ଖୋଲିଲା ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର : ଆତ୍ମନିର୍ଭର ହେବେ ମହିଳା ଓ ଯୁବବର୍ଗ

 ଆନନ୍ଦପୁର: ମହିଳା ଓ ଯୁବ ବର୍ଗଙ୍କୁ ଆତ୍ମନିର୍ଭର ଓ ସ୍ୱାବଲମ୍ବୀ କରିବା ପାଇଁ ଟିପିଏନ୍ଓଡିଏଲ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଜରିଆରେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରୁଛି । ଏହି ପରିପ୍ରେକ୍ଷୀରେ ଟିପିଏନଓଡିଏଲ ପକ୍ଷରୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ତୁରୁମୁଙ୍ଗାରେ ଏହାର ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ରର ଲୋକାର୍ପଣ କରାଯାଇଛି । ଟିପିଏନଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦ୍ୱିଜ ଦାସ ବସାକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମର୍ସିଆଲ ସର୍ଭିସେସ ଓ ସିଏସଆର ମୁଖ୍ୟ ଜୟଦୀପ ରୟ, ସିଏସଆର ମୁଖ୍ୟ ଦିଲ୍ଲୀପ ସାହୁ, କେନ୍ଦୁଝର ଅଧିକ୍ଷଣ ଯନ୍ତ୍ରୀ ରଶ୍ମିକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସିଇଓ ଶ୍ରୀବସାକ ଆଶାୟୀ ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବା ସହ ଟିପିଏନ୍ଓଡିଏଲ୍ ଜାରି ରଖିଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଗାଡି, ଦକ୍ଷତା ବିକାଶ କେନ୍ଦ୍ର ଜରିଆରେ ଯୁବପିଢୀଙ୍କୁ ମାଗଣାରେ ଦିଆଯାଉଥିବା ପ୍ରଶିକ୍ଷଣ ଆଦି ପ୍ରସଙ୍ଗରେ ଆଲୋକପାତ କରିଥିଲେ । ବାର୍ଷିକ ୬ଶହରୁ ଅଧିକ ପ୍ରଶିକ୍ଷାର୍ଥୀ ଟେଲରିଂ ଓ ଏମ୍ବ୍ରୋଡରୀ, କମ୍ପୁ୍ୟଟର, ସ୍ପୋକନ ଇଂରାଜୀ, ମାର୍କେଟିଙ୍ଗ, ସିକୁ୍ୟରିଟି ସେବା ଆଦି ବର୍ଗରେ ମାଗଣାରେ ପ୍ରଶିକ୍ଷଣ ନେଇ ଆତ୍ମନିର୍ଭରଶୀଳ ହୋଇ ପାରିବେ । ଉପଭୋକ୍ତାଙ୍କୁ ବିଦୁ୍ୟତ୍ ସେବା ବିତରଣ ସହ ସାମାଜିକ ଦାୟିତ୍ୱବୋଧତାକୁ ମଧ୍ୟ ଟିପିଏନ୍ଓଡିଏଲ୍ ଅଗ୍ରାଧିକାର ଦେଉଥିବା ଦର୍ଶାଇଥିଲେ । ଟିପିଏନ୍ଓଡିଏଲ୍ ଗୁଣାତ୍ମକ ବିଜୁଳି ସେବା ଯୋଗାଣକୁ ଅଗ୍ରାଧିକାର ଦେବା ସହ ଉପଭୋକ୍ତାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବହୁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଛି । ଶିକ୍ଷାରୁ ବଞ୍ଚôତ ପିଲାଙ୍କୁ ଶିକ୍ଷାଦାନ, ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଶିକ୍ଷଣ, ନିରକ୍ଷର ମହିଳାଙ୍କୁ ଶିକ୍ଷାଦାନ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଗାଡିର ବ୍ୟବସ୍ଥା କରିଛି । ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକରୁ ପ୍ରଶିକ୍ଷଣ ନେଇ ଯୁବବର୍ଗ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀରେ ନିଯୁକ୍ତି ପାଇବାର ସୁଯୋଗ ପାଇଛନ୍ତି । ସେହିଭଳି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଟେଲରିଂ, ବୁ୍ୟଟିସିଆନ ଆଦି ପ୍ରଶିକ୍ଷଣ ଦିଆଯିବା ସହ ଆତ୍ମନିର୍ଭରଶୀଳ କରାଇବା ଦିଗରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି ।