ପରହିତେ ପ୍ରାଣ ଉତ୍ସର୍ଗୀ ପୁରୁଷେ
ଡ.ସୁରେଶ କୁମାର ନାୟକ : ଜୀବନର ପ୍ରତିଟି କ୍ଷଣ ହିଁ ଯେତିକି ଆନନ୍ଦମୟ ସେତିକି କୃପାପୂର୍ଣ୍ଣ କିନ୍ତୁ ଆହ୍ୱାନ ଭରା । ଜୀବନରେ ଧର୍ମ ସାଧନ ପାଇଁ ସେପରି ନିର୍ଦ୍ଦିଷ୍ଟ ସମୟର ଅବଧି ନାହିଁ । ଏହି ଛୋଟିଆ ଆଲୋଚନାଟି ରଖିଲା ବେଳେ ଭକ୍ତକବି ମଧୁସୂଦନଙ୍କ ଅମୃତମୟ ଧାଡ଼ିଟି ଏଠାରେ ଉଦ୍ଧୃତ କରୁଛି - "ବାଲ୍ୟ କାଳୁ ଧର୍ମ, ଧନ ମୁଁ ସଞ୍ଚôବି ଏ ଜୀବନ ଅନିଶ୍ଚିତ । କେ ଜାଣେ କାହାର ଆଜି ମୃତୁ୍ୟକାଳ ହୋଇଯିବ ଉପସ୍ଥିତ । କ୍ଷୁଦ୍ର କଟ ଉଇ ଅଳ୍ପ ଅଳ୍ପ କରି ରଚଇ ବାଲ୍ମୀକ ଘର, ମୁହିଁ ସେହିପରି ସଞ୍ଚôବି ଯତନେ ପୁଣ୍ୟ ଧନ ନିରନ୍ତ । ସର୍ବ ଅଧିପତି ସର୍ବ ଅନ୍ତର୍ଯ୍ୟାମୀ ସର୍ବ ଶୁଭବୁଦ୍ଧି ଦାତା, ଧର୍ମର ଆକର ଅଟନ୍ତି ଈଶ୍ୱର ସର୍ବ ଭୁବନ ବିଧାତା ।'
ଟିକିଏ ନିରିଖେଇ ଚିନ୍ତା କରନ୍ତୁ । ଯେତେବେଳେ ଆପଣଙ୍କ ଜୀବନରେ ଦୁର୍ଦ୍ଦିନ ଆସେ, ସେତେବେଳେ ଆମ୍ଭମାନଙ୍କର କଣ ହୁଏ ତାହା ନୁହେଁ, ଦ୍ୁର୍ଦ୍ଦିନକୁ ଆମ୍ଭେମାନେ କେମିତି ମୁକାବିଲା କରିପାରୁଛନ୍ତି ତାହା ହିଁ ଗୁରୁତ୍ୱପୂର୍ଣ୍ଣ । ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ନ ଯାଇ, ତାକୁ ସକାରାତ୍ମକ ଭାବେ ଗ୍ରହଣ କରିବା ହିଁ ଜୀବନ ଧର୍ମ । ମନେରଖନ୍ତୁ, ବିପରୀତ ପରିସ୍ଥିତିରେ ବେଳେ ବେଳେ ଏହି ସବୁ ପ୍ରଶ୍ନର ପ୍ରାସଙ୍ଗିକତା ରହିଛି, ଯେମିତିକି ନିକଟରେ ସୃଷ୍ଟି ହୋଇଥିବା ପ୍ରତିବନ୍ଧକୁ ମୁଁ କେଉଁ ଦୃଷ୍ଟିରେ ଦେଖୁଛି? ଦୁର୍ଦ୍ଦିନର କେମିତି ମୁକାବିଲା କରୁଛି? ଦୁଃଖ ସମୟରେ ମୁଁ ମୋର ମାନସିକ ଆବେଗକୁ କିଭଳି ଭାବରେ ନିୟନ୍ତ୍ରଣ କରୁଛି? ମୋ ସହିତ ଘଟୁଥିବା ଘଟଣା ପ୍ରବାହକୁ କାହାଣୀ ଭାବରେ ନେଇ ନିଜକୁ ନିଜେ କଣ କହୁଛି? ଉତ୍ତରରେ ପାଇଯିବେ ସବୁ ସମସ୍ୟାର ସମାଧାନର ମାର୍ଗ ।
ଭାବନା ଶକ୍ତର ନିୟନ୍ତ୍ରଣ ଜରୁରି କାରଣ ବିପଦ ଯେତିକି କଠିନ ସେଠୁ ମୁକୁଳିବା ଫଳାଫଳ ସେତିକି ଗୌରବମୟ । ପ୍ରତ୍ୟେକଟି ପ୍ରତିକୂଳ ପରିସ୍ଥିତିକୁ ସୁଯୋଗ ଭାବରେ ଧରି ନିଅନ୍ତୁ । ନିଜ ଉପରେ ବିଶ୍ୱାସ ଜରୁରି । ଦୁଃଖ ଜୀବନରେ ଅପରିହାର୍ଯ୍ୟ ଏବଂ ଏହା ଯେ ଏକ ଅବିଚ୍ଛେଦ୍ୟ ଅଂଶ, ଏହି ସତ୍ୟକୁ ଗ୍ରହଣ କରି ନିଅନ୍ତୁ । ଜୀବନଟି ଯେ କର୍ମମୟ ସେ ସମ୍ପର୍କରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ବାଣୀଟି ମନେପଡ଼ି ଯାଉଛି - "ଏ ଜଗତ ସର୍ବ କର୍ମର ଆୟତ୍ତ, କର୍ମ ସୁଖ ଦୁଃଖ ହେତୁ । କର୍ମ କରେ ସ୍ୱର୍ଗ, ନରକ ରଚନା ଭୋଗ ଜାତ କର୍ମ କ୍ଷେତୁ । ସୁଖ ଦୁଃଖ ନୁହେଁ ଏ ଜୀବନ ଲକ୍ଷ୍ୟ । ଏକା କର୍ତ୍ତବ୍ୟ ସାଧନ । ମାନବ ଜୀବନ ଅର୍ଣ୍ଣବ ତରଣେ ହୁଅଇ ସିନା କାରଣ ।'
ଜୀବନରେ ବିପଦର ମୁକାବିଲା ପାଇଁ ଆଗକୁ ପ୍ରସ୍ତୁତ ହୋଇ ରହି ପାରିବାକୁ ସମର୍ଥ ହୋଇପାରିବା । ଆମେ ଯଦି ନିରାଶାବାଦୀ ହେବା ଓ ଶକ୍ତିହୀନ ମନେ କରିବା ତାହାହେଲେ ସମସ୍ୟାରୁ ମୁକୁଳିବାର ସବୁ ରାସ୍ତା ଆପେ ଆପେ ବନ୍ଦ ହୋଇଯିବ । ତେଣୁ ଆମେ ମାନେ ବିଶ୍ୱାସ ରଖିବା ଯେ ଆଗକୁ ବଢ଼ିବାର ସବୁ ରାସ୍ତା ଖୋଲିବାର କ୍ଷମତା ଆମ ମାନଙ୍କ ପାଖରେ ଅଛି । ଯେତେବଡ଼ ସମସ୍ୟା ଆସୁନା କାହିଁକି ବିଚଳିତ ନ ହୋଇ ଶାନ୍ତରେ ରହିବା ଏବଂ ଧରି ନିଅନ୍ତୁ କାହାଣୀରେ ଏକ ମୋଡ଼ ଆସିଲା, ଟନେଲ ଶେଷରେ ଆଲୁଅ ରହିଛି ଏବଂ ଏହି ସମୟ ମଧ୍ୟ କଟିଯିବ । ଦ୍ୱିତୀୟ ମନ୍ତ୍ର ହେଲା ନିଜ ଆଚରଣ ଓ ବ୍ୟବହାରକୁ ସଠିକ ମାର୍ଗରେ ପରିଚାଳନା କରନ୍ତୁ । ଯେତେବେଳେ କଠିନ ସମୟ ଦେଇ ଗତି କରୁଛନ୍ତି ଦୁଃଖ, ଶୋକ, ଅବସାଦରେ ସମୟ ନଷ୍ଟ କରନ୍ତୁନି । ମାନସିକ ଆବେଗ ସବୁକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ କେବଳ ସେହି ସବୁ କାମ କରନ୍ତୁ, ଯାହା କରିବା ନିହାତି ଦରକାର । ମନୋବଳକୁ ଦୃଢ଼ କରନ୍ତୁ । ଶକ୍ତ ହୁଅନ୍ତୁ ।
ଲକ୍ଷ୍ୟ ହାସଲ ପାଇଁ ନିରବଚ୍ଛିନ୍ନ ଭାବେ ଉଦ୍ୟମ ଜାରି ରଖନ୍ତୁ । ଯେଉଁ ସବୁ କ୍ଷେତ୍ର ଆପଣଙ୍କ ନିୟନ୍ତ୍ରଣରେ ଅଛି, ତାର ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରନ୍ତୁ । ଅତୀତରେ ଯେଉଁ ସବୁ କଠିନ ସମୟ ଅତିକ୍ରମ କରି ଆଗକୁ ବଢ଼ିଛନ୍ତି, ସେ ସବୁକୁ ମନେ ପକାନ୍ତୁ । ଆପଣଙ୍କ ଭିତରେ ଧୈର୍ଯ୍ୟ, ଆତ୍ମଶକ୍ତି ଓ ଆତ୍ମବିଶ୍ୱାସ ଜାଗ୍ରତ ହେବ । ଛୋଟମୋଟ ବିଫଳତାରୁ ଆପଣ ନିଜକୁ ଚିହ୍ନି ପାରିବେ, ନିଜ ଦୁର୍ବଳତାକୁ ଜାଣିବେ । ଲେଖକ ମାୟା ଆଞ୍ଜେଲୋ ଏକ ସାକ୍ଷାତକାରରେ କହିଥିଲେ "ଆମକୁ ହୁଏତ ଅନେକ ପରାଜୟର ସାମ୍ନା କରିବାକୁ ପଡ଼ିପାରେ କିନ୍ତୁ ଯେ କୌଣସି ପରିସ୍ଥିତିରେ ବି ମାନସିକ ସ୍ତରରେ ପରାଜିତ ହେବନାହିଁ । ତେଣୁ ପରାଜୟକୁ ସ୍ୱୀକାର କରନ୍ତୁନି । ପ୍ରତ୍ୟେକ ପରିସ୍ଥିତିରେ ଏକ ବିଜୟୀର ମନୋଭାବ ପୋଷଣ କରନ୍ତୁ ।' ଯାହା ନିଜ ନିୟନ୍ତ୍ରଣରେ ନାହିଁ ତାହା ଗ୍ରହଣ କରି ନିଅନ୍ତୁ । ନିଜ ସୀମା ସରହଦକୁ ପାଥେୟ କରି ଆଗକୁ ବଢ଼ନ୍ତୁ । ଯଦି ଡେଣା ନାହିଁ, ସ୍ୱପ୍ନରେ ବିଭୋର ହୋଇ ଆକାଶରେ ଉଡନ୍ତୁ । ଆପଣଙ୍କ ସାମ୍ନାରେ ଅନନ୍ତ ଆକାଶ । ନିଜର କର୍ମ, ନିଜର ନିଷ୍ପତ୍ତି ଓ ତାରି ଉପରେ ଆଧାରିତ ଫଳାଫଳ ପାଇଁ ନିଜକୁ ହିଁ ଦାୟୀ କରନ୍ତୁ । ବିପଦ ସାମ୍ନାରେ ଠିଆ ହୋଇ, କଠିନ ପରିସ୍ଥିତିର ଆଲିଙ୍ଗନରେ ଅଣନିଶ୍ୱାସୀ ନହୋଇ ଆନନ୍ଦ ଉଚ୍ଛସ୍ୱିତ ବିଜୟର ନିଆରା ଅନୁଭୂତି ଅନୁଭବ କରନ୍ତୁ । ଏହି ତିନିଟି ମନ୍ତ୍ରକୁ ପାଥେୟ କରି ଜୀବନର ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିକୁ ଆପଣ ମୁକାବିଲା କରିପାରିବେ । କୁରୁକ୍ଷେତ୍ର ରଣାଙ୍ଗନରେ ବିଷାଦଗ୍ରସ୍ତ ଅର୍ଜ୍ଜୁନଙ୍କୁ ଭଗବାନ ଶ୍ରୀକୃଷ୍ଣ ବୁଝାଇବାକୁ ଯାଇ କହିଥିଲେ - "କ୍ଲୈବ୍ୟଂ ମା ସ୍ମ ଗମଃ ପାର୍ଥ ନୈତତ୍ତ୍ୱଯୁ୍ୟପପଦ୍ୟତେ । କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ ତ୍ୟକ୍ତ୍ୱୋତ୍ତିଷ୍ଠ ପରନ୍ତପ ।' ସବୁ ସ୍ତରରେ ଦୁର୍ବଳତାକୁ ତ୍ୟାଗ ପୂର୍ବକ ମାନସିକ ଭାବରେ ଦୃଢ଼ ହୁଅନ୍ତୁ । ପ୍ରତିକୂଳ ପରିସ୍ଥିତି ଆପଣଙ୍କୁ ପୁଣିଥରେ, ଜୀବନର ମୂଲ୍ୟବୋଧର ମୂଲ୍ୟାଙ୍କନ କରିବାର ସୁଯୋଗ ଦେବ । ଲକ୍ଷ୍ୟହୀନ ଭାବେ ମାଡ଼ି ଚାଲିଥିବା ଜୀବନର ଧାରାକୁ ସଠିକ ମାର୍ଗଦର୍ଶନ ପାଇଁ ଜୀବନର ମୋଡ଼ ବଦଳାନ୍ତୁ । ଆପଣଙ୍କ ଆଗରେ ଆଶାର ଅସରନ୍ତି ଆଲୋକ, ତାକୁ କୋଳେଇ ନିଅନ୍ତୁ । ଆପଣ ପବନର ଗତି ହୁଏତ ବଦଳାଇ ପାରିବେନି କିନ୍ତୁ ପବନର ତାଳ ଦେଇ ଜୀବନ ନୌକାର ଦିଗ ନିଶ୍ଚିତ ଭାବରେ ନିର୍ଦ୍ଧାରଣ କରିପାରିବେ । ଲଭିଛନ୍ତି ତ୍ୟାଗେ, ପରାଣ ପୂର୍ଣ୍ଣତା ମରଣେ ନିତ୍ୟ ଜୀବନ । ଭୁବନ ବିଦିତ ଦଧୀଚ ଚରିତ, ପୁରାଣେ ତ ଅଛ ଶୁଣି । କହି ସ୍ୱସ୍ତି ସ୍ୱସ୍ତି ଦେଲେ ନିଜ ଅସ୍ତି, ବିଶ୍ୱ ହିତେ ମହାମୁନି । ନ ହୋଇ ବ୍ୟାକୁଳ ଗ୍ରାମ ହିତେ କୁଳ, ବରଜନ୍ତି ସାଧୁଜନ । ଦେଶହିତେ ଗ୍ରାମ ଜଗତେ କଲ୍ୟାଣେ କର ଦେଶ ବିସର୍ଜନ ।'