ନୂତନ ଜାତୀୟ ଶିକ୍ଷା ନୀତି କର୍ମଶାଳା
ମାଲକାନଗିରି : ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ନୂତନ ଜାତୀୟ ଶିକ୍ଷା ନୀତିକୁ ନେଇ ବିକାଶ ମେଳାରେ ଏକ କର୍ମଶାଳା ଆୟୋଜନ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଯୋଗ ଦେଇଥିବାବେଳେ ଶିକ୍ଷା ବିଭାଗ ପ୍ରଫେସର ଡଃ ରଞ୍ଜନ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଜାତୀୟ ଶିକ୍ଷା ନୀତି ଉନ୍ନତ ସାମଗ୍ରିକ ଶିକ୍ଷା, ବିକାଶ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବ । ସେହିପରି ପ୍ରଫେସର ପ୍ରଧାନ ଏହି ଅବସରରେ କହିଛନ୍ତି, ନୂତନ ଶିକ୍ଷା ପଦ୍ଧତ୍ତି ଛାତ୍ରଛାତ୍ରୀମାନଙ୍କୁ ଆତ୍ମ ନିର୍ଭରଶୀଳ କରିବ । ନୂତନ ଶିକ୍ଷା ନୀତିର ବହୁ ମାତ୍ରାରେ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ କାରଣ ଏହାର ଭିତ୍ତିଭୂମି ହେଉଛି ଭାରତର ସଂସ୍କୃତି ଉପରେ ପର୍ଯ୍ୟବେଶିିତ । ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୨୫୦ରୁ ଅଧିକ ଶିକ୍ଷକଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି କର୍ମଶାଳାରେ କିଭଳି ଭାବରେ ଶିକ୍ଷାନୀତିକୁ ଲାଗୁ କରି ପିଲାଙ୍କ ଭବିଷ୍ୟତ ଗଢାଯାଇପାରିବ, ସେ ନେଇ ଜାତୀୟ ଶିକ୍ଷା ନୀତି ୨୦୨୦କୁ ସବିଶେଷ ଭାବେ ଆଲୋଚନା ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ଡ଼ାଇଟ୍ ଅଧ୍ୟକ୍ଷା ମମତା ଝଡିଆ ଓ ରିସର୍ସ ପର୍ସନ ଭାବେ ହେମନ୍ତ କୁମାର ସେନାପତି ଓ ପ୍ରମୋଦ କୁମାର ସେନାପତି ଯୋଗ ଦେଇଥିଲେ ।