କାରେଗୁଟା ଜଙ୍ଗଲରେ ଲୁଚିଛନ୍ତି ମାଓବାଦୀ

ମାଲକାନଗିରି  : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ଅନ୍ତର୍ଗତ କାରେଗୁଟା ପାହାଡ଼ ଅଞ୍ଚଳରେ ଶତାଧିକ ମାଓବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ଅଞ୍ଚଳରେ ସିଆରପିଏଫ ବାହିନୀ ପକ୍ଷରୁ ହେଲିକ୍ୟାପ୍ଟର ଓ ଡ୍ରୋନ ଯୋଗେ ନଜର ରଖିବା ସହ ତଲାସି ଅଭିଯାନକୁ ଯୋରଦାର କରାଯାଇଛି । ସୂଚନା ଅନୁଯାୟୀ ଛତିଶଗଡ ଓ ତେଲେଙ୍ଗାନା ରାଜ୍ୟର ଶତାଧିକ ମାଓବାଦୀ କାରେଗୁଟା ଜଙ୍ଗଲ ଓ ପାହାଡ ମଧ୍ୟରେ ଲୁଚି ବଡ ଧରଣର ଯୋଜନା କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ମୁଲୁଗୁ ଜିଲ୍ଲାର ଭେଙ୍କଟପୁରମ ଏବଂ ୱାଜେଡୁ ଅଞ୍ଚଳରେ ସୁରକ୍ଷା ବାହିନୀକୁ ପୂର୍ବରୁ ମୁତୟନ କରାଯାଇଛି । ସେହିପରି ତେଲେଙ୍ଗାନା ଏବଂ ଛତିଶଗଡ଼ ରାଜ୍ୟରୁ ପ୍ରାୟ ୧୦,୦୦୦ ଅଧିକ ସୁରକ୍ଷା ବାହିନୀ କାରେଗୁଟା ଠାରେ ନିୟୋଜିତ ହୋଇଛନ୍ତି । ଏହା ସହ ଡ୍ରୋନ ଓ ହେଲିକ୍ୟାପ୍ଟର ଯୋଗେ ଅଞ୍ଚଳ ଉପରେ ନଜର ରଖା ଯାଇଛି । ଯଦି ସୁରକ୍ଷା ବାହିନୀ ଦ୍ୱାରା ଅଞ୍ଚଳରେ ଏନକାଉଣ୍ଟର ହୁଏ ତେବେ ଏହା ଦେଶର ସବୁଠାରୁ ବଡ ଏନକାଉଣ୍ଟର ହେବ ବୋଲି ଅନୁମାନ କରାଯାଉଛି । କାରଣ ଜଙ୍ଗଲ ମଧ୍ୟରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ଥିବା ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖୀ ସିଆରପିଏଫ ଡିଜି ଏବଂ ଅନ୍ୟ ସାଥି ଅଧିକାରୀ କାରେଗୁଟା ପାହାଡ଼ ଅଞ୍ଚଳରେ ପହଞ୍ଚିଛନ୍ତି । ତେବେ ଅଞ୍ଚଳରେ ରହୁଥିବା ଗାଁ ଲୋକେ ଧୂପଦୀପ ଜାଳି ସୁରକ୍ଷା କାମନା କରୁଛନ୍ତି । କରେଗୁଟା ପାହାଡ଼ ଅଞ୍ଚଳରେ ପାଟ୍ରୋଲିଂ ଏବଂ ସର୍ଚ୍ଚ ଅପରେସନ ହେଉଥିବା ସୂଚନା ପାଇବା ପରେ ମାଓବାଦୀଙ୍କ ପିଏଲଜିଏ କମାଣ୍ଡର ହିଡମା ଅନ୍ୟ ନକ୍ସଲ ସାଥିଙ୍କ ସହିତ ଏକ ସୁରକ୍ଷିତ ଅଞ୍ଚଳକୁ ଚାଲିଯାଇଥିବା କୁହାଯାଉଛି ।