ପୂର୍ବ ଉପକୂଳ ଶ୍ରମିକ ସଂଘର ଆନେ୍ଦାଳନ ଚେତାବନୀ

 ପାରାଦୀପ : ପାରାଦୀପ ସ୍ଥିତ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ (ଏଏମଏନଏସ) କମ୍ପାନୀ ର ଶ୍ରମିକ ମାରଣା ନୀତି ଓ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି କଂପାନୀର କାର୍ଯ୍ୟରତ ଶ୍ରମିକ । ୧୨ ଶହରୁ ଊଦ୍ଧ୍ୱର୍ ଶ୍ରମିକ ସଭ୍ୟ ଥିବା ଶ୍ରମିକ ନେତା ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱାଧୀନ ପୂର୍ବ ଉପକୂଳ ଶ୍ରମିକ ସଙ୍ଘ ପକ୍ଷରୁ ଏ ବାବଦରେ ପ୍ରତିବାଦ କରାଯାଇଛି । ତେବେ ଏ ସମସ୍ୟା ବାବଦରେ ଶ୍ରମିକ ସଙ୍ଘ ଦୀର୍ଘଦିନ ହେବ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କମ୍ପାନୀ ଏଥିପ୍ରତି ଦୃଷ୍ଟି ନଦେବାରୁ ସଙ୍ଘ ନେତୃତ୍ୱରେ ଶ୍ରମିକ ମାନେ ଘଣ୍ଟିକିଆ କାର୍ଯ୍ୟବନ୍ଦ ଆନେ୍ଦାଳନ କରିଥିଲେ । ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧି କରି ଅତିରିକ୍ତ ଜିଲ୍ଲାପାଳ ଉଭୟ କମ୍ପାନୀ କର୍ତ୍ତୃପକ୍ଷ ଓ ଶ୍ରମିକ ନେତାଙ୍କୁ ଡାକି ଘନ ଘନ ବୈଠକ ଡାକି ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ତେବେ ଘଟଣାକୁ ଦୀର୍ଘଦିନ ପୁରି ଯାଇଥିଲେ ମଧ୍ୟ କମ୍ପାନୀ ସେଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ଶ୍ରମିକ ମାନଙ୍କର ଧର୍ଯ୍ୟଚୁ୍ୟତି ଘଟି ଏକ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଏ ସଂକ୍ରାନ୍ତରେ ଶୁକ୍ରବାର ସନ୍ଧ୍ୟାରେ ସଙ୍ଘ କାର୍ଯ୍ୟାଳୟ ପରିସରରେ ସଂଘର ସଭାପତି ପ୍ରକାଶ ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ଜରୁରୀକାଳୀନ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସେଥିରେ ସଭାପତି ଶ୍ରୀ ତ୍ରିପାଠୀ ଙ୍କ ସମେତ ସଂଘର ସାଧାରଣ ସମ୍ପାଦକ ଅଭିମନୁ୍ୟ ବେହେରା, ସମ୍ପାଦକ ରନôାକର ଜେନା, ଉପଦେଷ୍ଟା ସର୍ବେଶ୍ୱର ବଳିୟାରସିଂହ ଉପସ୍ଥିତ ରହି କମ୍ପାନୀର ମନମୁଖୀ କାର୍ଯ୍ୟକଳାପର ଦୃଢ଼ ନିନ୍ଦା କରିଥିଲେ । ଏହି ସଭାରେ ଅନ୍ୟ ଶିଳ୍ପାନୁଷ୍ଠାନ ପରି ଏଏମଏନଏସ କମ୍ପାନୀ  ଶ୍ରମିକ ସଂଘକୁ ମାନ୍ୟତା ଦେବା, ନିୟମିତ ଅନ୍ତରରେ ଶ୍ରମିକ ଙ୍କର ଚୁକ୍ତିନାମା କରିବା ଏବଂ ଅନ୍ୟାୟ ଭାବେ ଶ୍ରମିକଙ୍କୁ ଛଟେଇ ନକରିବା ତିନୋଟି ମୌଳିକ ଦାବି ନେଇ ଶ୍ରମିକ ମାନଙ୍କୁ ନେଇ ସଂଘ କମ୍ପାନୀ ଫାଟକ ଆଗରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଧାରଣା ପ୍ରଦର୍ଶନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ଆନେ୍ଦାଳନ ସେପ୍ଟେମ୍ବର ୯ ତାରିଖରେ କରାଯିବା ନେଇ ଶ୍ରମିକ ନେତା ମାନେ ନିଷ୍ପତି ନେଇଥିବା ଜଣାପଡିଛି ।