ଖଣି ବିଭାଗର ଚଢ଼ଉ, ୨ ବାଲି ବୋଝେଇ ଟ୍ରାକ୍ଟର ଜବତ
ଧାମନଗର: ଧାମନଗର ତହସିଲ ଅଞ୍ଚଳରେ ବିଭିନ୍ନ ନଦି ଓ ନାଳରୁ ବାଲି ଓ ମାଟି ଚୋରା ଚାଲାଣକୁ ରୋକାଯାଇ ପାରୁନାହିଁ । ବାରମ୍ୱାର ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ଖଣି ବିଭାଗ ଓ ତହସିଲ ପକ୍ଷରୁ ଚଡଉ କରାଯାଇଛି । ଗୁରୁବାର ଧାମନଗରରେ ବିଭିନ୍ନ ସ୍ଥାନରେ ଖଣି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ଧାମନଗର କଲେଜ ପାଖରୁ ୨ ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ଧାମନଗର ଥାନା ଜିମା ଦିଆଯାଇଛି । ଚଢ଼ଉ ବେଳେ ବାଲି ଚୋରା ଚାଲାଣ କରୁଥିବା ଆଉ ଗୋଟିଏ ଟ୍ରାକ୍ଟର ଫେରାର ହୋଇଯାଇଛି । ତା ସଂପର୍କରେ ଖଣି ବିଭାଗ କୌଣସି ଟେର ପାଇନାହିଁ । ତେବେ ଜବତ ହୋଇଥିବା ୨ ଟି ଯାକ ଟ୍ରାକ୍ଟରର ନମ୍ବର ନାହିଁ । ଏଣୁ ଏହାର ଇଞ୍ଜିନ ନମ୍ବର ଓ ଡାଲା ନମ୍ବର ଯାଞ୍ଚ କରାଯାଉଛି । ଯାଞ୍ଚ ପରେ ସଂପୃକ୍ତ ଗାଡ଼ି ଉପରେ ଆଇନ ଅନୁଯାୟୀ ଜରିମାନା କରାଯିବ ବୋଲି ଖଣି ବିଭାଗ ଉପନିଦେ୍ର୍ଦଶକ ସନ୍ତୋଷ କୁମାର ଦଳେଇ କହିଛନ୍ତି । ଧାମନଗର ତହସିଲ ଅଧିନ ଆନନ୍ଦପୁର, ସୋହଡ଼ା, ପଧାନି, ଅର୍ଜୁନପୁର ଆଦି ପଞ୍ଚାୟତରେ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଥିବା ଅଭିଯୋଗ ହୋଇଆସୁଛି । ଆନନ୍ଦପୁରର ପଣସମାହାରା, ମାନଲାପୁର ଓ ଉତ୍ତେଇପୁର ଘାଟ, ସୋହଡ଼ାର ଷେଣ୍ଢପୁର ଓ କଣ୍ଟାପାରୀ, ଅର୍ଜୁନପୁରର ବାଲିପାଟଣା, ପଧାନିର ଦଶନ୍ଧିକୂଳ ଠାରେ ବାଲି ଚୋରି ହେଉଛି । ସ୍ଥାନୀୟ ଗାଡ଼ି ମାଲିକମାନେ ରାତିରେ ଡୋଜର ଲଗାଇ ନଦୀ ଗର୍ଭରୁ ବାଲି ଉଠାଉଛନ୍ତି । ସେହି ବାଲିକୁ ଟ୍ରାକ୍ଟର ଓ ଟ୍ରକ ଜରିଆରେ ଚାଲାଣ କରୁଛନ୍ତି । ବୈତରଣୀ ଶଯ୍ୟାରେ ଉପଯୁକ୍ତ ପରିମାଣର ବାଲି ଗଛିତ ନଥିବାରୁ ଖଣି ବିଭାଗ ପକ୍ଷରୁ କୌଣସି ଘାଟ ବା ସୈରାତ ଉସô ନିଲାମ କରାଯାଇନାହିଁ । ଏହାର ସୁଯୋଗ ନେଇ ସ୍ଥାନୀୟ ଗାଡ଼ି ମାଲିକ ମନଇଛା ଏଭଳି ବେଆଇନ ବାଲିଘାଟ ଚଳାଇ ଆସୁଛନ୍ତି । ଏନେଇ ବାରମ୍ବାର ଖବର ପ୍ରକାଶ ପାଉଥିଲେ ବି ଖଣି ବିଭାଗ କର୍ମଚାରୀ ଅଭାବ ଦର୍ଶାଇ ନିରବ ରହି ଆସୁଥିଲା ।
ବାରମ୍ବାର ଦାବି ପରେ ଭଦ୍ରକ ଖଣି ଉପ ନିଦେ୍ର୍ଦଶକ ସନ୍ତୋଷ ଦଳେଇ ଆଜି ଟିମ୍ ଧରି ଧାମନଗର ଅଞ୍ଚଳରେ ଚାଲିଥିବା ବେଆଇନ ବାଲିଘାଟ ଉପରେ ଚଢ଼ଉ କରିବାକୁ ଯାଉଥିଲେ । ରାସ୍ତାରେ ଯିବାବେଳେ ଧାମନଗର କଲେଜ ପାଖରୁ ଦୁଇଟି ବାଲି ଗାଡ଼ିକୁ ଧରିକି ଆଣିଥିଲେ । ଆଗକୁ ମଧ୍ୟ ଏଭଳି ସରପ୍ରାଇଜ ରେଡ୍ କରାଯିବ ବୋଲି ସେ କହିଛନ୍ତି । ଏହାସହ ବେଆଇନ ବାଲିଘାଟ ଉପରେ ବାରମ୍ବାର ଚଢ଼ଉ କରିବାକୁ ଧାମନଗର ତହସିଲଦାର ଦୀପକ ଦାସ ଓ ଧାମନଗର ଥାନା ଅଧିକାରୀ ଫଣୀନ୍ଦ୍ର ଭୂଷଣ ନାଇକଙ୍କୁ ଜଣାଯାଇଛି ବୋଲି ସେ କହିଛନ୍ତି । କେବଳ ଧାମନଗର ନୁହେଁ, ଏହାର ସୀମାକୁ ଲାଗିଥିବା ଭଣ୍ଡାରିପୋଖରୀ ତହସିଲ ଅଧିନ ଷୋଳମପୁର ଓ କୁରିଗାଁ ପଞ୍ଚାୟତରେ ଗେଙ୍ଗୁଟି ନଦୀରୁ ମଧ୍ୟ ବାଲି ଚୋରି ହେଉଛି । ଷେଳମପୁର ପଞ୍ଚାୟତର ଦାଣ୍ଡକୂଳ ପାଖରେ ସ୍ଥାନୀୟ ଗାଡ଼ି ମାଲିକ ବୈତରଣୀ ଓ ଗେଙ୍ଗୁଟିରୁ ବାଲି ଚୋରି କରି ଧାମନଗରର ଆନନ୍ଦପୁର ରାସ୍ତାରେ ବାହାରକୁ ଚାଲାଣ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଚୋରା ବାଲିକୁ ଟୋକା ଯିବ ବୋଲି ଖଣି ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।