ନ୍ୟୁଜିଲ୍ୟାଣ୍ଡକୁ ହରାଇଲା ଭାରତ : ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ନ୍ୟୁଜିଲ୍ୟାଣ୍ଡକୁ ହରାଇଲା ଭାରତ : ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ଭଦୋଦରା : ପ୍ରଥମ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡକୁ ଭାରତ ୪ ୱିକେଟରେ ପରାସ୍ତ କରିଛି । ଗୁଜରାଟର ଭଦୋଦରାସ୍ଥିତ କୋତମ୍ବି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତକୁ ୩୦୧ ରନର ବିଜୟ ଲକ୍ଷ୍ୟ ମିଳିଥିଲା । ଭାରତ ୪୯ ଓଭରରେ ୬ଟି ୱିକେଟ୍‌ ହରାଇ ୩୦୬ ରନ୍‌ କରି ବିଜୟୀ ହୋଇଥିଲା । ଏଥିରୁ ବିରାଟ କୋହଲି ୯୩ ରନ୍‌ କରିଛନ୍ତି । ଯେତେବେଳେ ୪୯ତମ ଓଭର ଆରମ୍ଭ ହେଲା ଭାରତକୁ ବିଜୟ ପାଇଁ ୧୨ ରନ୍‌ ଆବଶ୍ୟକ ଥିଲା । କେଏଲ ରାହୁଲ ଓଭରର ଚତୁର୍ଥ ଓ ପଞ୍ଚମ ବଲରେ ଲଗାତାର ଦୁଇଟି ଚୌକା ମାରି ସ୍କୋରକୁ ସମାନ କରିଥିଲେ । ଏହା ପରେ ସେ ଓଭରର ଶେଷ ବଲରେ ଏକ ଛକା ମାରି ଭାରତର ବିଜୟକୁ ନିଶ୍ଚିତ କରିଥିଲେ । କେଏଲ ରାହୁଲ ୨୧ ବଲ୍‌ରୁ ୨୯ ରନ କରି ଅପରାଜିତ ରହିଥିଲେ ।

   ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ଟି ୱିକେଟ ହରାଇ ୩୦୦ ରନ୍‌ ସଂଗ୍ରହ କରିଥିଲା । ଡେଭନ୍‌ କନୱେ ଏବଂ ହେନରୀ ନିକୋଲ୍ସ ନ୍ୟୁଜିଲାଣ୍ଡକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ । ଉଭୟ ବ୍ୟାଟର ପ୍ରଥମ ୱିକେଟ୍‌ ପାଇଁ ଏକ ଶତକୀୟ ଭାଗୀଦାରି କରିଥିଲେ । ନିକୋଲ୍ସ ପ୍ରଥମ ୱିକେଟ୍‌ କିପର ଥିଲେ ଯିଏ ୬୯ ବଲ୍‌ରେ ୬୨ ରନ କରି ବିଦାୟ ନେଇଥିଲେ । ତା’ପରେ ହର୍ଷିତ ରାଣା କନୱେଙ୍କୁ ଆଉଟ୍‌ କରିଥିଲେ, ଯିଏ ୬୭ ବଲରେ ୫୭ ରନ୍‌ କରିଥିଲେ । ଏହି ଆଉଟ୍‌ ହେବା ପରେ ନ୍ୟୁଜିଲାଣ୍ଡର ଇନିଂସ ମନ୍ଥର ହୋଇଥିଲା । କ୍ରିସ୍‌ କ୍ଲାର୍କ ୧୭ ବଲ୍‌ରେ ୨୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ନ୍ୟୁଜିଲାଣ୍ଡକୁ ୩୦୦ ରନ୍‌ରେ ପହଞ୍ଚାଇଥିଲେ । ଭାରତ ପାଇଁ ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ ଏବଂ ହର୍ଷିତ ରାଣା ପ୍ରତ୍ୟେକ ଦୁଇଟି ୱିକେଟ୍‌ ନେଇଥିଲେ । କୁଲଦୀପ ଯାଦବ ଗୋଟିଏ ୱିକେଟ୍‌ ନେଇଥିଲେ । ହର୍ଷିତ ଏକମାତ୍ର ଖେଳାଳି ଥିଲେ ଯିଏ ତାଙ୍କର ୧୦ ଓଭର ପୂରଣ କରିଥିଲେ । କିଙ୍ଗ୍‌ କୋହଲି ରବିବାର ମାଷ୍ଟର୍‌ ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଉ ଏକ ରେକର୍ଡ ଭାଙ୍ଗିଛନ୍ତି । ସଚିନଙ୍କୁ ଟପି ୨୮,୦୦୦ ଅନ୍ତର୍ଜାତୀୟ ରନ କରିବାରେ ବିଶ୍ୱର ଦ୍ରୁତତମ ବ୍ୟାଟର୍‌ ହୋଇଛନ୍ତି । ସଚିନ ୬୪୪ ପାଳି ଖେଳି ୨୮,୦୦୦ ରନ୍‌ର ପାହାଡ ଅତିକ୍ରମ କରିଥିଲା ବେଳେ କୋହଲି ମାତ୍ର ୬୨୪ ପାଳିରେ ଏହାକୁ ଛୁଇଁବାର ଗୌରବ ଅର୍ଜନ କରିଛନ୍ତି । ସେ ମଧ୍ୟ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରାଙ୍କୁ ଟପି ବିଶ୍ୱର ସର୍ବାଧିକ ରନ୍‌ ସଂଗ୍ରହକାରୀ ତାଲିକାରେ କେବଳ ସଚିନଙ୍କ ପଛକୁ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି ।