ଓଡ଼ିଶାରୁ ୨ କୋଟି ଠକେଇ ; ଉତ୍ତରପ୍ରଦେଶରେ କାରବାର ; ଠକ ଗିରଫ
ଭୁବନେଶ୍ୱର, ୨୧ା୫ : ଓଡ଼ିଶାରୁ ଲୋକଙ୍କ ଠାରୁ ୨ କୋଟି ଚୁନ ଲଗାଇ ଉତ୍ତରପ୍ରଦେଶରେ ମିକ୍ସର ଦୋକାନର ମାର୍କେଟିଂ କରୁଥିବା ଠକ ଗିରଫ । ଅଭିଯୁକ୍ତ ବିମାଳାନନ୍ଦ ଭୂୟାଁ ଦୁବାଇରେ ଦେଢ଼ ବର୍ଷ ଧରି ରହିବା ପରେ ଭାରତ ଫେରି ଆସିଥିଲେ । କିନ୍ତୁ ସେ କୌଣସି ଗୋଟିଏ ସ୍ଥାନରେ ରହୁନଥିଲେ । ପତ୍ନୀଙ୍କଠାରୁ ଅଲଗା ମଧ୍ୟ ରହୁଥିଲେ । ସେହି ସମୟରେ ଇଓଡବ୍ଲୁ୍ୟ ଅଭିଯୁକ୍ତ ସ୍ତ୍ରୀ ରମି ଭୂୟାଁଙ୍କୁ ମୁମ୍ୱାଇରୁ ଗିରଫ କରିଥିଲା ।
ଏମାନେ ଲୋକଙ୍କୁ ପ୍ରଲୋଭ ଦେଖାଇ ଓଡ଼ିଶାରୁ ୨ କୋଟିରୁ ଅଧିକ ଟଙ୍କା ଲୁଟିଥିଲେ । ହେଲେ ଧରା ପଡିଯିବା ଭୟରେ ଛଦ୍ମ ବେଶରେ ଉତ୍ତରପ୍ରଦେଶରେ ଏକ ମିକ୍ସଚର ଦୋକାନରେ ମାର୍କେଟିଂ କାମ କରୁଥିଲା ଏହି ଠକ । ଏ ସମ୍ପର୍କରେ ଜାଣିପାରି ଓଡ଼ିଶା ଇଓଡବ୍ଲୁ୍ୟର ଏକ ଟିମ ଗତ ୧୮ ତାରିଖରେ ଠକକୁ ଗିରଫ କରିବାରେ ସଫଳ ହୋଇଥିଲେ ।
ସୂଚନାଯୋଗ୍ୟଯେ, ବିମାଳାନନ୍ଦ ଓ ତାଙ୍କ ପତ୍ନୀ ରମି ମିଶି କୁଇକ୍ କ୍ଲିକ୍ ଆଡ ମିଡ଼ିଆ ନାମକ ଏକ ସଂସ୍ଥା ଖୋଲିଥିଲେ । ସେହି ସଂସ୍ଥା ମାଧ୍ୟମରେ ଉଭୟ ଓଡ଼ିଶାର ଲୋକଙ୍କୁ ଠକିବା ପାଇଁ ଯୋଜନା କରିଥିଲେ । ପରେ ଏଲଇଡି ଟିଭି କିଣିବା ପାଇଁ ଲୋକଙ୍କୁ ବିଭିନ୍ନ ଅଫର ଦେବା ଆରମ୍ଭ କରିଥିଲେ । ପରେ ଉଭୟ ଦମ୍ପତି ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ରାଉରକେଲା, ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ଠକେଇ କରିବା ଆରମ୍ଭ କରିଦେଇଥିଲେ । କେବଳ ଓଡ଼ିଶା ନୁହେଁ, ଦମ୍ପତି ଛତିଶଗଡ଼ ଶ୍ୟାମନଗର, ରାୟପୁର ଓ ଜଗଦଲପୁରରେ ଅଫିସ ଖୋଲି ମଧ୍ୟ ଠକେଇ କରିଥିଲେ । ୨୦୧୭-୧୮ ମସିହାରେ ୧୦୦ରୁ ଅଧିକ ଲୋକଙ୍କଠାରୁ ଦୁଇ କୋଟିରୁ ଅଧିକ ଟଙ୍କା ଏମାନେ ଠକେଇ କରିଥିଲେ । ହେଲେ କାହାରିକୁ ଦେଉନଥିଲେ ଏଲ୍ଇଡି ଟିଭି । ଏପରିକି ନେଇଥିବା ଟଙ୍କା ମଧ୍ୟ ଫେରାଉ ନଥିଲେ । ଏନେଇ ବିକାଶ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତି ଇଓଡବ୍ଲୁ୍ୟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଇଓଡ଼ବ୍ଲୁ୍ୟ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମାମଲାରେ ଇଡଡ଼ବ୍ଲୁ୍ୟ ତଦନ୍ତ କରୁଥିବା ଜାଣିପାରିଥିଲେ । ପରେ ଅଭିଯୁକ୍ତ ବିମାଳାନନ୍ଦ ଭୂୟାଁ ଓ ତାଙ୍କ ପତ୍ନୀ ରମି ଟଙ୍କା ଧରି କୁଆଡେ ଓଡ଼ିଶା ଛାଡି ଚମ୍ପଟ ମାରିଥିଲେ । ୨୦୨୦ ମସିହା ପର୍ଯ୍ୟନ୍ତ ସେମାନେ ଇଓଡବ୍ଲୁ୍ୟକୁ ଚକମା ଦେଇ ଦେଶର ବିଭିନ୍ନ ସ୍ଥାନରେ ଛଦ୍ମ ବେଶରେ ଘୂରି ବୁଲୁଥିଲେ । ପରବର୍ତ୍ତୀ ସମୟରେ ବିମାଳାନନ୍ଦ ଭୂୟାଁ ଦୁବାଇ ପଳାଇ ଯାଇଥିଲେ । ସେଠାରେ ଏମ୍ପାୟାର୍ ଗ୍ଲୋବାଲ କ୍ୟାପିଟାଲ୍ ନାଁରେ ଗୋଟିଏ କମ୍ପାନୀ ପ୍ରତିଷ୍ଠା ମଧ୍ୟ କରିଥିଲେ । ଦୁବାଇରେ ଦେଢ଼ ବର୍ଷ ଧରି ରହିବା ପରେ ବିମାଳାନନ୍ଦ ଭୂୟାଁ ଭାରତ ଫେରି ଆସିଥିଲେ । କିନ୍ତୁ କୌଣସି ଗୋଟିଏ ସ୍ଥାନରେ ସେ ରହୁନଥିଲେ । ତାହାସହ ପତ୍ନୀଙ୍କଠାରୁ ମଧ୍ୟ ଅଲଗା ରହୁଥିଲେ । ସେହି ସମୟରେ ଇଓଡବ୍ଲୁ୍ୟ ରମିଙ୍କୁ ମୁମ୍ୱାଇରୁ ଗିରଫ କରିଥିଲା । ସେ ଡୁପ୍ଲିକେଟ୍ ଆଧାର କାର୍ଡ କରି ଏକ ରିଏଲିଇଷ୍ଟେ କମ୍ପାନୀରେ କାମ କରୁଥିଲେ । ଗତ ମାର୍ଚ୍ଚ ମାସରେ ଇଓଡବ୍ଲୁ୍ୟ ତାଙ୍କୁ ଗିରଫ କରିଥିଲା । ରମି ଗିରଫ ହେବାପରେ ବିମାଳାନନ୍ଦ ନାଁ ବଦଳାଇ ଲକ୍ଷ୍ମୌ ଇନ୍ଦିରାନଗରରେ ଏକ ସ୍ନାକ୍ସ ଦୋକାନରେ ମାର୍କେଟିଂ କାମ କରୁଥିଲେ । ଏ ସମ୍ପର୍କରେ ଇଓଡବ୍ଲୁ୍ୟ ଜାଣିପାରି ଗତ ୧୮ ତାରିଖରେ ଲକ୍ଷ୍ମୌର ସେହି ସ୍ନାକ୍ସ ଦୋକାନରେ ଚଢ଼ାଉ କରି ବିମାଳାନନ୍ଦ ଭୂୟାଁଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ ସ୍ଥାନୀୟ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ତା'ପରେ ଇଓଡବ୍ଲୁ୍ୟ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ଘଟଣାର ତଦନ୍ତ ଚଳାଉଛି । ଏନେଇ ସୂଚନା ଦେଇଛନ୍ତି ଇଓଡ଼ବ୍ଲୁ୍ୟ ଏସପି ଦିଲ୍ଲୀପ ତ୍ରିପାଠୀ ।