ପଞ୍ଚଲିଙ୍ଗେଶ୍ୱରରେ ପର୍ଯ୍ୟଟକଙ୍କୁ ଆକ୍ରମଣ

 ନୀଳଗିରି : ପଞ୍ଚଲିଙ୍ଗେଶ୍ୱର ପୀଠରେ ପର୍ଯ୍ୟଟକଙ୍କୁ ଦୋକାନୀ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଗତ ଫେବୃଆରୀ ୧୦ରେ ବାଲେଶ୍ୱର ସହର ସହଦେବଖୁଣ୍ଟା ଅଞ୍ଚଳର ରଞ୍ଜିତା ପରମାଣିକଙ୍କ ପରିବାର ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ଆସି ଶଯ୍ୟାରେ ବିଜେ ମହାଦେବଙ୍କୁ ପୂଜାର୍ଚ୍ଚନା କରି ଫେରିବାବେଳେ ରାସ୍ଥା ପାର୍ଶ୍ୱରେ ଥିବା ଏକ ଦୋକାନରୁ ଖେଳଣା କିଣୁଥିଲେ । ତେବେ ରଞ୍ଜିତାଙ୍କ ଅଢେଇ ବର୍ଷର ନାତି ରଞ୍ଜିତାଙ୍କ ଅଜ୍ଞାତରେ ଏକ ସାପ ଖେଳନା ନେଇ ଦୋକାନ ଠାରୁ କିଛି ଦୂରକୁ ଆସିଥିବା ବେଳେ ହଠାତ୍ ଦୋକାନୀ ବିନୋଦ ସେଠି ଖେଳଣା ଚୋରି ଅଭିଯୋଗ ଆଣି ଗାଳି ଗୁଲଜ କରିଥିଲେ । ଏକଥା ଜାଣି ରଞ୍ଜିତା ଓ ତାଙ୍କ ପରିବାର ଲୋକ ସେହି ଦୋକାନିକୁ ବୁଝାସୁଝା କରି ସେହି ସାପ ଖେଳଣାର ମୁଲ୍ୟ ଦେବାର କଥା କହିବା ପରେ ମଧ୍ୟ ସେ କିଛି ନ ଶୁଣି ପାଖ ଦୋକାନୀଙ୍କୁ ଡାକି ଆକ୍ରମଣ କରିଥିଲେ । ଫଳରେ ରଞ୍ଜିତାଙ୍କ ସ୍ୱାମୀ, ୨ ଝିଅ ଓ ପୁଅ ଆହତ ହୋଇଥିବା ବେଳେ ବଡଝିଅ ବେକରୁ ଏକ ୯ଗ୍ରାମର  ସୁନା ଚେନ୍କୁ ଛିଣ୍ଡାଇ ନେଇଥିଲେ ଦୋକାନି ଶ୍ରୀ ସେଠି ଓ ତାଙ୍କର କିଛି ସହଯୋଗୀ । ତେବେ ଏ ନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି । ଅପରପକ୍ଷରେ ଦୋକାନୀ ବିନୋଦ ସେଠୀଙ୍କ ସ୍ତ୍ରୀ ସୁଲଚନା ସେଠୀ ଏକ ପାଲଟା  ଅଭିଯୋଗ କରିଛନ୍ତିକି ତାଙ୍କ ଦୋକାନରୁ ସାପ ଖେଳନା ଚୋରି ଧରାପଡିବା ପରେ ରଞ୍ଜିତା ପରମାଣିକଙ୍କ ପରିବାର ଲୋକ ଆମ ଉପରେ ଆକ୍ରମଣ କରି ଆମର ଏକ ସୁନାଚେନକୁ ଛିଣ୍ଡାଇଛନ୍ତି । ଫଳରେ ପୁଲିସ ଉଭୟ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଏ ନେଇ ନୀଳଗିରି ଥାନାରେ ଦୁଇଟି ପୃଥକ୍ ପୃଥକ୍ ଭାବେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।