ଜମିହରାଙ୍କୁ ମାଇନ୍ସର ପ୍ରତାରଣା

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ାସ୍ଥିତ ରୁଙ୍ଗ୍ଟା ମାଇନ୍ସ ମେରାମଣ୍ଡଳୀ ପଞ୍ଚାୟତର କଲୋନୀ ସାହିର ଦଳିତ ପରିବାରଙ୍କ ଜମିକୁ ଚଂଚକତାପୂର୍ଣ୍ଣ ଉପାୟରେ ହାତକୁ ନେବା ଏବଂ ସେହି ପରିବାରମାନଙ୍କୁ ପ୍ରତାରିତ କରିବା ସମ୍ପର୍କରେ ଦଳିତ ଜମିହରା ନାଗରିକମାନଙ୍କ ଅଭିଯୋଗ ଗୁଡ଼ିକର ସମାଧାନ ପାଇଁ ଓଡ଼ାପଡ଼ା ତହସିଲ ଅଫିସରେ ତହସିଲଦାରଙ୍କ ଅଧ୍ୟକ୍ଷତାରେ ଏକ ତି୍ରପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ରୁଙ୍ଗ୍ଟା ମାଇନ୍ସ ମେରାମଣ୍ଡଳୀ ପଂଚାୟତର କଲୋନୀ ସାହିର ଦଳିତ ପରିବାରଙ୍କ ଜମିକୁ ୨୦୦୯ ମସିହାରୁ କଂପାନୀର ମୁଖ୍ୟ ରାସ୍ତା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇ ନେଇଥିଲା । ମାତ୍ର ଜମିଦଖଲ ପରେ ଦେଇଥିବା ପ୍ରତିଶୃତି ସବୁ ଭୁଲିଯାଇ ସେମାନଙ୍କ ଦାବିକୁ ଅଣଦେଖା କରିଚାଲିଥିଲା । ଏ ନେଇ ଜମିହରା ପ୍ରଜାମାନେ ମଧ୍ୟ ବିଭିନ୍ନ ସମୟରେ କଂପାନୀ କର୍ତୁପକ୍ଷ ଓ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ଲାଭ ମିଳିନଥିଲା । ତେବେ ବାରମ୍ବାର ଦାବି ପରେ ଜମିହରାଙ୍କ ଅଭିଯୋଗର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କମ୍ପାନୀର ପ୍ରତିନିଧି ଏବଂ କ୍ଷତିଗ୍ରସ୍ତ ଜମିହରାଙ୍କ ତରଫରୁ ସରୋଜ ଶତପଥୀ, ସର୍ବଜ୍ଞ ସାହୁ, ବଦି୍ରନାରାୟଣ ଦାଶ, ଦଳିତ ଶୋଷଣମୁକ୍ତି ମଂଚର ପି୍ରୟରଞ୍ଜନ ନାୟକ ଓ ପଣ୍ଡିତ ନାୟକଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ଦଳିତ ନାଗରିକମାନେ ଯୋଗ ଦେଇଥିଲେ । ଉଲ୍ଲେଖଯୋଗ୍ୟ କି, ଯେକୌଣସି ଶିଳ୍ପାୟନ ପାଇଁ ପ୍ରଚଳିତ ନିୟମ ଅନୁଯାୟୀ ସରକାର ଇଡ଼କୋ ମାଧ୍ୟମରେ ଜମି ଅଧିଗ୍ରହଣ କରିବେ କିମ୍ବା କମ୍ପାନୀ ପ୍ରତ୍ୟକ୍ଷ ଭାବରେ ଲୋକମାନଙ୍କଠାରୁ ଜମି ଅଧିଗ୍ରହଣ କରିବାର ବ୍ୟବସ୍ଥା ରହିଛି । କିନ୍ତୁ ମଧ୍ୟସ୍ଥିମାନଙ୍କ ମାଧ୍ୟମରେ ଶିଳ୍ପାୟନ ପାଇଁ ଜମି ଅଧିଗ୍ରହଣ ସଂପୂର୍ଣ୍ଣ ବେଆଇନ ଅଟେ । କାରଣ ମଧ୍ୟସ୍ଥିମାନଙ୍କ ମାଧ୍ୟମରେ କମ୍ପାନୀ ଜମିଅଧିଗ୍ରହଣ କଲେ କ୍ଷତିଗ୍ରସ୍ତ ଜମିହରାମାନଙ୍କୁ ଜୀବନଜୀବିକା ପାଇଁ ନିଯୁକ୍ତି କିମ୍ବା କ୍ଷତିପୂରଣ ସମେତ ପାରିପାର୍ଶିକ ବିକାଶ ପାଇଁ ଥିବା ବାଧ୍ୟବାଧକତାରୁ କମ୍ପାନୀମାନେ ଖସି ଯାଇଥାନ୍ତି । ଠିକ୍ ଏହିଭଳି ଅଭିଯୋଗ ଉପରେ ଦୀର୍ଘଦିନ ଧରି ଜମିହରା ଦଳିତ ପରିବାର ଓ ରୁଙ୍ଗ୍ଟା ମାଇନ୍ସ କର୍ତୃପକ୍ଷଙ୍କ ମଧ୍ୟରେ ବିଭିନ୍ନ ଭାବରେ ଅଶାନ୍ତିର ବାତାବରଣ ଲାଗି ରହିଛି । ଗ୍ରାମବାସୀଙ୍କ ତିନୋଟି ପ୍ରମୁଖ ଦାବି ଯଥା- ଭୂତଳ ଜଳ କମ୍ପାନୀ ଶୋଷି ନେଉଥିବାରୁ ଦଳିତ ବସ୍ତିର ସରକାରୀ ଟୁ୍ୟବ୍ୱେଲ, କୂଅ ଓ ପୋଖରୀ ଇତ୍ୟାଦି ଶୁଖିଯାଉଛି । ତେଣୁ ଗ୍ରାମବାସୀଙ୍କୁ ସ୍ଥାୟୀ ଭାବରେ ସ୍ଥାନୀୟ ଜଳ ଯୋଗାଇବା, ବେଆଇନ ଭାବରେ କମ୍ପାନୀ ନଷ୍ଟ କରିଥିବା ପୋଖରୀର କ୍ଷତିପୂରଣ ଦେବା ଓ ଉନ୍ନତ ଚାଷଜମି ନେଇଯାଇଥିବାରୁ ଜୀବନଜୀବିକା ପାଇଁ ଜମି ଦାତାମାନଙ୍କ ପରିବାରରୁ ନିଯୁକ୍ତି ନଚେତ୍ କ୍ଷତିପୂରଣ ରାଶି ପ୍ରଦାନ କରିବା ଭଳି ଦାବିଗୁଡ଼ିକ ଅନ୍ତର୍ଭୁକ୍ତ ଥିଲା ।   ଆଲୋଚନାରେ ସ୍ଥାୟୀ ଭାବରେ ଜଳଯୋଗାଣ ପାଇଁ ବୈଠକରେ କମ୍ପାନୀ କର୍ତୃପକ୍ଷ ପାଂଚଲକ୍ଷ ଟଙ୍କା ବ୍ୟୟରେ ଯୋଜନା କରିଥିବା ଏବଂ ସେହି କାର୍ଯ୍ୟ ସଂପାଦନ ପାଇଁ କ୍ଷତିଗ୍ରସ୍ତ ୬ଟି ପରିବାରଙ୍କ ମଧ୍ୟରୁ ଜଣଙ୍କୁ ଦାୟିତ୍ୱ ଦେବା ପାଇଁ ତହସିଲଦାରଙ୍କ ନିକଟରେ ସମ୍ମତି ଦେଇଥିଲେ । ପୋଖରୀର କ୍ଷତିପୂରଣ ବାବଦରେ ବିତର୍କ ହେବାରୁ ତହସିଲଦାରଙ୍କ ସରଜମିନ୍ ତଦନ୍ତ ପରେ ନିଷ୍ପତି ନିଆଯିବ ବୋଲି ତିନିପକ୍ଷମାନେ ସମ୍ମତି ପ୍ରଦାନ କରିଥିଲେ । କିନ୍ତୁ ନିଯୁକ୍ତି ନଚେତ୍ କ୍ଷତିପୂରଣ ରାଶି ସମ୍ପର୍କରେ ପରିବାର ପିଛା ମାତ୍ର ୫୦ହଜାର ଟଙ୍କା ଦେବା ପାଇଁ କମ୍ପାନୀର ପ୍ରସ୍ତାବକୁ ଜମିହରା ନାଗରିକମାନେ ଗ୍ରହଣ କରି ନଥିଲେ । ଫଳରେ ଏହି ବିଷୟରେ ଅଧିକ ଆଲୋଚନା ପାଇଁ ସ୍ଥିର ହେବା ପରେ ବୈଠକ ଶେଷ ହୋଇଥିଲା । ଦଳିତମାନଙ୍କ ଜମି ଖରିଦ୍ ବିକି୍ରରେ ଥିବା ଆଇନଗତ କଟକଣାଗୁଡ଼ିକୁ ଏଡାଇ ଯିବା, ନିଯୁକ୍ତି ଓ କ୍ଷତିପୂରଣ ଦାବିକୁ ଫାଙ୍କିବା ଭଳି ବେଆଇନ କାର୍ଯ୍ୟ କରିଥିବା କମ୍ପାନୀର ନ୍ୟସ୍ତସ୍ୱାର୍ଥ ଅଫିସରମାନଙ୍କ ବିରୋଧରେ ପ୍ରଶାସନିକ ସ୍ତରରେ ତଦନ୍ତ କରି ଜନଗଣଙ୍କୁ ଶିଳ୍ପାୟନ ବିରୋଧୀ ମାନସିକତାରୁ ମୁକ୍ତ କଲେ ହିଁ ଜନସ୍ୱାର୍ଥରେ ଶିଳ୍ପାୟନ କରାଯାଇ ପାରିବ ବୋଲି କ୍ଷତିଗ୍ରସ୍ତ ଜମିହାରଙ୍କ ନେତୃମଣ୍ଡଳୀ ପ୍ରକାଶ କରିଥିଲେ ।