ନଳକୂପ ଖୋଳା ପରେ ସୀମା ବିବାଦ
ବାଲିକୁଦା : ନଳକୂପ ଖେଳା ପରେ ଉତ୍ପନ୍ନ ହୋଇଛି ସୀମା ବିବାଦ । ବିବାଦ ଯାଜପୁର ଜିଲା ବଡ଼ଚଣା ଓ କଟକ ଜିଲାର ମାହାଙ୍ଗା ମଧ୍ୟଭାଗରେ ହେଉଥିବା ନଳକୂପକୁ ନେଇ ଉପୁଜିଛି । ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଲଳିତଗିରି ପଞ୍ଚାୟତକୁ ଲାଗି ବଡ଼ଚଣା ନିର୍ବାଚନ ମଣ୍ଡଳୀର ନଳୀପୁର ପଞ୍ଚାୟତ ରହିଛି । କିନ୍ତୁ ଜମି ଜମା ବାବଦରେ ଲଳିତଗିରି ପଞ୍ଚାୟତବାସୀଙ୍କ ପକ୍ଷରୁ ଅପତି ଉଠିଛି । ଯେଉଁଠି ପୂର୍ବରୁ କଟକ ଜିଲ୍ଲାର ସରକାରୀ ଅନୁଦାନ ଖର୍ଚ୍ଚ ହୋଇ ସ୍ଥାୟୀ କାର୍ଯ୍ୟ ନିର୍ମାଣ କରାରଯାଇଛି ସେଠାରେ କିପରି ଯାଜପୁର ଜିଲ୍ଲାର ସରକାରୀ ଅନୁଦାନ ଖର୍ଚ୍ଚହେବ । ଅର୍ଥାତ୍ ବଡ଼ଚଣା ବ୍ଲକ ନଳୀପୁର ପଞ୍ଚାୟତର ଟଙ୍କା ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତରେ ଖର୍ଚ୍ଚ କରାଯାଉଛି । ଯାହା କି ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲା ଭିନ୍ନ ଭିନ୍ନ ଅଟେ । କିପରି ଗୋଟିଏ ଜିଲ୍ଲାର ସରକାରୀ ଅନୁଦାନ ଅନ୍ୟ ଗୋଟିଏ ଜିଲ୍ଲାରେ ଖର୍ଚ୍ଚ କରାଯାଉଛି ତାହା ସମସ୍ତଙ୍କୁ ଚକିତ କରିଛି । ଯେହେତୁ ଉଭୟ ଜିଲ୍ଲାର ସୀମାନ୍ତବର୍ତି ଅଞ୍ଚଳର ହେଉଛି ସେଥିପାଇଁ କିଛି ଲୋକ ଉକ୍ତ ସ୍ଥାନକୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କହୁଥିବା ବେଳେ କିଛି ଲୋକ ବଡ଼ଚଣା ନିର୍ବାଚନ ମଣ୍ଡଳୀର ବୋଲି ଦାବି କରୁଛନ୍ତି । ତେବେ ପୂର୍ବରୁ ଉକ୍ତ ଅଞ୍ଚଳରେ ୧୦୦ଫୁଟ ଭିତରେ ଗୋଟିଏ ମାହାଙ୍ଗା ପଟରୁ ସ୍ଥାପନା ହୋଇଥିବା ବେଳେ ଆଉ ଗୋଟିଏ ବଡ଼ଚଣା ପକ୍ଷରୁ ସ୍ଥାପନା ହୋଇଛି । ତେବେ ଦୁଇ ଗୋଟି ନଳକୂପ ଥିବା ବେଳେ କାହିଁକି ତାହା ମଝିରେ ଆଉ ଏକ ନଳକୂପ ଆବଶ୍ୟକ ପଡ଼ିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ଚଣ୍ଡିଖୋଲ ଆରଡ଼ବ୍ଲୁ୍ୟଏସଏସର ଯନ୍ତ୍ରୀ ସୁଧାକର ପଣ୍ଡାଙ୍କୁ ଯୋଗାଯୋଗ କରିବାରେ ଉକ୍ତ ସ୍ଥାନରେ କାର୍ଯ୍ୟ ବନ୍ଦ ଅଛି । ମାତ୍ର ଯନ୍ତ୍ରୀଙ୍କର ଉତରକୁ ପରଖିବା ପାଇଁ ଘଟଣାସ୍ଥଳକୁ ଯାଇ ଦେଖିଲା ବେଳକୁ କାର୍ଯ୍ୟ ଚାଲୁରହିଛି । ପୁନର୍ବାର ଯନ୍ତ୍ରୀ ଯୋଗାଯୋଗ କରିବାରେ ସେ କହନ୍ତି ଆପୋସ ବୁଝାମଣାରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରୀ ଅନୁଦାନ ଖର୍ଚ୍ଚ ହୋଇପାରିବ । କେତେ ଟଙ୍କାର ପ୍ରକଳ୍ପ ଓ ଠିକାସଂସ୍ଥା କିଏ ବୋଲି ପ୍ରଶ୍ନ କରିବାରୁ ଯନ୍ତ୍ରୀ ଜଣଙ୍କ ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠେ ୧୦୦ମିଟର ମଧ୍ୟରେ ଦୁଇ ଗୋଟି ନଳକୂପ ଥିବା ବେଳେ ମଧ୍ୟ ଭାଗରେ ଆଉ ଗୋଟିଏ ନଳକୂପ କାହିଁକି ଆବଶ୍ୟକ ପଡ଼ିଲା ଉତରରେ ଯନ୍ତ୍ରୀ ଜଣଙ୍କ କହନ୍ତି ସୋମବାର ମୁଁ କ୍ଷେତ୍ର ପରିଦର୍ଶନ କରିବି । ସୀମା ବାବଦକୁ ଉଭୟ ଜିଲ୍ଲା ପ୍ରଶାସନ ଗୁରୁତର ସହ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।