କୋଶମ୍ବ ମହୋତ୍ସବର ଷଷ୍ଠ ସନ୍ଧ୍ୟା

ବାଲେଶ୍ୱର: ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା କୋଶମ୍ବ-୨୦୨୫ ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ବଲିଉଡ ଓ ଓଡ଼ିଆ ସଙ୍ଗୀତ ଜଗତର ଗୋଟିଏ ମଞ୍ଚରେ ସାଂସ୍କୃତିକ ମିଶ୍ରଣର ଏକ ଅଭୂତପୂର୍ବ ଉତ୍ସବ ଦେଖିବାକୁ ମିଳିଥିଲା । ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ପାଲଟିଥିଲେ ସୁପ୍ରସିଦ୍ଧ ଜାତୀୟସ୍ତରୀୟ କଣ୍ଠଶିଳ୍ପୀ ଅନନ୍ୟା ଚକ୍ରବର୍ତୀ ଓ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ ଓ ଉଭୟଙ୍କ ଅନନ୍ୟ ସଙ୍ଗୀତ ପ୍ରଦର୍ଶନୀ ଶୈଳୀ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା । ତସôହିତ ଚିତ୍ତାକର୍ଷକ ଉପସ୍ଥାପନା ସହ ବିଭିନ୍ନ ସ୍ଥାନୀୟ ଦଳ ଓଡିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାରମ୍ପରିକ ଓଡ଼ିଶୀ ନୃତ୍ୟ ଦ୍ୱାରା ପରିବେଷଣ କରିଥିଲେ । ସନ୍ଧ୍ୟାର ସମ୍ମାନିତ ଅତିଥିଭାବେ ଅଧ୍ୟକ୍ଷା ସୁନିତା ବେହେରା, ବାଲେଶ୍ୱର ସଦର ଜୋନ ୨୮ର ଜିଲ୍ଲାପରିଷଦ ସଭ୍ୟ ସଞ୍ଜୟ ସେଠି, ବାଲେଶ୍ୱର ସଦର ଜୋନ୍ ୨୭ର ଜିଲ୍ଲା ପରିଷଦ ସଭ୍ୟା ବନଲତା ସେଠି ଓ ବାଲେଶ୍ୱର ସଦର ଜୋନ ୨୬ର  ଜିଲ୍ଲା ପରିଷଦ ସଭ୍ୟା ସୋନାଲି ବିଶ୍ୱାଳ ଯୋଗଦାନ କରିଥିଲେ । ଏଥି ସହିତ ଜିଲ୍ଲାରେ ଅବସ୍ଥାପିତ ବିଭିନ୍ନ କର୍ପୋରେଟ୍ ହାଉସ୍ର ପଦାଧିକାରୀ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ପ୍ରଦୀପ ପ୍ରଜ୍ୱଳନ ପରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିଶ୍ୱରଞ୍ଜନ ନାୟକ ଉପସ୍ଥିତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।