ତାଳପଦା ଦୁର୍ଗାପୂଜା ପ୍ରସ୍ତୁତି ବୈଠକ : ଆକର୍ଷଣ ପାଲଟିବ ଧଉଳି ଶାନ୍ତିସ୍ତୁପ

 ବଡ଼ସାହି  :  ବଡ଼ସାହି ବ୍ଲକ ତଥା ସମଗ୍ର ବଡସାହି ନିର୍ବାଚନ ମଣ୍ଡଳୀରେ ସର୍ବ ପୁରାତନ ତାଳପଦା ଦୁର୍ଗାପୂଜା ଏଥର ୮୧ ବର୍ଷରେ ପାଦ ଦେଉଛି । ଆଧ୍ୟାତ୍ମିକ ଏବଂ ଆକର୍ଷଣ ସମିଶ୍ରଣରେ ପାଳିତ ହେଉଥିବା ଏହି ମହୋତ୍ସବ ସାତ ଦିନ ଧରି ଚାଲିବାକୁ ଥିବାବେଳେ ପୂର୍ବବର୍ଷ ଭଳି କଟକ ଜରି ମେଢ ମନ ମୋହିବା ସହିତ ଏଥିରେ ଧଉଳି ଶାନ୍ତିସ୍ତୁପର ତୋରଣ ଦେଖିବାକୁ ମିଳିବ । ସେହିପରି ସପ୍ତମୀରେ ଭକ୍ତି ସଙ୍ଗୀତ ଓ ନୃତ୍ୟର ଅର୍ଘ୍ୟ, ମହାଷ୍ଟମୀରେ ଭୁବନେଶ୍ୱରର ସୁନାମଧନ୍ୟ ସା ରେ ଗା ମା ପା ବ୍ୟାଣ୍ଡ, ମହାନବମୀରେ ପ୍ରଖ୍ୟାତ ସଙ୍ଗୀତଜ୍ଞ ସୁବାଷ ଦାଶ ଓ ସାଥୀଙ୍କ ମେଲୋଡି, ଦଶହରାରେ ଡ୍ୟାନ୍ସ ଧମାକା ।  ଏହାପରେ ତିନିଦିନ ଚକୋଲେଟ୍ ପରିବାର ଅପେରା ଦେଖିବାକୁ ମିଳିବ । ସର୍ବୋପରି ଦଶହରାରେ ପଶ୍ଚିମବଙ୍ଗ ବାଣ ସଜ୍ଜିତ ବିରାଟ ରାବଣ ପୋଡି ସମାରୋହ ମତୁଆଲା କରିବ । ଉକ୍ତ ୮୧ତମ ଦୁର୍ଗାପୂଜାକୁ ଅଧିକ ମନୋରମ ଓ ଶୃଙ୍ଖଳିତ କରିବା ପାଇଁ ଇତି ମଧ୍ୟରେ  ଉପଦେଷ୍ଟା ମଣ୍ଡଳୀକୁ ନେଇ ଏକ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହେଇ ଯାଇଛି । ଏଥିରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଯୋଗ ଦେଇ ବିଭିନ୍ନ ପରାମର୍ଶ ଦେବା ସହିତ ସମସ୍ତ ସାହାଯ୍ୟ ଓ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବଡ଼ସାହି ବ୍ଲକ ଅଧ୍ୟକ୍ଷା ମୀନତି ସିଂ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ଦାଶ, ପୂର୍ବତନ କଲେଜ ଅଧ୍ୟକ୍ଷ ପ୍ରଦୀପ ପଣ୍ଡା, ସମାଜସେବୀ ତଥା ସାମ୍ବାଦିକ ଅମିୟ କୁମାର ବଳା ସମେତ ଅନ୍ୟମାନେ ଯୋଗ ଦେଇଥିଲେ । କମିଟି ସଭାପତି ଡକ୍ଟର ଜଗନ୍ନାଥ ପାତ୍ର, ସମ୍ପାଦକ ରଞ୍ଜନ କୁମାର ବେହେରା, ଉପ ସଭାପତି ଲକ୍ଷ୍ମୀଧର ରାଉତ, ଯୁଗ୍ମ ସମ୍ପାଦକ ସତ୍ୟ ନାରାୟଣ ନାୟକ, କୋଷାଧ୍ୟକ୍ଷ ଦୀପକ ପାତ୍ର ସହିତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।