ପୋତି ହୋଇ ଗଲାଣି ନାଳ ହୋଇ ପାରୁନି ଜଳ ନିଷ୍କାସନ; ଗ୍ରାମରେ ଜମୁଛି ବିଷାକ୍ତ ଜଳ

ପୋତି ହୋଇ ଗଲାଣି ନାଳ  ହୋଇ ପାରୁନି ଜଳ ନିଷ୍କାସନ; ଗ୍ରାମରେ ଜମୁଛି ବିଷାକ୍ତ ଜଳ

ବ୍ରହ୍ମବରଦା: ଜଳ ନିଷ୍କାସନ ପାଇଁ ଗ୍ରାମରେ ନାହିଁ ଡ୍ରେନେଜ ସୁବିଧା। ବର୍ଷା ଜଳରେ ଉବୁଟୁବୁ ହେଉଛି ଗାଁ ରାସ୍ତା, ଗଡ଼ିଆ ପୋଖରି ଓ ଚାଷଜମି। ଦୀର୍ଘ ଦିନ ଧରି ବର୍ଷା ପାଣି ଜମି ରହୁଥିବାରୁ ଅଳିଆ ଆବର୍ଜନା ସବୁ ପଚି ସେଠାରୁ ଦୁର୍ଗନ୍ଧ ବାହାରୁଛି । ରାସ୍ତା ଦେଇ ଗଲାବଳେ ନାକ କାନ ଫାଟି ପଡ଼ିବା ସହ ଜମି ରହିଥିବା ବିଷାକ୍ତ ଜଳ ସଂସ୍ପର୍ଶରେ ଆସି ଚର୍ମ ରୋଗର ଆଶଙ୍କା ଦେଖାଦେଇଛି। ଜଳ ନିଷ୍କାସନର ଏକ ମାତ୍ର ମାଧ୍ୟମ ଥିବା ନାଳଟି ଏବେ ଅନାବନା ଗଛଲତା, ପଙ୍କ କାଦୁଅରେ ପୋତି ହୋଇ ଯାଇଥିବାରୁ ଏବେ ଏପରି ହୀନସ୍ତା ଭୋଗିବାକୁ ପଡୁଛି ଗ୍ରାମବାସୀଙ୍କୁ । ସୂଚନା ଅନୁଯାୟୀ ରସୁଲପୁର ବ୍ଲକ ଅଧିନ ଅଭିଭକ୍ତ ବ୍ରହ୍ମବରଦା ପଞ୍ଚାୟତ ଅଞ୍ଚଳରେ ପାଖାପାଖି ୪୦ ହଜାରରୁ ଊଦ୍ଧ୍ୱର୍ ଲୋକେ ବସବାସ କରନ୍ତି। ଏଠାରେ ଲୋକେ ଦୈନନ୍ଦିନ ବ୍ୟବହାର କରୁଥିବା ଜଳ ଓ ବର୍ଷା ଜଳ ନିଷ୍କାସନ କରିବା ପାଇଁ ଡ୍ରେନେଜ ବ୍ୟବସ୍ତା ନାହିଁ। ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତା ଛଡା ଏବେ ସାମୁଦ୍ରିକ ବାତ୍ୟା ଦାନାର ଏବେ ଲଗାଣ ବର୍ଷା ଜାରିରହିଛି । ଉଭୟ ବ୍ରହ୍ମବରଦା ଓ ମହେଶ୍ୱରପୁର ପଞ୍ଚାୟତର ସବୁଜାଙ୍କ ବର୍ଷା ଜଳ ନିଷ୍କାସିତ ହୋଇ ପାରି ଗାଁ ମୁହାଁ ହେଉଛି। ପୂର୍ବରୁ ଗ୍ରାମର ବର୍ଷା ଓ ବନ୍ୟା ଜଳସବୁ ବ୍ରହ୍ମବରଦା ସାନ ପୋଖରିରୁ ଆଖୁଆ ନାଳକୁ ସଂଯୋଗ କରୁଥିବା ନାଳ ଦେଇ ନିଷ୍କାସିତ ହେଉଥିଲା । କିନ୍ତୁ ଧୀରେ ଧୀରେ ଉକ୍ତ ସାନ ପୋଖରୀକୁ ସଂଯୋଗ କରୁଥିବା ନାଳଟି ଅନାବନା ଗଛଲତା ଓ ପଙ୍କ କାଦୁଅରେ ପୋତି ହୋଇଯିବା ଦ୍ୱାରା ବର୍ଷା ଜଳ ଆଉ ପୂର୍ବପରି ନିଷ୍କାସିତ ହୋଇ ପାରୁନାହିଁ । ଫଳରେ ବର୍ଷା ଜଳ ଜମି ରହି ଗ୍ରାମରେ ନାନା ସମସ୍ୟା ଉପୁଯୁଛି । ଫସଲ ନଷ୍ଟ ହେବା ସହ ପାଣିରୁ ଦୁର୍ଗନ୍ଧ ବାହାରି ପରିବେଶ ଉପରେକୁ ପ୍ରଭାବ ପକାଉଛି । ତେଣୁ ତୁରନ୍ତ ବ୍ରହ୍ମବରଦା ସାନ ପୋଖରୀରୁ ଆଖୁଆ ନାଳ ବା ବାଳିଆ ଘାଇ ନାଳକୁ ସଂଯୋଗ କରୁଥିବା ନାଳକୁ ପୁନରୁଦ୍ଧାର କରିବା ପାଇଁ ଗ୍ରାମବାସୀ ମାନେ ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ଦାବି କରିଛନ୍ତି ।ପୋତି ହୋଇ ଗଲାଣି ନାଳ।