କମୁନି ଡ଼ାଇରିଆ: ୨ଶହ ମେଡ଼ିକାଲରେ ମାରାତ୍ମକ ସ୍ଥିତି ଆଣିପାରେ ଶିଶୁ ଆକ୍ରାନ୍ତ


ବ୍ୟାସନଗରରୁ ଉମାକାନ୍ତ ରାଉତ :    ସ୍ଥିତି ଆୟତ୍ତ ବୋଲି କହୁଛି ପ୍ରଶାସନ । କିନ୍ତୁ ବିରୋଧୀ ଅଣାୟତ୍ତ ବୋଲି ଅଭିଯୋଗ ଆଣିଛନ୍ତି । ଖୋଦ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦାର ପ୍ରାକ୍ତନ ବିଧାୟକ ପ୍ରୀତିରଂଜନ ଘଡ଼ାଇ ଏଭଳି ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ ଆଣି ସିଧାସଳଖ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ କୁମ୍ଭ ନିଦ୍ରାରେ ଶୋଇଛନ୍ତି ବୋଲି କହିଛନ୍ତି । ସୁକିନ୍ଦା ଏବଂ ଦାନଗଦୀ ବ୍ଲକର ସ୍ଥିତିକୁ ଉଦାହରଣ ଭାବେ ନେଇ ପ୍ରୀତି ଜିଲାର ଡ଼ାଇରିଆ ସ୍ଥିତି ଅଣାୟତ୍ତ ବୋଲି କହିଛନ୍ତି । ପ୍ରୀତି ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ୫ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ପ୍ରଶାସନ ଅଣଦେଖା କରୁଥିବାର ଅଭିଯୋଗ ଆଣିଛନ୍ତି । ଏମିତିକି ସୁକିନ୍ଦା ଓ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରିସରକୁ ସଫା ସୁତରା ରଖିବାରେ ପ୍ରଶାସନ ବିଫଳ ହୋଇଥିବା କୂଅ, ପୋଖରୀ ସମେତ ବିଭିନ୍ନ ଜଳ ଉତ୍ସକୁ ବିଶୋଧନ କରାଯାଇ ନଥିବା ବେଳେ ନିଜର ବିଫଳତାକୁ ଲୁଚାଇବାକୁ ଯାଇ ସ୍ୱାସ୍ଥ୍ୟମନ୍ତ୍ରୀ ଖାଦ୍ୟ ବିଷାକ୍ତ ଯୋଗୁ ଝାଡ଼ା ବାନ୍ତି ବ୍ୟାପୁଥିବା ଭଳି ହାଲୁକା ମନ୍ତବ୍ୟ ଦେଇଛନ୍ତି । ହଇଜାର ହଟ ସ୍ପଟ୍ ପାଲଟିଥିବା ତରାଇଲୋ ଗାଁକୁ ଯିବାକୁ ମନ୍ତ୍ରୀ ଭୁଲି ଯାଇଛନ୍ତି ବୋଲି ସେ ଆରୋପ ଲଗାଇଛନ୍ତି । ପ୍ରୀତିଙ୍କ ଅଭିଯୋଗକୁ ରାଜନୀତି ବୋଲି ଶାସକ ଦଳ କହିପାରେ, ହେଲେ ଅଭିଯୋଗରେ ସତ୍ୟତା ଅନେକ ରହିଛି । ଡ଼ାଇରିଆ ଆଜି ନବମ ଦିନରେ ପହଁଚିଥିଲେ ବି ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଉପରେ ରହିଛି । ସରକାରୀ ଭାବେ ଏହି ସଂଖ୍ୟା କମ ବୋଲି ଦର୍ଶାଯାଇଥିବା ବେଳେ ଜିଲାର ବିଭିନ୍ନ ପ୍ରାନ୍ତରେ ଶିଶୁ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହେବା ଘଟଣା ନୁଆ ସମସ୍ୟା ସୃଷ୍ଠି କରିବାର ସମ୍ଭାବନା ସୃଷ୍ଠି କରିଛି । ଶିଶୁ ଡ଼ାଇରିଆରେ ଆକ୍ରାନ୍ତ ଯେ ମାରାତ୍ମକ ସ୍ଥିତି ସୃଷ୍ଠି ନକରିବାର ଆଶଙ୍କା କରାଯାଉଛି । କାହିକି ନା ଶିଶୁଙ୍କୁ ସାଲାଇନ ଦେବା ସମ୍ଭବପର ହେବନି । ଏଣୁ ସେମାନଙ୍କୁ କେବଳ ଔଷଧ ହିଁ ଏକମାତ୍ର ମାଧ୍ୟମ । ଦ୍ୱିତୀୟତ ଶିଶୁଙ୍କ ଯତ୍ନ ନେଉଥିବା ଯେକେହବି ପରବର୍ତ୍ତୀ ସମୟରେ ଆକ୍ରାନ୍ତ ହେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନି । ଏପରିସ୍ଥଳେ ଯଦି ଆକ୍ରାନ୍ତଙ୍କ ସଂଖ୍ୟାବଢେ ତେବେ ତାହା ବ୍ୟାପିବାର ଆଶଙ୍କା ରହିଛି । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏଦିଗରେ ଠୋସ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ତେବେ ଗତଦିନ ଭଳି ଆଜି କେନ୍ଦ୍ରୀୟ ଟିମ୍ ଯାଜପୁର ଜିଲ୍ଲାର ଡାଇରିଆ ପ୍ରବଣ ଅଞ୍ଚଳରେ ଅନୁଧ୍ୟାନ କରିବା ଫେରିଛନ୍ତି ।  ଜିଲ୍ଲାପାଳ  ପି. ଅନ୍ୱେଷା ରେଡ୍ଡୀ ଏବଂ ମେଡିକାଲ କଲେଜର ଡିନ୍ ତଥା ପ୍ରିନ୍ସପାଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ପ୍ରତ୍ୟେକ ଦିନ କେତେ ନୂଆ ସଂକ୍ରମିତ ରୋଗୀ ଆସୁଛନ୍ତି ଏହାର ଅନୁଧ୍ୟାନ କରାଯାଉଛି । ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଟିମ୍ ଦ୍ୱାରା ବିଶୋଧନ କରାଯାଉଛି ଏବଂ ଏହା ମଧ୍ୟ ଆଗକୁ ଚାଲୁ ରହିବ । ଆଶା, ଅଙ୍ଗନୱାଡି କର୍ମୀ, ଏସ.ଏଚ.ଜି, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ଘର ଘର ବୁଲି ଫୁଟା ପାଣି ପିଇବା, ନିୟମିତ ଭାବରେ ସାବୁନ୍ରେ ହାତ ଧୋଇବା, ପୋଖରୀ ପାଣିରେ ନ ଗାଧୋଇବା କିମ୍ବା ପୋଖରୀ ପାଣିକୁ କୌଣସି କାର୍ଯ୍ୟରେ ବ୍ୟବହାର ନକରିବାକୁ ପରାମର୍ଶ ଦେବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜନିତ ପରାମର୍ଶ ଦେଉଛନ୍ତି । ଏହା ସହିତ ଓ ଆର ଏସ, ହାଲୋଜେନ ବଟିକା, ବ୍ଲିଚିଙ୍ଗ ଇତ୍ୟାଦି ଘର ଘର ବଣ୍ଟନ କରାଯାଉଛି । ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ପାନୀୟ ଜଳକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପରାମର୍ଶ ଦିଆଯିବା ସହିତ ଅସ୍ୱାସ୍ଥ୍ୟକର ପରିବେଶରେ ବିକ୍ରୟ ହେଉଥିବା ଖାଦ୍ୟ ଦୋକାନରେ ଚଢ଼ାଉ କରାଯାଉଛି । କେନ୍ଦ୍ରୀୟ ଟିମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ଅନ୍ୟାନ୍ୟ ଡାଇରିଆ ପ୍ରବଣ ଅଞ୍ଚଳ ପରିଦର୍ଶନ କରିବେ ଏବଂ ସ୍ଥିତି ଅନୁଧ୍ୟାନ କରି ତଥ୍ୟ ପ୍ରକାଶ କରିବେ ବୋଲି କହିଥିଲେ । ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ୧୮୫ ନୂଆ ଆଡମିଟ ହୋଇଥିବାବେଳେ ୧୫ ଜଣଙ୍କୁ ରେଫେର କରାଯାଇଛି ଏବଂ ୧୭୨ ଜଣଙ୍କୁ ଡ଼ିସଚାର୍ଜ କରାଯାଇଛି । ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟାନ୍ୟ ଚିକିତ୍ସାଳୟରେ ମୋଟ ୧୯୩ ଜଣ ରୋଗୀ ଚିକିତ୍ସତ ହେଉଛନ୍ତି ବୋଲି କୁହାଯାଇଛି । ହେଲେ ଏଭଳି ରିପୋର୍ଟରେ ଶିଶୁଙ୍କ ସଂଖ୍ୟା କେତେ ଦର୍ଶାଯାଇନି ।