ଜନବସତି ନିକଟରେ ଦେଶୀ ମଦ ଦୋକାନ : ମଦୁଆଙ୍କ ପ୍ରାଦୁର୍ଭାବରେ ଭୟଭୀତ ଗ୍ରାମବାସୀ
ବ୍ରହ୍ମବରଦା :ଏହି ଥାନା ଅନ୍ତର୍ଗତ ବ୍ରହ୍ମବରଦା ସାପ୍ତାହିକ ହାଟ ନିକଟରେ ଥିବା ଦେଶୀ ମଦଦୋକାନ ଏବେ ବ୍ରହ୍ମବରଦା ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଜନବସତି ନିକଟରେ ଥିବା ଉକ୍ତ ଦେଶୀ ମଦ ଦୋକାନ ଯୋଗୁ ଦିନକୁ ଦିନ ବ୍ରହ୍ମବରଦା ଅଞ୍ଚଳରେ ମଦୁଆଙ୍କ ପ୍ରାଦୁର୍ଭାବ ବଢିବଢି ଚାଲିଥିବା ବେଳେ ଗ୍ରାମବାସୀ ସେହି ସ୍ଥାନରେ ବସବାସ କରିବା ଗୋଟେ ପ୍ରକାରରେ ମୁସକିଲ ହୋଇଗଲାଣି । ଦେଶୀ ମଦ ଦୋକାନଟି ଦିନରାତି ଖୋଲା ରହୁଥିବାରୁ ସନ୍ଧ୍ୟା ହେଲେ ଉକ୍ତ ସ୍ଥାନଟି ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ବହୁସମୟରେ ଲୋକେ ମଦପିଇ ନିକଟରେ ଥିବା ହାଟଚାଳି ଓ ରାସ୍ତାଘାଟରେ ଗଡୁଥିବାର ଦୃଶ୍ୟ ମଧ୍ୟ ବାରମ୍ବାର ଦେଖିବାକୁ ମିଳୁଛି । ଯାହାଦ୍ୱାରା ଲୋକେ ଉକ୍ତ ରାସ୍ତାଦେଇ ଯିବାଆସିବା କରିବାକୁ ଏବେ ଭୟ କରୁଛନ୍ତି । ତା ଛଡା ଅନେକ ସମୟରେ ଦେଶୀ ମଦ ଦୋକାନକୁ ମଦ କିଣିବାକୁ ଆସୁଥିବା ମଦୁଆ ପରସ୍ପର ମଧ୍ୟରେ ଅସଭ୍ୟ ଭାଷାରେ କଥାବାର୍ତ୍ତା ହେବା ସହ ସବୁ ସମୟରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଛି ଓ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେଉଛି । ଯାହାଦ୍ୱାରା ଉକ୍ତ ଅଞ୍ଚଳର ଅନେକ ପାଠ ପଢୁଆ ପିଲାଙ୍କ ଉପରେ ଏହାର ପ୍ରଭାବ ପକାଇବା ସହ ବହୁ ପରିବାରର ଝିଅ ବୋହୁ ମାନେ ଚଳିବା କଷ୍ଟକର ହୋଇପଡିଛି । ହେଲେ ନିଦାବିଷ୍ଣୁ ପାଲଟିଛି ଜିଲା ଅବକାରୀ ବିଭାଗ ଓ ସ୍ଥାନୀୟ ପୁଲିସ । ବ୍ରହ୍ମବରଦା ସାପ୍ତାହିକ ହାଟ ନିକଟରେ ଦେଶୀ ମଦ ଦୋକାନଟି ଥିବାରୁ ମଦୁଆଙ୍କ ପ୍ରାଦୁର୍ଭାବରେ ଲୋକେ ଏବେ ସାପ୍ତାହିକ ହାଟକୁ ଆସିବା ଧୀରେ ଧୀରେ ବନ୍ଦ କରିଦେଲେଣି । ବିଶେଷ କରି ମଦ ଦୋକାନଟି ବ୍ରାହ୍ମଣୀ ନଦୀବନ୍ଧ ପାର୍ଶ୍ୱରେ ଥିବାରୁ ଝାଲପଡା, କାକୁଡିକୁଦ, ବାଘସାହି ଓ ରୁଦ୍ରପୁର ପରି ପଞ୍ଚାୟତ ଅଞ୍ଚଳରୁ ନଦୀ ପାର ହୋଇ ଆସୁଥିବା ସହ ସହ ସଂଖ୍ୟାରେ ବ୍ୟବସାୟୀ, ସ୍କୁଲ, କଲେଜ ଛାତ୍ର-ଛାତ୍ରୀ ଓ ବନ୍ଧଢିଅ, ଗୋଳକୁଣ୍ଡ, ହରିପୁର ଓ ବାଲିଆ ଆଦି ଅଞ୍ଚଳରୁ ଉକ୍ତ ନଦୀବନ୍ଧ ରାସ୍ତା ଦେଇ ଆସୁଥିବା ବେପାରୀ ଓ ଲୋକ ମଧ୍ୟ ଦୈନିକ ମଦୁଆଙ୍କ ପ୍ରାଦୁର୍ଭାବରେ ନାନା ଦହଗଞ୍ଜ ହେଉଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ଜନବସତି ନିକଟ ଓ ବ୍ରହ୍ମବରଦା ସରକାରୀ ବିଡି ଶ୍ରମିକ ମେଡିକାଲ ଠାରୁ ମାତ୍ର ସହେ ମିଟର ଦୂରରେ ଉକ୍ତ ଦେଶୀ ମଦ ଦୋକାନଟି ଅବସ୍ଥିତ । କିନ୍ତୁ ମେଡିକାଲ ପରି ଅତି ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଠାରୁ ଉକ୍ତ ଦେଶୀ ମଦ ଦୋକାନଟି ଉକ୍ତ ସ୍ଥାନରେ ଖୋଲା ହେବା ପାଇଁ ସରକାର କିପରି ଅନୁମତି ପ୍ରଦାନ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଦେଶୀମଦ ଦୋକାନୀ ସରକାରୀ ମୂଲ୍ୟଠାରୁ ଚଢ଼ା ଦରରେ ମଦ ବିକ୍ରୟ କରିବା ସାଙ୍ଗକୁ ଅତି ନିମ୍ନ ମାନର ମଦ ବିକ୍ରି କରୁଥିବାର ମଧ୍ୟ ବାରମ୍ବାର ଅଭିଯୋଗ ହେଉଛି । ଯେଉଁ ମଦକୁ ଲୋକେ ପିଇ କ୍ୟାନସର, ହାର୍ଟ, ଫୁସଫୁସ ଓ କିଡ଼ନୀ ଜନିତ ରୋଗର ଶିକାର ହୋଇ ଅକାରଣରେ ମୃତୁ୍ୟବରଣ କରୁଥିବାର ପୂର୍ବରୁ ଅନେକ ନଜିର ରହିଛି । ତା ଛଡା ଦେଶୀ ମଦ ପିଇ ବହୁ ଲୋକ ସର୍ବସ୍ୱାନ୍ତ ହେବା ସହ ସେମାନଙ୍କ ପରିବାରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ବିଶେଷ କରି ଗ୍ରାମର ଯୁବକ ଗୋଷ୍ଠି ମଦର ମୋହରେ ପଡି ପଥଭ୍ରଷ୍ଟ ହେବା ସହ ନିଜ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ଦେଉଛନ୍ତି ।
ସୂଚନା ଅନୁଯାୟୀ କି ଉକ୍ତ ଦେଶୀ ମଦ ଦୋକାନର ମାଲିକକୁଆଖିଆ ଥାନା ଅଞ୍ଚଳର ହୋଇଥିବା ବେଳେ ତାଙ୍କ ସରକାରୀ ଲାଇସେନ୍ସ ନଂ ୧୧/୨୦୨୧-୨୨ରହିଛି । ମଦ ଦୋକାନଟି ବ୍ରହ୍ମବରଦା ମୌଜାର ଶାବକ ପ୍ଲଟ ନଂ ୭୧୬, ଶାବକ ଖାତା ନଂ ୮୦, ସ୍ଥିତିବାନ ପ୍ଲଟ ନଂ ୧୩୧୪, କିସମ ସାରଦ ଓ ଏହା ଏକ ଅଣଜଳସେଚିତ ଜମିରେ ଅବସ୍ଥିତ ବୋଲି ଲାଇସେନ୍ସରେ ଉଲ୍ଲେଖ ରହିଛି । ତେଣୁ ଜନବସତି ନିକଟରେ ଉକ୍ତ ଦେଶୀ ମଦ ଦୋକାନ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ତୁରନ୍ତ ଉଚ୍ଛେଦ କରିବାକୁ ଦାବି ହୋଇଛି । ତାହା ନ ହେଲେ ଆଗାମୀ ଦିନରେ ଜିଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।