ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବରପୁତ୍ର ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି । ବାଲିପୋଖରୀ ନେତାଜୀ ଯୁବକ ସଂଘ ପକ୍ଷରୁ ଜୟନ୍ତୀ ପାଳନ ଅବସରରେ ଗଗନ ସେଠୀଙ୍କ ନେତୃତବରେ ଛାତ୍ରଛାତ୍ରୀମାନେ ପ୍ରଭାତ ଫେରି ଓ ଗ୍ରାମ ପରିକ୍ରମା କରାଯାଇଥିଲା । ଯୁବକ ସଂଘ ପରିସରରେ ଅନୁଷ୍ଠିତ ସଭାରେ ନେତାଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ରାଷ୍ଟ୍ର ସ୍ୱାଧିନତା ପାଇଁ ନେତାଜୀଙ୍କ ସଂଗ୍ରାମ ଓ ପ୍ରାଣବଳି ସମ୍ପର୍କରେ ଅବତାରଣା କରାଯାଇଥିଲା । ସେହିପରି ମଣିନାଥପୁର ନରେନ୍ଦ୍ର କୁମାର ପରିଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ପ୍ରଧାନଶିକ୍ଷକ ସମୀର କୁମାର ଚୌଧୁରୀ, ସରପଞ୍ଚ ପରମାନନ୍ଦ ନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା, ଚିନ୍ତାମଣି ନାୟକ ଓ ମୀନକେତନ ବେଉରିଆ ଅତିଥି ଭାବେ ଯୋଗଦେଇ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ତ୍ୟାଗ ଓ ରାଷ୍ଟ୍ରଭକ୍ତି ସମ୍ପର୍କରେ ଉଦବୋଧନ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମାଳଦା ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଧାନଗୁରୁଜି ମଦନ ମୋହନ ଯେନାଙ୍କ ପୌରହିତ୍ୟରେ ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ ହୋଇଥିଲା ।
କେନ୍ଦୁଝର: ଭାରତୀୟ ମୁକ୍ତି ସଂଗ୍ରାମର ମହାନ ଯୋଦ୍ଧା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ପାଳିତ ସିଟିଜି ଦ୍ୱାରା ପ୍ରତିଷ୍ଠିତ କେନ୍ଦୁଝର ଗ୍ଲୋବାଲ ସ୍କୁଲ, କେନ୍ଦୁଝର ବିଦ୍ୟାମନ୍ଦିର, କେନ୍ଦୁଝର ହାୟର ସେକେଣ୍ଡାରୀ ସ୍କୁଲ, କେନ୍ଦୁଝର ଡିଗ୍ରୀ କମର୍ସ କଲେଜ ଏବଂ କେନ୍ଦୁଝର ପ୍ରଫେସନାଲରେ କଲେଜର ଚେୟାରମ୍ୟାନ୍ ରୋଟାରିୟାନ୍ ଡ଼ ରାଜେନ୍ଦ୍ର କୁମାର ପଲେଇଙ୍କ ତତ୍ତ୍ୱାବଧାନରେ ଶିକ୍ଷା ନିକେତନ ଏବଂ ନିଉ କଲୋନୀରେ ପାଳିତ ହୋଇଯାଇଛି । କଲେଜ ର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ସମସ୍ତ ଛାତ୍ରଛାତ୍ରୀଙ୍କୁ ନେତାଜୀଙ୍କୁ ଫୁଲ ଚନ୍ଦନ, ଧୂପ ଦୀପ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅଧ୍ୟକ୍ଷ ମାନସ ରଞ୍ଜନ ମହାପାତ୍ର ଉଦ୍ବୋଧନ ଦେଇ କହିଲେ ଯେ ନେତାଜୀ ଭବିଷ୍ୟତରେ ଜଣେ ମହାନ୍ ଦେଶ ଭକ୍ତ ହେବେ ବୋଲି ପିଲାଟି ଦିନରୁ ଜଣା ପଡି ଯାଇଥିଲା । ଜନ୍ମମାଟି ଓଡିଶା ତାଙ୍କୁ ଦେଶ ପ୍ରେମର ତ୍ୟାଗ ଓ ବଳିଦାନ ଶିଖାଇଥିଲା । ତେଣୁ ସେହିପରି ଜଣେ ମହାନ୍ ସନ୍ତାନ ପାଇଁ ଭାରତ ମାତା ଆଜି ଗର୍ବିତ ଓ ଗୌରବାନ୍ୱିତ । ଶିକ୍ଷା ବିଭାଗର ଅଧ୍ୟାପକ କୃଷ୍ଣଚନ୍ଦ୍ର ମହାନ୍ତି, କଲେଜର ଅଧ୍ୟାପକ ଚିନ୍ମୟ ପ୍ରଧାନ, ରଣଜିତ ସାମଲ, ପଙ୍କଜ ମହାନ୍ତ, ଜ୍ଞାନରଞ୍ଜନ ନାଏକ, ତନବୀର ଆଲାମ, ସୁବ୍ରତ ସେଠୀ ଏବଂ ଅଧ୍ୟାପିକା ନିକିତା ପଲେଇ, ମନ୍ଦାକିନୀ ପ୍ରଧାନ,ଡ଼ ପୂଜା ଅର୍ଚ୍ଚନା ମିଶ୍ର, ସ୍ୱପ୍ନାରାଣୀ ମହାନ୍ତ, ଦୀପା ଶଙ୍କର ଏବଂ ଅସ୍ମିତା ସ୍ୱାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ପିଲାମାନଙ୍କ ତରଫରୁ ରୋପ୍ୟପ୍ରଭା,ମୀନାକ୍ଷୀ,ରୂଚିକା, ପ୍ରାର୍ଥ, ଅଭିଷେକ, ରୋହିତ, ରାଜୀବ, ଆସ୍ଥା, ଗଣେଶ, ସୋମାଇ ମୁର୍ମୁ ଏବଂ ସ୍ୱସ୍ତିକ ଦାଶ ନେତାଜୀଙ୍କ ବଳିଦାନ ଏବଂ ଦେଶକୁ ପୂର୍ଣ୍ଣ ସ୍ୱାଧିନତା ପ୍ରଦାନର ଲକ୍ଷ୍ୟ ଭାରତୀୟ ଇତିହାସରେ ଚିରକାଳ ଅବିସ୍ମରଣୀୟ ହୋଇ ରହିବ । କଟକ କଲେଜିଏଟ୍ ସ୍କୁଲର ପ୍ରଧାନଶିକ୍ଷକ ଦେଶୀମାଧବ ଦାସ ଥିଲେ ନେତାଜୀଙ୍କ ଆଦର୍ଶ ଏବଂ ତାଙ୍କର ଜୀବନଶୈଳୀ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା ଏବଂ ତାଙ୍କର ପରବର୍ତ୍ତୀ ଜୀବନ ସେହି ଆଦର୍ଶରେ ଗଢି ତୋଳିଥିଲେ ବୋଲି ପିଲାମାନେ ମତବ୍ୟକ୍ତ କରିଥିଲେ ।
ଅପରପକ୍ଷରେ ବଡହଳସ୍ଥିତ କେଏସ୍ଇ ହାୟର ସେକେଣ୍ଡାରୀ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ଡାଇରେକ୍ଟର ଇଂ ଜିତେନ କୁମାର ଦାନୀ ନେତାଜୀଙ୍କ ଜୀବନୀ ବିଷୟରେ ବର୍ଣ୍ଣନା କରିଥିଲେ । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ନେତାଜୀଙ୍କର ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ ।
ଭଦ୍ରକ: ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିଲୀପ ରାଉତରାଏ, ଏସ୍.ପି. ମାଡ଼କର ସନ୍ଦୀପ ସମ୍ପଦ, କର୍ଣ୍ଣେଲ ଏସ୍.ଏସ୍. ରାଘବଂଶୀ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ପ୍ରମୁଖ ବରେଣ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ସ୍କୁଲରେ ପହଞ୍ଚô ସେଠାରେ ଥିବା ନେତାଜୀ ଓ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଜିଲ୍ଲାସ୍କୁଲ ପିଲାଙ୍କ ବ୍ୟାଣ୍ଡବାଦନରେ ଅତିଥିମାନଙ୍କୁ ପାଛୋଟି ନିଆଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କାଙ୍କ ସଂଯୋଜନାରେ ଆୟୋଜିତ ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକ ତାପସ କୁମାର ଦାସ ଓ ଅନ୍ୟ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ରୋଟାରିଆନ୍, ସାମ୍ବାଦିକ ଅତିସ୍ କୁମାର ବେହେରା, ଭଦ୍ରକ ସର୍ବୋଦୟ ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀ ଜିଲ୍ଲା ସଂସ୍କୃତି କଳା ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା ଏନ୍.ସି.ସି.ର ଛାତ୍ରଛାତ୍ରୀ ଓ ଅଧିକାରୀ ଗଣ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।