ପୌରାଞ୍ଚଳରେ ଚର୍ଚ୍ଚା; ଅଧ୍ୟକ୍ଷାଙ୍କ ବାର୍ତ୍ତା ଓ କାର୍ଯ୍ୟରେ ଭିନ୍ନତା : ନା ନବୀନଙ୍କ ଆଦର୍ଶ ଅନୁକରଣ କରୁଛନ୍ତି ନାଁ ବିକାଶକୁ ଗୁରୁତ୍ୱ ଦେଉଛନ୍ତି 

 ଯାଜପୁର/ବ୍ୟାସନଗର: ‘ନବୀନ ଆମର ଆଦର୍ଶ’, ‘ବିକାଶ ଆମର ସଂକଳ୍ପ’ ଏଭଳି ବାର୍ତା ଲେଖାଥିବା ଏକାଧିକ ବ୍ୟାନର ବ୍ୟାସନଗର ପୌରାଞ୍ଚଳରେ ଲାଗିଛି । ୨୦୨୫ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ପୂର୍ବକ ବ୍ୟାସନଗର ପୈାରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ସୌଜନ୍ୟରୁ ଲଗାଯାଇଥିବା ବ୍ୟାନରରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଯୁବ ନେତା ପ୍ରଣବ ପ୍ରକାଶ ଦାସଙ୍କ ଫଟୋ ରହିଛି । 
ମାସଟେରୁ ଅଧିକ ଧରି ଲାଗିଥିବା ବ୍ୟାନର ଗୁଡ଼ିକ କେଉଁଠି ଫାଟିଗଲାଣି ତ କେଉଁଠି ଗଳିପଡ଼ିଲା । ବ୍ୟାସନଗର ପୌରପାଳିକା ଗଳିକନ୍ଦି, ପୈାରରାଜନୀତି ଉପରେ ତୀକ୍ଷ୍ମ ନଜର ରଖିଥିବା ମହଲରୁ ଆରମ୍ଭ କରି ରାଜନୈତିକ ଖଟିରେ କିନ୍ତୁ ପୈାରାଧ୍ୟକ୍ଷାଙ୍କ ‘ନବୀନ ଆମର ଆଦର୍ଶ’, ‘ବିକାଶ ଆମର ସଂକଳ୍ପ’ବାର୍ତାକୁ ନେଇ ଚର୍ଚ୍ଚା ଲାଗିରହିଛି । ଯେଉଁ ଚର୍ଚ୍ଚାଟି ହେଉଛି, ତାହା ହେଲା, ଅଧ୍ୟକ୍ଷାଙ୍କ ବାର୍ତ୍ତା ଏବଂ କାର୍ଯ୍ୟରେ ଆକାଶ ପାତାଳ ଫରକ ବା ଭିନ୍ନତା ରହିଛି । ଅଧ୍ୟକ୍ଷା ନାଁ ନବୀନଙ୍କ ଆଦର୍ଶ ଅନୁକରଣ କରୁଛନ୍ତି ନାଁ ବିକାଶକୁ ଗୁରୁତ୍ୱ ଦେଉଛନ୍ତି । ଏକଥା ରାଜନୈତିିକ ଖଟିରେ ନୀଇତି ଆଲୋଚନା ହେଉଛି । ରାଜନୈତିକ ଖଟି ଏବଂ ପୈାରରାଜନୀତି ଉପରେ ନଜର ରଖିଥିବା ମହଲର ଚର୍ଚ୍ଚା ଅନୁଯାୟୀ ଅଧ୍ୟକ୍ଷା ଶୁଭେଚ୍ଛା ବାର୍ତାର ପ୍ରଥମ ପାରା ‘ନବୀନ ଆମର ଆଦର୍ଶ’କୁ ଅନୁକରଣ କରୁଛନ୍ତି କି? ୨୪ବର୍ଷ ଧରି ସରକାରରେ ଥିବା ବିଜେଡ଼ିକୁ ଓଡ଼ିଶାବାସୀ ବିରୋଧି ଦଳରେ ବସାଇଛନ୍ତି । ଶାସକରୁ ବିରୋଧି ଦଳର ନେତା ହୋଇଥିବା ନବୀନ ପଟ୍ଟନାୟକ ସରକାରରୁ ଯିବା ପରେ ଦଳୀୟ କର୍ମୀ ଏବଂ ନେତାଙ୍କୁ ଏକାଠି ହୋଇ ରହିବା ଏବଂ ଲୋକଙ୍କ ପାଇଁ କାର୍ଯ୍ୟ କରିବାର ପରାମର୍ଶ ଦେଇଥିଲେ । ୭ମାସ ତଳେ ଯାହା କହିଥିଲେ ଆଜିବି ସମାନ କଥା କହୁଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଅତଏବ ଦଳର ଗଣ୍ଡି ଭିତରେ ରହି ସମସ୍ତେ କାର୍ଯ୍ୟ କର, ଜଳକୁ ମଜବୁଦ ରଖ ।ହେଲେ ନବୀନଙ୍କୁ ଆଦର୍ଶ ବୋଲି ଅଭିହିତ କରୁଥିବା ପୈାରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ନବୀନଙ୍କ ଆଦର୍ଶକୁ ଅନୁକରଣ କରୁ ନାହାନ୍ତି । ଯଦି ତାହା କରୁଥାନ୍ତେ, ତେବେ ବିଜେଡ଼ି ପାରିଷଦ ତାଙ୍କ ବିରୁଦ୍ଧରେ ମେଳି କରିନଥାନ୍ତେ କି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିନଥାନ୍ତେ । ଅଧ୍ୟକ୍ଷା ଓ ବିଜେଡ଼ି ପାରିଷଦଙ୍କ ମଧ୍ୟରେ ପଡ଼ୁନି, ଏକଥା କେବେ ଠୁ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ବିଭିନ୍ନ ବୈଠକରେ ପାରିଷଦ ଏକାଠି ହେଉଥିଲେ ହେଁ ଅଧ୍ୟକ୍ଷା ଅନୁପସ୍ଥିତ ରହିଥାନ୍ତି । ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ବି ଅଧ୍ୟକ୍ଷାଙ୍କୁ ଦେଖିବାକୁ ମିଳେନି । ଯାହାର ବଡ଼ ପ୍ରମାଣ ହେଉଛି ବିଜେଡ଼ି ପ୍ରତିଷ୍ଠା ଦିବସ । ମହାଆଡ଼ମ୍ବରରେ ପାଳିତ ପ୍ରତିଷ୍ଠା ଦିବରେ ବିଜେଡ଼ି ପାରିଷଦ ଉପସ୍ଥିତ ରହିଥିଲେ ହେଁ ଅଧ୍ୟକ୍ଷା ସଙ୍ଗୀତା କିନ୍ତୁ ପାଦ ପକାଇବାକୁ ଉଚିତ ମଣିନଥିଲେ । କେବେଠାରୁ ଦଳୀୟ ପାରିଷଦ-ଅଧ୍ୟକ୍ଷାଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଚାଲିଆସୁଥିବା ବେଳେ ପରିସ୍ଥିତ ଭିନ୍ନମୋଡ଼ ଆଡ଼କୁ ଗତି କରିବାରେ ଲାଗିଛି । ଏକଥା ଯେ ବିଜେଡ଼ି ପରିଚାଳକ ଅବଗତ ନୁହଁନ୍ତି, ତାହା ନୁହେଁ ହେଲେ ପୈାର ବିଜେଡିରେ ଚାଲିଥିବା କଳିର ସମାଧାନ ବାହାର କରିବାକୁ ସମର୍ଥ ହେଉ ନାହାନ୍ତି । କୈାଣସି ସଂକଟକୁ ସମ୍ମୁଖିନ ହେବାକୁ ଅଧ୍ୟକ୍ଷା ସଂଖ୍ୟା ଗଣିତ ଉପରେ ଫୋକସ କରି ପାରିଷଦଙ୍କୁ ବାସିରେ ପଚାରୁନଥିବା ପୌରାଞ୍ଚଳରେ ଚର୍ଚ୍ଚା ହେଉଛି । ଏଭଳି କିଛି କାରଣ ପାଇଁ ପୈାରାଧ୍ୟକ୍ଷା ସଙ୍ଗୀତାଙ୍କ ପ୍ରଥମ ବାର୍ତା ‘ନବୀନ ଆମର ଆଦର୍ଶ’ କେବଳ ଭୁଅାଁ ବୁଲାଇବା ଛଡ଼ା ଆଉ କିଛି ନୁହେଁ ବୋଲି ରାଜନୈତିକ ଖଟିରେ ଆଲୋଚନା ହେଉଛି । ସଙ୍ଗୀତାଙ୍କ ଦ୍ୱିତୀୟ ବାର୍ତା ‘ବିକାଶ ଆମର ସଂକଳ୍ପ’ ।  ତିନିବର୍ଷ ଧରି ଅଧ୍ୟକ୍ଷା ଆସନରେ ବସିଥିବା ସଙ୍ଗୀତାଙ୍କ ସମୟରେ ପୌର ବିକାଶ କି ପ୍ରକାର ହୋଇଛି, ତାହା ରାସ୍ତାଘାଟ, ପରିମଳ ପ୍ରମାଣିତ କରୁଛି । ପୈାର ରାସ୍ତା ଖାଲଖମାରେ ଭର୍ତି । ପରିମଳ ବ୍ୟବସ୍ଥା କେବଳ ସଫେଇ ଠିକାଦାର ପୋଷଣରେ ଚାଲିଛି । ପୈାରବାସୀ ବ୍ୟାସନଗର ବିକାଶକୁ ବିଦ୍ରୁପ କରୁଛନ୍ତି । ରାତିକଥା ଛାଡ଼ ଦିନରେ ବି ମଶାଙ୍କ ଉତ୍ପାତରୁ ପୈାରବାସୀ ନିସ୍ତାର ପାଉନାହାନ୍ତି । ବର୍ଷା ହେଲେ ଘର ଭିତରକୁ ପାଣି ପସିଯାଉଛି । ଫେବର ବ୍ଲକ ରାସ୍ତା ନାଁରେ ବିକାଶ କଥା କୁହାଯାଇ ଡ଼ିଣ୍ଡିମ୍ଭ ପିଟାଯାଉଛି । ପୈାରାଧ୍ୟକ୍ଷା ସଙ୍ଗୀତାଙ୍କ ବିକାଶ ଆମର ସଂକଳ୍ପ କେବଳ ପ୍ରଚାର ସର୍ବସ୍ୱ ବୋଲି କେବଳ ରାଜନୈତିକ ଖଟିରେ ନୁହେଁ ପୈାରାଂଚଳର ୨୬ଗୋଟି ୱାର୍ଡ଼ରେ ଚର୍ଚ୍ଚା ହେଉଛି । ‘ଆଦର୍ଶ’ ଓ ‘ବିକାଶ’ ସଂକଳ୍ପକୁ ବିଜେଡ଼ି ଏବଂ ପୈାରବାସୀ କେତେଦିନ ହଜମ କରୁଛନ୍ତି,ତାହା କେବଳ ଦେଖିବାର ଅଛି ।