ନୂତନ ଗୃହ ନିର୍ମାଣରେ ଅନିୟମିତତା

 ଯଖପୁରା : ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତି ଭୂମିର ସୁଦୃଢ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଚାର ପ୍ରସାର କରୁଛନ୍ତି । ସାଧାରଣ ଲୋକଟିଏ ଡାକ୍ତରଖାନାକୁ ଆସିଲେ କିପରି ମୌଳିକ ସୁବିଧା ପାଇବ ସେଥିପାଇଁ ସରକାର ତତ୍ପର ବୋଲି କହୁଛନ୍ତି । ସେହି ଦୃଷ୍ଟିରୁ ଗ୍ରାମାଞ୍ଚଳ ଡାକ୍ତରଖାନା ସବୁର ଉନ୍ନତି କରଣ କରାଯାଉଛି । ସେହି କ୍ରମରେ ଦାନଗଦୀ ବ୍ଲକ୍ ଯଖପୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ କରାଯାଇଛି । ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ହେଉଛି ଅତିରିକ୍ତ ନୂତନ ଗୃହ । ଯାହାର ମୂଲ୍ୟ ରହିଛି ୮୭ଲକ୍ଷରୁ ଅଧିକ । ଗୃହ ନିର୍ମାଣ କାର୍ଯ୍ୟର ଆରମ୍ଭ ସେପ୍େଟମ୍ବର ମାସ ୨୦୨୪ ଥିବା ବେଳେ କାର୍ଯ୍ୟ ଶେଷ ସମୟ ରହିଛି ସେପ୍ଟେମ୍ବର୨୦୨୫ । ଗୃହନିର୍ମାଣ କାର୍ଯ୍ୟର କାର୍ଯ୍ୟାଦେଶ ପାଇଛନ୍ତି କ୍ଷଣପ୍ରଭା ବେଉରିଆ । ଗୃହର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ମାତ୍ର ଗୃହ କାର୍ଯ୍ୟକୁ ଦେଖିଲେ କାର୍ଯ୍ୟ କେତେ ନିମ୍ନମାନର ହୋଇଛି ତାହା ଜଳ ଜଳ କରି ଦେଖାଯାଉଛି । ଗୃହ କାର୍ଯ୍ୟ ଆରମ୍ଭରୁ ନିମ୍ନ ମାନର ହୋଇଥିବାର ଅନୁମେୟ ହୁଏ । ଗୃହର ପ୍ଲିନ୍ଥ ଅତି ତଳୁଆ କରାଯାଇଛି । ଲକ୍ଷଲକ୍ଷ ଟଙ୍କାର କାର୍ଯ୍ୟକୁ ଏପରି କରାଯାଉଛି ଯାହା ନ ଦେଖିଲେ ବିଶ୍ୱାସ ହେବନି । କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚି ଥିବା ବେଳେ ଗୃହରେ ବ୍ୟବହାର ହୋଇଥିବା ସମସ୍ତ ଜିନିଷ ଅତି ନିମ୍ନମାନର । ବାଲି, ଚିପ୍ସ ଠାରୁ ଆରମ୍ଭ କରି ଗୃହରେ ଚଟାଣରେ ପଡିଥିବା ଟାଇଲ ସବୁ ନିମ୍ନମାନର ବୋଲି ଜଳ ଜଳ କରି ଦେଖାଯାଉଛି । ଗୃହ ନିର୍ମାଣ ସମୟରେ କାର୍ଯ୍ୟକୁ ତଦାରଖ କରିବା ପାଇଁ କୌଣସି ଯନ୍ତ୍ରୀଙ୍କ ପାଦ କେବେ ସେ ସ୍ଥାନରେ ପଡିନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । କାର୍ଯ୍ୟର ତଦାରଖ ପାଇଁ ଥିବା ସରକାରୀ ବାବୁ କାର୍ଯ୍ୟ ହେଉଥିବା ସ୍ଥଳକୁ ତଦାରଖ ପାଇଁ ଆଦୈା ଯାଇନଥିଲେ ବୋଲି ଅଭିଯୋଗ ହୋଇଛି । ଫଳରେ ତଦାରଖ ଦାୟୀତ୍ୱରେ ଥିବା ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ଗୃହର କାର୍ଯ୍ୟ ନିମ୍ନମାନର ହୋଇଛି ବୋଲି ଅଭିଯୋଗ ହୁଏ । ଭିତି ଭୂମି ସୁଦୃଢ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଠିକାଦାର ଚଂଚଳତା କରି ନିର୍ମାଣ କାର୍ଯ୍ୟକୁ ନିମ୍ନ ମାନର କରୁଥିବାର ଦେଖିବାକୁ ମିଳୁଛି । ଯଖପୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅତିରିକ୍ତ ଗୃହ ନିର୍ମାଣ କାର୍ଯ୍ୟକୁ ଯାଂଚ କରିଲେ ତାହା କେତେ ନିମ୍ନମାନର ହୋଇଛି ତାହା ଲୋକଲୋଚନକୁ ଆସିପାରନ୍ତା ବୋଲି ଦାବି ହୋଇଛି ।