ଚାଷୀଙ୍କ ଦୁଃଖ ବୁଝିଲେ ଉପମୁଖ୍ୟମନ୍ତ୍ରୀ
ନିଆଳି: ନିଆଳି ବ୍ଲକ ଜଲାରପୁର ପଂଚାୟତ ଷୋଳ ମଙ୍ଗା ଗାଁରେ ଉପମୁଖମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ରାଜ୍ୟ ବିଜେପି ପ୍ରବକ୍ତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଲଘୁଚାପ ଜନିତ ବର୍ଷାରେ ଗଜା ହୋଇ ଯାଇଥିବା ଧାନ କ୍ଷେତ ପରିଦର୍ଶନ କରିଛନ୍ତି । ଚାଷୀମାନେ ଉପମୁଖ୍ୟ ମନ୍ତ୍ରୀଙ୍କ ଗୋଡ଼ ତଳେ ପଡି ଗୁହାରି କରି ଧାନ ସହିତ ପାନରେ ପୋକ ଲାଗୁଥିବା ଅଭିଯୋଗ କରିଥିଲେ । ଏ ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂ ସରକାରୀ ସହାୟତା କିଭଳି ଚାଷୀମାନଙ୍କୁ ଯୋଗାଇ ଦିଆଯିବ ସେ ନେଇ ପ୍ରତିଶ୍ରୁତି ଦେଇଥିଲେ । ପରେ ନିଆଳି କୃଷି ବିଭାଗ ମିଟିଙ୍ଗ ହଲରେ କୃଷି, ଉଦ୍ୟାନ, ରାଜସ୍ୱ, ସେବା ସମବାୟ, କଣ୍ଟାପଡା ନିଆଳି ଆତ୍ମାର ଅଧ୍ୟକ୍ଷ, ସ୍ଥାନୀୟ କିଛି ଲୋକ ପ୍ରତିନିଧି ଜିଲ୍ଲାପାଳଙ୍କ ଉପସ୍ଥିତିରେ ଚାଷୀମାନେ କିଭଳି ସହାୟତା ରାଶି ପାଇପାରିବେ ସେ ନେଇ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିଂ ଦେଓ, କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ, ନିଆଳି, ବିଡିଓ ଜଗଦୀଶ ଷଡ଼ଙ୍ଗୀ, ନିଆଳି ତହସିଲଦାର ଲିଲନ ପ୍ରସାଦ ସାହୁ, ଜିଲ୍ଲା କୃଷି ଅଧିକାରୀ, ଉଦ୍ୟାନ ଅଧିକାରୀ, ସମବାୟ ବିଭାଗ ଅଧିକାରୀ ଓ ନିଆଳି ବ୍ଲକର କୃଷି ଉଦ୍ୟାନ ବିଭାଗ ଅଧିକାରିଣୀ ଉପସ୍ଥିତ ରହିଥିଲେ । ଏହା ସମ୍ପୂର୍ଣ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ବି ନିଆଳି ବିଧାୟକ ଛବି ମଲିକ ଅନୁପସ୍ଥିତ ରହିଥିଲେ । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହି ଘଟଣା ସାରା ନିଆଳିରେ ଚର୍ଚ୍ଚାର ବିଷୟ ପାଲଟିଛି ।