ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସିବେ ଜଳ ମାନବ ରାଜେନ୍ଦ୍ର ସିଂ ବୈତରଣୀ ନଦୀ ପରିଦର୍ଶନ କରିବେ

 ଚମ୍ପୁଆ : ଜଳ ମାନବ ରାଜେନ୍ଦ୍ର ସିଂ ଆଗାମୀ ୭ ତାରଖ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗ୍ରସ୍ତରେ ଆସି ଖଣି ଅଞ୍ଚଳରେ ପ୍ରବାହିତ ପ୍ରମୁଖ ନଦୀ ଗୁଡିକର ସ୍ଥିତି ସମୀକ୍ଷା କରିବାର କାର୍ଯକ୍ରମ ରହିଛି । ଆସନ୍ତା ୭ ତାରିଖରେ ବୈତରଣୀ ନଦୀର ଉତ୍ପତି ସ୍ଥାନ ଗୋନାସିକାରୁ ସେ ନିଜ ଅଭିଯାନ ଆରମ୍ଭ କରି ୮ ତାରିଖରେ କାନପୁର ବୃହତ ଜଳ ପ୍ରକଳ୍ପ ଅଞ୍ଚଳ, ସୁନା ନଦୀ ଓ କାରୋ ନଦୀର ସ୍ଥିତି ଅନୁଧାନ କରିବେ ବୋଲି ବୈତରଣୀ, କରୋ ଓ ସୁନା ନଦୀ ସୁରକ୍ଷା ମଞ୍ଚର ସଂଯୋଜକ ଅଶୋକ ଠକ୍କର ସୂଚନା ଦେଇଛନ୍ତି । କେନ୍ଦୁଝର ଜିଲ୍ଲାରୁ ନିର୍ଗତ ଚିରସ୍ରୋତା ବୈତରଣୀ ନଦୀର ଜଳକୁ ଚାଷୀଙ୍କୁ ଯୋଗାଇ ଦିଆଯିବା ନିମନ୍ତେ ବିଗତ ଦୁଇ ଦଶନ୍ଧି ହେଲା କାନପୁର ବୃହତ ଜଳ ପ୍ରକଳ୍ପ ନିର୍ମାଣଧୀନ ରହିଛି । ମାତ୍ର ବୈତରଣୀ ନଦୀର ସିଂହଭାଗ ଜଳ ଯୋଡ଼ା ଖଣି ଅଞ୍ଚଳ ଥିବା ବିଭିନ୍ନ କଳକାରଖାନା ଓ ପାଇପ ଯୋଗେ ଖଣିଜ ପରିବହନରେ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ଦୁଇଟି କମ୍ପାନୀ ପାଇପ ଯୋଗେ ଖଣିଜ ପରିବହନ ନିମନ୍ତେ ବୈତରଣୀ ନଦୀର ଜଳକୁ ବ୍ୟବହାର କରୁଛନ୍ତି । ମାତ୍ର ଆଉ ଦୁଇଟି ଖଣି ସଂସ୍ଥାକୁ ମଧ୍ୟ ପାଇପ ଯୋଗେ ଖଣିଜ ପରିବହନ ନିମନ୍ତେ ମଞ୍ଜୁରୀ ମିଳି ସାରିଥିବା ବେଳେ ପୁଣି ୧୩ ଟି ଖଣି ଓ ଶିଳ୍ପସଂସ୍ଥା ମଧ୍ୟ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିବା ଜଣାପଡିଛି । ତେଣୁ କାନପୁର ବୃହତ ଜଳପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ବେଳକୁ ବୈତରଣୀ ନଦୀରେ ଆଉ ଜଳ ନ ଥିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ସେହିପରି ଯୋଡ଼ା ଖଣି ଅଞ୍ଚଳରେ ପ୍ରଭାହିତ ଚିରସ୍ରୋତା କାରୋ ନଦୀ ଓ ସୁନା ନଦୀର ଆବସ୍ଥା ମଧ୍ୟ ସମାନ ।