କ୍ଷୀର-ନୀରର ଭେଦ
ବଳଭଦ୍ର ରଥ : ଛୋଟ କଥାର ବଡ଼ ବିଚାର 'ଅମୃତ ବିନ୍ଦୁ' । 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଭଲଲୋକଙ୍କୁ କେମିତି କେବଳ ଭଲଲୋକ ହିଁ ଜାଣିପାରନ୍ତି ସେନେଇ ସମ୍ୟକ୍ କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ସମାଜରେ ଲୋକଙ୍କୁ ଭଲ ଓ ଖରାପ ଭାବରେ ଦୁଇଟି ଗୋଷ୍ଠୀରେ ବିଭକ୍ତ କରାଯାଏ । ଏହି ଭଲ ଓ ଖରାପ ବ୍ୟକ୍ତିର ସଂଜ୍ଞା ମଧ୍ୟ ସ୍ଥିର ନୁହେଁ । କୌଣସି ଜଣେ ବ୍ୟକ୍ତି କାହାର ବିଚାରରେ ଖରାପ ହୋଇଥିଲେ ଅନ୍ୟ କୌଣସି ଜଣେ ବ୍ୟକ୍ତିର ବିଚାରରେ ଭଲ ହୋଇଥାଏ । ତେଣୁ ଦେଖିବାକୁ ଗଲେ ବ୍ୟକ୍ତିଙ୍କୁ ଭଲ ଓ ଖରାପ ଭାବରେ ବର୍ଣ୍ଣନା କରିବା ଏକ ଆପେକ୍ଷିକ ବିଚାର । ଏହାସତ୍ତେ୍ୱ ସର୍ବୋତ୍ତ ଭାବରେ ଜଣେ ବ୍ୟକ୍ତିକୁ ଭଲ ବା ଖରାପ ବୋଲି ସାମାଜିକ ଭାବରେ ବିବେଚନା କରାଯାଏ । ଭଲ ସ୍ୱାଭାବର ବ୍ୟକ୍ତି ଖରାପ ସ୍ୱଭାବର ବ୍ୟକ୍ତିଙ୍କ ନିକଟରେ ବସି ପାରିବ ନାହିଁ କିମ୍ବା ସେଭଳି ବ୍ୟକ୍ତିମାନଙ୍କ ଗହଣରେ ରହିପାରିବ ନାହିଁ । ଠିକ୍ ସେହିପରି ଖରାପ ସ୍ୱଭାବର ବ୍ୟକ୍ତି ଭଲ ସ୍ୱଭାବର ବ୍ୟକ୍ତିଙ୍କ ଗହଣରେ ରହିପାରିବ ନାହିଁ । ଚୁମ୍ବକ ଲୁହାକୁ ଆକର୍ଷଣ କରିବା ଭଳି ବ୍ୟକ୍ତି ନିଜ ଗୁଣର ସମଧର୍ମୀ ଅନ୍ୟ ବ୍ୟକ୍ତିଙ୍କ ଆଡ଼କୁ ଆକର୍ଷିତ ହୁଏ । ଅନ୍ୟପକ୍ଷରେ ନିଜର ଗୁଣର ବିପରୀତଧର୍ମୀ ଥିବା ବ୍ୟକ୍ତିଙ୍କ ପ୍ରତି ବିମୁଖ ହୋଇପଡେ଼ । କ୍ଷୀର ସହିତ ପାଣି ମିଶି ଯାଇପାରିବ କାରଣ ଉଭୟର ଧର୍ମରେ ବା ଗୁଣରେ କିଛିଟା ସାମଞ୍ଜସ୍ୟ ରହିଛି । ମାତ୍ର ତେଲ ଓ ପାଣି ମିଶିପାରିବ ନାହିଁ । ଉଭୟ ତରଳ ହେଲେ ମଧ୍ୟ ଗୁଣଧର୍ମ ଉଭୟଙ୍କର ସମାନ ନୁହେଁ । ଯଥେଷ୍ଟ ପାର୍ଥକ୍ୟ ରହିଥାଏ ସେମାନଙ୍କ ଗୁଣରେ । ଏହି କାରଣରୁ ତେଲ ଓ ପାଣି ପରସ୍ପର ସହିତ ମିଶିପାରନ୍ତି ନାହିଁ ।
ସମାଜରେ ସମଧର୍ମୀ ଲୋକମାନଙ୍କର ନିଜ ନିଜର ସଙ୍ଗଠନ ଥାଏ । ନକାରାତ୍ମକ ଗୁଣସମ୍ପନ୍ନ ବ୍ୟକ୍ତିମାନେ ଅସାମାଜିକ ବ୍ୟକ୍ତି ଭାବରେ ପରିଗଣିତ ହୁଅନ୍ତି ଏବଂ ସେମାନଙ୍କର ସମଧର୍ମୀ ସଙ୍ଗ ବା ଗୋଷ୍ଠୀ ରହିଥାଏ । ସେହିପରି ପରୋପକାର ଭଳି କାର୍ଯ୍ୟ କରୁଥିବା କିମ୍ବା ସମାଜସେବା କରୁଥିବା ବ୍ୟକ୍ତିମାନେ ସେମାନଙ୍କ ସମଧର୍ମୀ ଲୋକଙ୍କ ସହ ମିଶି ସଙ୍ଗଠନ ତିଆରି କରନ୍ତି । ବିପରୀତଧର୍ମୀ ଗୁଣ ଥିବା ବ୍ୟକ୍ତି ଏକତ୍ର ରହିପାରନ୍ତି ନାହିଁ । ଏକଥା କୁହାଯାଏ ଯେ କ୍ଷୀରରେ ପାଣି ମିଶାଇ ହଂସକୁ ଦେଲେ ହଂସ ଏକମାତ୍ର ପ୍ରାଣୀ ଯିଏକି କ୍ଷୀରକୁ ଗ୍ରହଣ କରି ପାଣିକୁ ଅଲଗା କରିଦିଏ । ଭଲଲୋକଙ୍କୁ କେବଳ ଭଲଲୋକ ହିଁ ଜାଣିପାରନ୍ତି । ସେଇଥିପାଇଁ ସନ୍ଥ କବୀର ଲେଖିଲେ, ""ସାଧୁଜନ ଯେହୁ ହଂସର ପରାୟେ କ୍ଷୀର-ନୀର ଭେଦ ଜାଣେ ।''