମୁଖ୍ୟଙ୍କ ସହାୟତାରେ ଗଙ୍ଗପଡ଼ାରେ ବିଦ୍ରୋହୀ ମାନଙ୍କ ସ୍ଥାନ ନିରୂପଣ ପାଇଁ ଚେଷ୍ଟା କରିଥିଲେ । ବରଂ ଶେଷରେ ବିଦ୍ରୋହୀ ମୁଖ୍ୟଙ୍କୁ ଶେଷ କରିବାରେ ସଫଳ ହୋଇଥିଲେ ।
ପାଇକ ବିଦ୍ରୋହର ପ୍ରମୁଖ କାରଣ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ରହିଥିଲା । ଖୋର୍ଦ୍ଧାର ରାଜସ୍ୱ ଆଦାୟ ପାଇଁ ଇଂରେଜ କର୍ମଚାରୀଗଣ ଯେଉଁଭଳି ଅତ୍ୟାଚାର କରିଥିଲେ ସେଥିରେ ରାଜ୍ୟର ବହୁ ପ୍ରଜା ସର୍ବସ୍ୱ ହରାଇ ନିଜ ନିଜର ପୈତୃକ ବାସଭୂମିରୁ ବିତାଡ଼ିତ ହୋଇଥିଲେ । ତାହାର କୁପରିଣତିରେ ରାଜ୍ୟସାରା ଅଶାନ୍ତି ଓ ବିଦ୍ୱେଷ ପରିଲକ୍ଷିତ ହୋଇଥିଲା । ଓଡ଼ିଶା ଅଧିକାର କରିବା ପରେ ଇଂରାଜୀ କମ୍ପାନୀ ଅନେକ ବଙ୍ଗୀୟ ଅମଲା ଶାସନ ପାଇଁ ନିଯୁକ୍ତି କରିଥିଲେ । ଏହି ବଙ୍ଗୀୟ ଅମଲାମାନଙ୍କର ଅତ୍ୟାଚାର ଏବଂ ପ୍ରବଞ୍ଚନାପୂର୍ବକ ଓଡ଼ିଶାରେ ଜମିଦାରୀ କ୍ରୟ ଓ ଲୁଣ୍ଠନ ଖୋର୍ଦ୍ଧା ବିଦ୍ରୋହର ପ୍ରଧାନ କାରଣ । ବକ୍ସି ବିଦ୍ୟାଧର ଏହାକୁ ମୁଖ୍ୟ କାରଣ ରୂପେ ଗ୍ରହଣ ନକରି ପାଇକମାନଙ୍କର କରମୁକ୍ତ ଜମି ଉପରେ ଇଂରେଜୀ କମ୍ପାନୀର ଅନ୍ୟାୟୋଚିତ କର ଆଦାୟ ଏବଂ ସେମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅବିଚାର ମୁଖ୍ୟ କାରଣ ବୋଲି ସୂଚାଇଥିଲେ ।
୧୮୧୭ ମସିହାରେ ଇଂରେଜମାନେ ଗରିଫ କରିଥିବା ବିଦ୍ରୋହୀମାନଙ୍କୁ ଦଣ୍ଡାଦେଶ ପ୍ରଦାନ କରିଥିଲେ । ବିଦ୍ରୋହୀଙ୍କ ମୃତ୍ୟୁ ଏବଂ ଦୀର୍ଘକାଳୀନ କାରାବାସ ଭଳି ଦଣ୍ଡାଦେଶ ଦିଆଯାଇଥିଲା । ୧୮୧୮ ଏବଂ ୧୮୨୬ ମଧ୍ୟରେ କମ୍ପାନୀର ସୈନ୍ୟମାନେ ଖୋର୍ଦ୍ଧା ଜଙ୍ଗଲ ମଧ୍ୟରେ ପୁନର୍ବାର ଅପରେସନ ଆରମ୍ଭ କରିଥିଲେ । ଜୀବିତ ଥିବା ବିଦ୍ରୋହୀମାନଙ୍କୁ ମାରିବା ପାଇଁ ଅନେକ କୌଶଳ ଆପଣେଇ ଥିଲେ ଇଂରେଜମାନେ । ବିଦ୍ରୋହୀଙ୍କ ନେତା ବକ୍ସି ଜଗବନ୍ଧୁ ୧୮୨୫ରେ ବ୍ରିଟିଶମାନଙ୍କ ସମ୍ମୁଖରେ ଆତ୍ମସମର୍ପଣ କରି ୧୮୨୯ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ କଏଦୀ ଭାବେ ରହିଥିଲେ । ବିଦ୍ରୋହର କାରଣ ଜାଣିବା ନିମନ୍ତେ ଇଷ୍ଟ ଇଣ୍ଡିଆ କମ୍ପାନୀ ପକ୍ଷରୁ ଏକ କମିଶନ ଗଠନ କରାଗଲା । କଟକର ନୂତନ ନିଯୁକ୍ତ କମିଶନର ରବର୍ଟ କେରଙ୍କ ନେତୃତ୍ୱରେ ବ୍ରିଟିଶ ସରକାର ପୁନର୍ବାର ବିଦ୍ରୋହ ନ ହେବା ପାଇଁ ପ୍ରୟାସ କରିଥିଲେ । ତାଙ୍କର ଏହି ସବୁ ପଦକ୍ଷେପ ପଛରେ କୌଣସି ଦୃଢ଼ ଇଛାଶକ୍ତି ନଥିବା ପ୍ରତୀୟମାନ ହେଲା । ବ୍ରିଟିଶ ସରକାର ଓଡ଼ିଶାକୁ ମାଡ଼୍ରାସ ପ୍ରେସିଡେନ୍ସି ଏବଂ ବେଙ୍ଗଲ ପ୍ରେସିଡେନ୍ସି ମଧ୍ୟରେ ଏକ ସଂଯୋଗକାରୀ ଭୂମି ଭାବରେ ନଜରରେ ରଖୁଥିଲେ । ବାରମ୍ବାର ଅବହେଳାର ଶିକାର ହୋଇ ସ୍ଥାନୀୟ ବିଦ୍ରୋହର ସମ୍ମୁଖୀନ ହୋଇଥିଲା ଓଡ଼ିଶା । ତାପଙ୍ଗରେ ୧୮୨୭ ଏବଂ ବାଣପୁରରେ ୧୮୩୫ରେ ହୋଇଥିବା ବିଦ୍ରୋହ ଏହାର ଉଦାହରଣ । ଇଷ୍ଟ ଇଣ୍ଡିଆ କମ୍ପାନୀର ଓଡ଼ିଶା ଅର୍ଥନୈତିକ ପଲିସି ଓଡ଼ିଶାର ଦୁଭାର୍ଗ୍ୟର କାରଣ ରହିଥିଲା ।
ସପ୍ତଦଶ ଶତାବ୍ଦୀର ସାମାଜିକ ବ୍ୟବସ୍ଥା ଅନୁଯାୟୀ ଧର୍ମୀୟ ବିଶ୍ୱାସ, ବରୁଣେଇ, ଗଡ଼ଚଣ୍ଡୀ, କଟକଚଣ୍ଡୀ, ଗ୍ରାମଦେବତୀ, ସୋମନାଥ, ଜଗନ୍ନାଥ ପ୍ରଭୃତିଙ୍କ ପୂଜା ଆରାଧନା ବ୍ୟତୀତ ଦଶହରାରେ ଖଣ୍ଡାପୂଜା, ସାମରିକ ଲଢ଼ୁଆ ଜାତିର ବିଧି ବିଧାନ ରହିଛି । ଯୁଦ୍ଧଯାତ୍ରାରେ ଜୟଲାଭ ପାଇଁ ଗ୍ରହ ନକ୍ଷତ୍ର ଶୁଭବେଳା ନିର୍ଣ୍ଣୟରେ ଗଣକ, ଜ୍ୟୋତିଷଙ୍କ ପରାମର୍ଶ ଗ୍ରହଣ କରାଯାଉଥିଲା । ସୈନ୍ୟମାନେ ଷୋଳ ପ୍ରକାର ଅସ୍ତ୍ର ସହ ସାତ ପ୍ରକାର ଅଳଙ୍କାର ପରିଧାନ କରି ଯୁଦ୍ଧଯାତ୍ରାରେ ସାମିଲ ହେଉଥିଲା । ମୋଗଲ ଅତ୍ୟାଚାରକୁ ପ୍ରତିହତ କରିବା ପାଇଁ ପାଇକ ସେନାମାନଙ୍କ ମଧ୍ୟରେ ଅଫୁରନ୍ତ ଶକ୍ତି, ସାହାସ ଓ ଉନ୍ମାଦନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି କରାଯାଉଥିଲା ବୋଲି କୁହାଯାଏ । ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତ ସୈନ୍ୟ ନିର୍ବାଚନ ପରେ ନିଯୁକ୍ତି ମିଳୁଥିଲା । ଯୁଦ୍ଧକୁ ଯିବା ପୂର୍ବରୁ ବୀରାଙ୍ଗନାମାନେ ସୈନ୍ୟମାନଙ୍କୁ ହଳଦିରେ ମାଜଣା କରି ୧୮ଟି ଦୁବ, ୧୮ଟି ମଣ୍ଡାଫୁଲ ସୂତାଗଣ୍ଠି ଦେଇ ଦୁର୍ଗାଙ୍କୁ ପୂଜା କରି ସେମାନଙ୍କ ଡାହାଣ ହାତରେ ବାନ୍ଧି ବନ୍ଦାପନା କରୁଥିଲେ । ଓଲଟ ଚକୁଳି ଓ ମିଠା ଖାଇ ଯୁଦ୍ଧ କରିଗଲେ ବିଜୟୀ ହେବାର ବିଶ୍ୱାସ ଥିଲା । ଏହି ଐତିହାସିକ ବିଦ୍ରୋହ ଉପରେ ଗଭୀର ଗବେଷଣା କରାଗଲେ ଅନେକ ତଥ୍ୟ ଲୋକଲୋଚନକୁ ଆସିବ ଓ ଆମରାଜ୍ୟର ସମୃଦ୍ଧ ଇତିହାସକୁ ବିଶ୍ୱ ଦରବାରରେ ପହଞ୍ଚାଇପାରିବ ।
ମୋ: ୭୪୮୮୯୯୮୫୩୨