ପାଞ୍ଚଦିନ ପରେ କଂକ୍ରିଟ ଫାଟି ଅାଁ
କବାଟବନ୍ଧ : ନିର୍ମାଣର ପାଞ୍ଚଦିନ ପରେ କଂକ୍ରିଟ ଫାଟି ଅାଁ କରିଛି । ନିମ୍ନମାନର କାର୍ଯ୍ୟ ହେଉ କି ତ୍ରୁଟିପୂର୍ଣ୍ଣରୁ ୩ ଲକ୍ଷରେ ନିର୍ମିତ କଂକ୍ରିଟ ଫାଟିବା ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଡଏମ୍ଏଫ୍ ପାଣ୍ଠିର ସଦବିନିଯୋଗ ବଦଳରେ ଲାଭଖୋର ମନୋବୃତ୍ତିରେ କାର୍ଯ୍ୟ କରାଯାଇଥିବାରୁ ଦିନ ପାଞ୍ଚଟାରେ ଏଭଳି ଅବସ୍ଥା ବୋଲି ଅଭିଯୋଗ ହୋଇଛି । ସୂଚନା ଥାଉକି ପୂର୍ତ୍ତ ବିଭାଗ ରାସ୍ତାରୁ ସଂଯୋଗ ହେଉଥିବା ରେଖିଦେଇପୁର ଭଗିପୁର ଶିବ ମନ୍ଦିର ରାସ୍ତା ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ଡ଼ିଏମଏଫ ପାଣ୍ଠିରୁ ୨୦୨୩-୨୪ବର୍ଷରେ ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଉପରେ କଂକ୍ରିଟ ଢଳାଇ କରାଯାଇଛି । ଉକ୍ତ ରାସ୍ତାଟି ଗତ ମେ ମାସ ୨୭ତାରିଖ ଦିନ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କାର୍ଯ୍ୟଟି ଧର୍ମଶାଳା ବ୍ଲକ ଉପରେ ନ୍ୟସ୍ତ ରହିଥିବା ବେଳେ ବ୍ଲକ କନିଷ୍ଠଯନ୍ତ୍ରୀ ତଦାରଖ କରି କାମ କରିବାର ବ୍ୟବସ୍ଥା ରହିଛି । ଉକ୍ତ ରାସ୍ତାଟି ପାଞ୍ଚ ଦିନ ପୂର୍ବେ ସିମେଣ୍ଟ ଢଳାଇ କରାଯାଇଛି । ହେଲେ ଢଳାଇ ମଝିରୁ ଫାଟି ଦୁଇ ଫାଳ ହୋଇଯାଇଥିବା ଦେଖାଯାଇଛି । ଫାଟିଯାଇଥିବା ସ୍ଥାନକୁ ବାଲି ପକାଇ ଢାଙ୍କି ଦିଆଯାଇଥିବାର ଦୃଷ୍ଟି ଗୋଚର ହୋଇଛି । ଏହି ରାସ୍ତାଦେଇ ମନ୍ଦିରକୁ ଗାଡ଼ି ମୋଟର ଯିବା ଆସିବା କଳେ ସ୍ଥିତି ବେହାଲ ହୋଇପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଭଳି ନିମ୍ନମାନର କାର୍ଯ୍ୟକୁନେଇ ରେଖିଦେଇପୁର ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉକ୍ତ ନିର୍ମାଣ ରାସ୍ତାର ୨ଶହ ମିଟର ଦୂରରେ ଥିବା ପୁରୁଣା ଫଳକକୁ ରଙ୍ଗ ମାରି କାମ ଚଳାଇ ଦେଇଥିବାର ଦେଖାଯାଇଛି । ଏସଂକ୍ରାନ୍ତରେ ବ୍ଲକ କନିଷ୍ଠଯନ୍ତ୍ରୀ ପ୍ରଦୁ୍ୟଷ ଦାସଙ୍କ ପତିକ୍ରିୟା ନେବାରୁ ସେ କହିଥିଲେ ରାସ୍ତା ଢଳାଇ କାର୍ଯ୍ୟରେ ଅପରାହ୍ନ ୪ଘଟିକା ସମୟ ତଦାରଖ କରି ଫେରିଥିଲି । ପରେ ସନ୍ଧ୍ୟା ସମୟରେ ଏଭଳି ହୋଇଥିବ । ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।