କୋମାରେ ସର୍ବବୃହତ ପଣ୍ୟାଗାର ନିର୍ମାଣ
ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ନିକଟରେ ପ୍ରତିଷ୍ଠା ହେବାକୁ ଥିବା ପୂର୍ବ ଭାରତର ସର୍ବବୃହତ ପଣ୍ୟାଗାରର ପରିକଳ୍ପନା ଏବେ କୋମାରେ ଥିବା ଆଶା କରାଯାଉଛି । କେନ୍ଦ୍ର ସରକାରଙ୍କ ସମବାୟ ମନ୍ତ୍ରଣାଳୟର ନିଷ୍ପତ୍ତି କ୍ରମେ ବୈଶିଙ୍ଗା ନିକଟସ୍ଥ ପଣସିଆ ମୌଜାର ପଦାପୁରୁଣିଆ ଠାରେ ୧୦୦୦ ମେଟ୍ରିକ୍ ଟନ୍ ଶସ୍ୟ ମହଜୁଦ କ୍ଷମତା ସମ୍ପନ୍ନ ବହୁମୁଖି ପଣ୍ୟାଗାର ନିର୍ମାଣ ଉଦେ୍ଦଶ୍ୟରେ ରାଜସ୍ୱ ବିଭାଗର ଅଧିକାରୀମାନଙ୍କ ସହ ବେତନଟୀ ତହସିଲଦାର ଏକ ଏକର ଜମି ଚିହ୍ନଟ କରିଥିଲେ । ଏବଂ ଖାତା ନଂ ୬ ଓ ପ୍ଲଟ ନଂ ୮ ରେ ଗୋଚର କିସମର ମୋଟ ୫ ଏକର ଜମି ମଧ୍ୟରୁ ଏହି ୧ଏକର ଜମି ପ୍ରାଥମିକ ପର୍ଯ୍ୟାୟରେ ଅଧିଗ୍ରହଣ କରାଯାଇଛି । ତେବେ ପରବର୍ତ୍ତୀ ସମୟରେ ପ୍ରକଳ୍ପ ସମ୍ପ୍ରସାରଣ ଲାଗି ଆବଶ୍ୟକତା ଅନୁସାରେ ଅଧିକ ଜମି ଅଧିଗ୍ରହଣର ସମ୍ଭାବନା ଥିବା ରାଜସ୍ୱ ବିଭାଗର ଅଧିକାରୀମାନଙ୍କ ସୂତ୍ରରୁ ସୂଚନା ମିଳିଛି । ସମବାୟ ବିଭାଗର ବରିଷ୍ଠ ଅଧିକାରୀ ତୁଷାର କାନ୍ତି ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍କୁ ଜମିର ଦଖଲ ହସ୍ତାନ୍ତର କରାଯାଇଛି । ଏହି ଅବସରରେ ବୈଶିଙ୍ଗା ବୃହତ୍କାର ବହୁମୁଖି ସମବାୟ ସମିତିର ସଭାପତି ଶତୃଘ୍ନ ସିଂ ଓ ଡାଇରେକ୍ଟରମାନେ ଉପସ୍ଥିତ ଥିଲେ । ତେବେ ବର୍ତ୍ତମାନ କେଉଁ ଉଦେ୍ଦଶ୍ୟରେ କ’ଣ ପାଇଁ ଏହାର ପରିକଳ୍ପନା ସ୍ଥାଣୁ ପାଲଟିଯାଇଛି ତାର ହିସାବ କାହାରି ପାଖରେ ନାହିଁ । ତେବେ ଜନୈକ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ନୂଆ ସରକାର ନୂଆ ରୂପରେ କାମ କରିବା ପାଇଁ ଅଳ୍ପ କିଛି ମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ ।