ପ୍ରଥମ ବକ୍ତବ୍ୟ ପ୍ରଦାନ


ଅଧ୍ୟାପକ ରାଜକିଶୋର ରାୟ ଢେଙ୍କାନାଳ- କେନ୍ଦୁଝର ବିଦ୍ୟାଳୟ ସମୂହର ମଣ୍ଡଳ ପରିଦର୍ଶକ ଥିଲେ  । ମୁଁ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ସେ ମାର୍ଥାପୁର  ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ  ।  ସେ ଜଣେ ସାହିତି୍ୟକ, କଳାକାର ଓ ବକ୍ତା ଯାହାଙ୍କୁ ଗ୍ରାମବାସୀଙ୍କ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ ନିମିତ୍ତ  ଗୋଟିଏ ସଭାର ଆୟୋଜନ ବିଦ୍ୟାଳୟ ପରିସରରେ କରାଯାଇଥିଲା  । ସଭା ଆରମ୍ଭ ହେବା ପୂର୍ବରୁ ସେ ଆମ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ମହାନ୍ତିଙ୍କୁ ପଚାରିଲେ, ବିଦ୍ୟାଳୟର ଛାତ୍ରମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜ୍ଞାନସଂପନ୍ନ କେହି ଛାତ୍ର ବା ଛାତ୍ରୀ ଅଛନ୍ତି କି ନାହିଁ  । ପ୍ରଧାନ ଶିକ୍ଷକ ମୋ ନାମ କହିଲେ  । ତେଣୁ ମୋତେ ପ୍ରଧାନ ଶିକ୍ଷକ ଡକାଇ ପଠାଇଲେ  । ମୁଁ ଯାଇ ପରିଦର୍ଶକ ଓ ପ୍ରଧାନଶିକ୍ଷକଙ୍କୁ ପ୍ରଣାମ କରିବା ପରେ ଅଧ୍ୟାପକ ରାୟ ମୋତେ ପଚାରିଲେ, ‘ତୁମେ କ’ଣ କ’ଣ ଆଧ୍ୟାତ୍ମିକ ପୁସ୍ତକ ପଢିଛ ? ମୁଁ ଉତ୍ତର ଦେଲି, ‘ପ୍ରତିଦିନ ଶ୍ରୀମଦ ଭଗବତ ଗୀତାର ଦଶଗୋଟି ଶ୍ଳୋକ, ଶ୍ରୀରାମ ଚରିତ ମାନସ କିଛି କିଛି ପଢେ ଏବଂ ମଝିରେ ସମୟ ପାଇଲେ ସ୍ୱାମୀ ବିବେକାନନ୍ଦ, ସ୍ୱାମୀ ଶିବାନନ୍ଦ, ସ୍ୱାମୀ, ଚିଦାନନ୍ଦ ପ୍ରଭୃତିଙ୍କ ରଚନା କିଛି ପଢେ ତଥା ପ୍ରତି ସନ୍ଧ୍ୟାରେ ଠାକୁର ଘରେ ଓଡ଼ିଆ ଭାଗବତ ଗୋଟିଏ ଲେଖାଏଁ ଅଧ୍ୟାୟ ପଢେ  । ସେ ଖୁସି ହେଲେ ଏବଂ କହିଲେ ‘ ଆଜି ସଭାରେ ତୁମେ ତିରିଶି ମିନିଟ୍ ‘ଆଧ୍ୟାତ୍ମିକ ଶିକ୍ଷାର ଆବଶ୍ୟକତା’ ଉପରେ କହିବ ।’ 
ଅପରାହ୍ନ ତିନିଟା ବେଳକୁ ସଭା ଆରମ୍ଭ ହେଲା  । ମଣ୍ଡଳାଧୀଶ ଶ୍ରୀଯୁକ୍ତ ରାୟ ମୁଖ୍ୟଅତିଥି, ପ୍ରଧାନଶିକ୍ଷକ ସଭାପତି ଓ ଆମ ଗାଁର ଶ୍ରୀଯୁକ୍ତ ଭୁବନେଶ୍ୱର ମିଶ୍ର ସମ୍ମାନିତ ଅତିଥି ଥାଆନ୍ତି  । ପୂର୍ବରୁ କିଛି ଛାତ୍ରଛାତ୍ରୀଙ୍କୁ ଆବାହନୀ ସଙ୍ଗୀତ ଗାନ କରିବାକୁ ଶିକ୍ଷା ଦିଆଯାଇଥିଲା  । ସଭା ଆରମ୍ଭରେ ସେମାନେ ଆବାହକ ସଙ୍ଗୀତ ଗାନ କଲେ  । ତାପରେ ପ୍ରଧାନଶିକ୍ଷକ ମୋ ନାଁ ଡାକିଲେ ଏବଂ ବକ୍ତବ୍ୟ ପ୍ରଦାନ କରିବାକୁ  କହିଲେ  । ମୁଁ ଭୟରେ ଥରୁଥାଏ  । ତଥାପି ବାଲୁଙ୍କେଶ୍ୱରଙ୍କୁ ସ୍ମରଣ କରି ବକ୍ତବ୍ୟ ପ୍ରଦାନ କଲି  । ପ୍ରଥମେ ସଭାପତି, ମୁଖ୍ୟଅତିଥି, ସମ୍ମାନିତ ଅତିଥି, ଉପସ୍ଥିତ ଗ୍ରାମବାସୀ, ଶିକ୍ଷକ ବୃନ୍ଦଙ୍କୁ ସମ୍ମାନ ଓ ପ୍ରଣତି ଜଣାଇ ମୋର ଅଭିଭାଷଣ ଆରମ୍ଭ କଲି  । ଶିକ୍ଷା ମନୁଷ୍ୟର ଆଭ୍ୟନ୍ତରୀଣ ରୁଚିକୁ ମାର୍ଜିତ କରିଥାଏ  । ମନୁଷ୍ୟର ଆଭ୍ୟନ୍ତରୀଣ ସତ୍ୟତା ହେଉଛି ସେ ଗୋଟିଏ  ମନ ବା ଶରୀର ନୁହେଁ, ତା’ର ଆଭ୍ୟନ୍ତରୀଣ ସତ୍ୟତା ହେଉଛି ସେ ଏକ ଆଧ୍ୟାତ୍ମିକ ସତ୍ତା  । ଏହି ସତ୍ତାଟି ତା’ ଭିତରେ ଥିବା ପର୍ଯ୍ୟନ୍ତ ସେ ଜୀବିତ ତଥା ସତ୍ତାଟି ଅନ୍ତର୍ହିତ ହେଲେ ସେ ମୃତ  । ସେହି ସୂକ୍ଷ୍ମ ଆଧ୍ୟାତ୍ମିକ ସତ୍ତା ହିଁ ମନୁଷ୍ୟର ପ୍ରକୃତ ସ୍ୱରୂପ ବା ଆଭ୍ୟନ୍ତରୀଣ ସତ୍ୟତା  । ଜଣେ କିଶୋର ବୟସର ଛାତ୍ର ବା ଛାତ୍ରୀଙ୍କୁ ଏପରି ଶିକ୍ଷା ଦିଆଯିବା ଉଚିତ ଯେ ସେ ଯେପରି ତା’ର ପ୍ରକୃତ ସ୍ୱରୂପ ବା ଆଧ୍ୟାତ୍ମିକ ସତ୍ତାଟିକୁ ଚିହ୍ନିପାରିବ  ।  ପ୍ରାଚୀନ ଭାରତର ଗୁରୁକୁଳ ଆଶ୍ରମରେ ଗୁରୁମାନେ ଛାତ୍ରମାନଙ୍କୁ ଏହି ପ୍ରକାର ଶିକ୍ଷା ପ୍ରଦାନ କରୁଥିଲେ  । ମୁନି ଋଷିଗଣ ସେହି ସୂକ୍ଷ୍ମ ଆଧ୍ୟାତ୍ମିକ ସତ୍ତାକୁ ଆତ୍ମା ନାମରେ ଅଭିହିତ କରିଛନ୍ତି  । ସେହି ଆତ୍ମା ସମ୍ବନ୍ଧୀୟ ଶିକ୍ଷାର ନାମ ଆଧ୍ୟାତ୍ମିକ ଶିକ୍ଷା  । ଆଧ୍ୟାତ୍ମିକ ଶିକ୍ଷାରୁ ପ୍ରାପ୍ତ ଜ୍ଞାନ  ହିଁ ଛାତ୍ରଙ୍କୁ ପବିତ୍ର କରିଥାଏ  । ଶ୍ରୀମଦ ଭଗବତ ଗୀତା ଚତୁର୍ଥ ଅଧ୍ୟାୟ ଅଠତିରିଶି ଶ୍ଳୋକରେ ପରଂବ୍ରହ୍ମ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି :-
ନହିଜ୍ଞାନେନ ସଦୃଶଂ ପବିତ୍ର ମହି ବିଦ୍ୟତେ.
ତତ୍ସ୍ୱୟଂ ଯୋଗସଂସିଦ୍ଧଃ କାନେ୍ଦନାତ୍ମନି ବିନ୍ଦତି  ।
ଅର୍ଥାତ୍, ଏହି ସଂସାରରେ ଜ୍ଞାନସମାନ ପବିତ୍ରକାରକ ତତ୍ତ୍ୱ ଆଉ କିଛି ନାହିଁ; ଦୀର୍ଘକାଳ ଧରି କର୍ମଯୋଗ ଦ୍ୱାରା ଶୁଦ୍ଧ ଅନ୍ତଃକରଣ ପ୍ରାପ୍ତ ମନୁଷ୍ୟ ଏହି ଜ୍ଞାନକୁ ସ୍ୱତଃ ଆତ୍ମାରେ ପାଇପାରନ୍ତି  । ତେଣୁ ପ୍ରାଚୀନ ଯୁଗରେ ମୁନିଋଷିଗଣ ଆତ୍ମଜ୍ଞାନକୁ ଯଥାର୍ଥ ଜ୍ଞାନ ବୋଲି ବିବେଚନା କରିଥିଲେ ତଥା ଶିଷ୍ୟମାନଙ୍କୁ କିଶୋର ବୟସକୁ ଆତ୍ମଜ୍ଞାନ ଶିକ୍ଷା ପ୍ରଦାନ କରୁଥିଲେ  ।  ଏହାଦ୍ୱାରା ଶିଷ୍ୟ ବୃନ୍ଦଙ୍କର ଜୀବନ ସତ୍ୟାନୁସନ୍ଧାନର ରୁଚିରେ ଊଦ୍ଧ୍ୱର୍ମୁଖୀ ହେଉଥିଲା  । ଏହି ଶିକ୍ଷା ଦ୍ୱାରା ବୁଦ୍ଧି ସହିତ ବିଶ୍ୱାସ, ବସ୍ତୁ ସହିତ ଆତ୍ମା ଏବଂ ବିଶ୍ୱ ସହିତ ମନୁଷ୍ୟର ଏକ ଆତ୍ମିକ ସୁସଂପର୍କ ସ୍ଥାପନ ହୋଇପାରୁଥିଲା  । 
ଏହି ଶିକ୍ଷାରୁ ଜଣେ ଶିଷ୍ୟ ନିଜର ଐଶ୍ୱରୀୟ ସତ୍ତା, ବିଶ୍ୱର ସକଳ ପ୍ରାଣୀଙ୍କ ଭିତରେ ଥିବା ଐକ୍ୟବୋଧ ଓ ଗଭୀର ଧର୍ମାନୁଭବ ଉପଲବ୍ଧ କରିପାରୁଥିଲା  । ତା’ର ପରବର୍ତ୍ତୀ ଜୀବନ ସଂପୂର୍ଣ୍ଣ ଭାବରେ ଆଧ୍ୟାତ୍ମିକ ଓ ମାନବୀୟ ମୂଲ୍ୟାଙ୍କନ ଉପରେ ନିର୍ଭରଶୀଳ ହୋଇପାରୁଥିଲା  । ଗୁରୁକୁଳମାନଙ୍କରେ କେବଳ ସେ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରାଯାଉଥିଲା, ତାହା ନୁହେଁ  । ସେଠାରେ ଆଧ୍ୟାତ୍ମିକ ଶିକ୍ଷା ସହିତ ବୈଷୟିକ ଶିକ୍ଷା ମଧ୍ୟ ଦିଆଯାଉଥିଲା  । ବର୍ତ୍ତମାନ ବିଦ୍ୟାଳୟମାନଙ୍କରେ ଜୀବନର ଭୋ÷ତିକ ଆବଶ୍ୟକତାକୁ ଆଧାର କରି ଭିନ୍ନ ସ୍ୱାଦର ଶିକ୍ଷା ପ୍ରଚଳିତ  । ଏହି ଶିକ୍ଷାରେ ଅର୍ଥାଗମ ଶକ୍ତି ଥିଲେ ହେଁ ଜୀବନର ଆଭ୍ୟନ୍ତରୀଣ ସତ୍ତା ଅନୁଭବ କରିବାର ମାଧୁର୍ଯ୍ୟ ନାହିଁ  । ବୈଷୟିକ ଶିକ୍ଷା ଦ୍ୱାରା ଜଣେ ଛାତ୍ର ଭବିଷ୍ୟତରେ ରୋଜଗାରକ୍ଷମ ହୋଇପାରୁଥିଲେ ହେଁ ନିଜର ସତ୍ୟତାକୁ ଜାଣିପାରୁନାହିଁ  । ଫଳରେ  ପରସ୍ପର ମଧ୍ୟରେ ହିଂସା, ପ୍ରତିହିଂସା, ବିରୋଧ, ସଂଘର୍ଷ ବଢିବାକୁ ଲାଗିଛି  । ଜଣେ ନିଜର ପ୍ରକୃତ ସତ୍ୟସ୍ୱରୂପ ଜାଣିଲେ କାହାକୁ ହିଂସା ବା ବିରୋଧ କରିବ ନାହିଁ  । ତେଣୁ ବୈଷୟିକ ଶିକ୍ଷା ସହିତ ଆଧ୍ୟାତ୍ମିକ ଶିକ୍ଷାର ପ୍ରଚଳନ ହେଲେ ମାନବଜାତି ନିମିତ୍ତ କଲ୍ୟାଣକର ହେବ  । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ,ବର୍ତ୍ତମାନ ସତ୍ଚରିତ୍ରର ମହତ୍ତ୍ୱ ନାହିଁ  । ଅନେକ ଲୋକଙ୍କର ଉଚ୍ଚାରଣ ଓ ଆଚରଣ ମଧ୍ୟରେ ପ୍ରଭେଦ ପରିଦୃଷ୍ଟ  । ଗୋଟି, ଚତୁର ବେପାରୀ ସଦୃଶ ପ୍ରତ୍ୟେକ ଆପଣାର ସୁଖ ଓ ସମୃଦ୍ଧିର ଆୟୋଜନରେ ବ୍ୟସ୍ତ  । ସଭିଁଏ ପ୍ରତ୍ୟେକ କାମ ଓ କଥାରେ କପଟତାର ଆଚରଣ କରୁଛନ୍ତି  । ଦୁର୍ନୀତି, ଅନୀତି, ଅନ୍ୟାୟ, ଅତ୍ୟାଚାର, ହିଂସା ପ୍ରଭୃତି ଦିନକୁ ଦିନ ବଢିବାରେ ଲାଗିଛି  । ବହୁ ଲୋକଙ୍କର ଧର୍ମ ଓ ଈଶ୍ୱରଙ୍କ ଉପରେ ବିଶ୍ୱାସ ନାହିଁ  । ସ୍ନେହ, ପ୍ରେମ ଶାନ୍ତି ଓ ମୈତ୍ରୀ ଆଉ ନାହିଁ  । ଏ ସବୁର ଏକମାତ୍ର କାରଣ ହେଉଛି ଆଧ୍ୟାତ୍ମିକ ଶିକ୍ଷାର ଅଭାବ  । ଶୈଶବ କାଳରୁ ଆଧ୍ୟାତ୍ମିକ ଶିକ୍ଷାର ଉପାଦେୟତା ରହିଛି  । ପ୍ରତିଟି ବାପା ମାଆ ଏଥିନିମିତ୍ତ ସଜାଗ ହେବା ଉଚିତ୍  । ଗୋଟିଏ ଶିଶୁକୁ ମୂଳରୁ ବୈଷୟିକ ଶିକ୍ଷା ସହିତ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରାଯାଇପାରିଲେ ଭବିଷ୍ୟତରେ ସେ ଚରିତ୍ରବନ୍ତ ସୁନାଗରିକ ହୋଇପାରିବ  । ଆଧ୍ୟାତ୍ମିକ ଶିକ୍ଷାର ଉପାଦେୟତା ରହିଛି  ।  ଆଧ୍ୟାତ୍ମିକ ଶିକ୍ଷା ହୃଦୟରେ ଆତ୍ମଜ୍ଞାନ ଉଦୟ କରାଇ ବ୍ୟକ୍ତିତ୍ୱକୁ ଆତ୍ମ ଶକ୍ତିରେ ସମୃଦ୍ଧ କରିଥାଏ  । ବର୍ତ୍ତମାନ ବୈଷୟିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇ ଆଧ୍ୟାତ୍ମିକ ଶିକ୍ଷାକୁ ଅବହେଳା କରାଯାଇଛି  । ଫଳରେ ହୃଦୟରେ ଆଧ୍ୟାତ୍ମ ଆଲୋକ ପ୍ରଜ୍ଜ୍ୱଳିତ ହୋଇପାରୁନାହିଁ  । ପ୍ରାଥମିକ ଶିକ୍ଷା କାଳରୁ ଆଧ୍ୟାତ୍ମିକ ଶିକ୍ଷା ଦିଆଯାଇପାରିଲେ ସମଗ୍ର ବିଶ୍ୱ ଏକ ଶିକ୍ଷାଳୟ ପାଲଟିଯିବ  । ଆମ ଭାରତ ଏକ ଧର୍ମନିରପେକ୍ଷ ଦେଶ ହୋଇଥିବାରୁ, ଅନେକ ଭାବନ୍ତି ଏହି ଦେଶରେ ଆଧ୍ୟାତ୍ମିକ ଶିକ୍ଷା ଦିଆଯାଇପାରିବ ନାହିଁ  । ସେମାନଙ୍କର ଧାରଣା ଭୁଲ  । ଆଧ୍ୟାତ୍ମିକ ଶିକ୍ଷାକୁ ଧର୍ମ ଶିକ୍ଷା ପଦବାଚ୍ୟ କଲେ ଏତାଦୃଶ ଭାବନା ଜାତ ହୋଇପାରେ  । ପ୍ରକୃତରେ  ଆଧ୍ୟାତ୍ମିକ ଶିକ୍ଷା ଆମକୁ ଶାନ୍ତ, ସଂଯତ, ବିନୀତ, ସତ୍ୟଶ୍ରଦ୍ଧ ଓ ଅହଂଶୂନ୍ୟ କରିଥାଏ, ଯେଉଁ ଗୁଣଗୁଡିକ ମନୁଷ୍ୟର ଧର୍ମ  । ଆଧ୍ୟାତ୍ମିକ ଶିକ୍ଷା ବିନା ଆମେ ମନୁଷ୍ୟ ଗୁଣକୁ ପରିହାର କରି ପାଶବିକ ଗୁଣର ଅଧିକାରୀ ହେଉଅଛୁ  । ଆଧ୍ୟାତ୍ମିକ ଶିକ୍ଷା ଦ୍ୱାରା ମନୁଷ୍ୟ ବିଶ୍ୱର ସର୍ବପ୍ରାଣୀଙ୍କ ଭିତରେ ସର୍ବଶ୍ରେଷ୍ଠ ଚେତନାଯୁକ୍ତ ଜୀବ ଭାବରେ ପରମ ସତ୍ୟର ନିକଟତର ହେବ  । ଏହି କାରଣରୁ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନର ଆବଶ୍ୟକତା ରହିଛି  । ମୋତେ ତିରିଶ ମିନିଟ ସମୟ ଦିଆଯାଇଥିଲେ ହେଁ ଜ୍ଞାନୀ, ଗୁଣୀ, ଶିକ୍ଷକ ଓ ଗୁରୁଜନଙ୍କ ସମ୍ମୁଖରେ ବେଶୀ କଥା କହିବାକୁ ମୋତେ ଭୟ ଲାଗୁଛି  । ଆପଣମାନେ ଭାବୁଥିବେ ଜଣେ ଦଶମ ଶ୍ରେଣୀ ଛାତ୍ର ଏ ପ୍ରକାର ଜ୍ଞାନ ପାଇଲା କେଉଁଠୁ  । ଏସବୁ ବିଷୟ ଆମ ବିଦ୍ୟାଳୟରେ ପଢାଯାଏ ନାହିଁ  । ମୋ ପୂଜା ପିତୃଦେବ ଜଣେ ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀ ଓ ପରମପୂଜ୍ୟ ସ୍ୱାମୀ ଶିବାନନ୍ଦଙ୍କର ଶିଷ୍ୟ  । ସେ ମୋତେ ଏହି ଶିକ୍ଷା ପ୍ରଦାନ କରିଛନ୍ତି  ।  ଗୀତା, ଭାଗବତ ଓ ଅନ୍ୟାନ୍ୟ ଶାସ୍ତ୍ର ପଢି ଶୃଙ୍ଖଳିତ ଜୀବନ ଯାପନ କରିବାକୁ ସେ ଶିକ୍ଷା ଦେଇଛନ୍ତି  । ଗୁରୁ, ଗୁରୁଜନ ଓ ସାଧୁସନ୍ଥଙ୍କୁ ଯଥୋଥିତ ସମ୍ମାନ ପ୍ରଦର୍ଶନ କରି ସେମାନଙ୍କର ଆଶୀର୍ବାଦ ନେବାକୁ ସେ ଉପଦେଶ ଦେଇଛନ୍ତି  । ପିଲାଦିନୁ ମୋତେ ସାଙ୍ଗରେ ପୁରୀ, ବାରାଣାସୀ, ଅଯୋଧ୍ୟା, ପ୍ରୟାଗ, ହରିଦ୍ୱାର ଓ ଋଷିକେଶ ନେଇ ସେ ମୋତେ ସାଧୁସନ୍ଥଙ୍କ ଚରଣାଶ୍ରିତ କରାଇଛନ୍ତି  । ଗୁରୁ, ଶିକ୍ଷକ, ଜ୍ଞାନୀ, ସାଧୁ, ସନ୍ଥ ଓ ମହାତ୍ମାମାନଙ୍କ ନିକଟକୁ ଯାଇ ବିନୟପୂର୍ବକ ପ୍ରଣାମ ପୂର୍ବକ କପଟଶୂନ୍ୟ ସେବା କରି ତଥା ସରଳ ଭାବରେ ପ୍ରଶ୍ନ ଉତ୍ଥାପନ ଓ ଉତ୍ତର ପ୍ରାପ୍ତିର ମାର୍ଗ ସେ ମୋତେ ଦର୍ଶାଇଛନ୍ତି  ।
ସେଥି ନିମିତ୍ତ ସେ ଗୀତା ଚତୁର୍ଥ ଅଧ୍ୟାୟ ଚଉତିରିଶି ଶ୍ଲୋକଟି ସବୁବେଳେ ଉଦାହରଣ ଦିଅନ୍ତି  । 
ତଦ୍ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା,
ଉପଦେକ୍ଷ୍ୟନ୍ତି ତେ କାମଂ ଜ୍ଞାନିନିସ୍ତତ୍ତ୍ୱଦର୍ଶିନଃ  ।
ଯାହା ମୁଁ ଆଜି ଆପଣଙ୍କ ନିକଟରେ କହିଲି ତାହା ମୋର ଜ୍ଞାନ ନୁହେଁ, ପିତୃଦେବଙ୍କ ପ୍ରଦତ୍ତ ଶିକ୍ଷା  । ଏଥିରେ କିଛି ତ୍ରୁଟି ଥିଲେ ଆପଣମାନେ କ୍ଷମା ଦେବେ  । ନିର୍ଦ୍ଦିଷ୍ଟ ସମୟ  ପୂର୍ବରୁ ଜ୍ଞାନ ଅଭାବରୁ ତଥା ଭୟହେତୁ ମୋ ଭାଷଣ ବନ୍ଦ କରୁଥିବାରୁ କ୍ଷମାପ୍ରାର୍ଥୀ  । ସମସ୍ତଙ୍କୁ ପ୍ରଣାମ  ।  ମୁଁ ତିରିଶି ମିନିଟ୍ ପରିବର୍ତ୍ତେ କୋଡିଏ ମିନରେ ମୋ ଭାଷଣ ଶେଷ କରିଦେଲି  । ତାପରେ ଆମ ଗାଁର ଶିକ୍ଷାବିତ୍ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଭୁବନେଶ୍ୱର ମିଶ୍ର ଭାଷଣ ଦେଲେ  । ସେ ମୋତେ ଚିହ୍ନିଥିଲେ ହେଁ ମୋର ଆଧ୍ୟାତ୍ମିକ ଶିକ୍ଷା ସଂପର୍କରେ ଜାଣିନଥିଲେ  । କାରଣ ସେ ସୁନ୍ଦରଗଡରେ ଜିଲା ଶିକ୍ଷା ନିରୀକ୍ଷକ ଥିଲେ  । ସେ ବାପାଙ୍କ ସ୍ୱାଧୀନତା ସଂଗ୍ରାମ ବିଷୟରେ କହିଲେ  । ସେହି ସମୟରେ ସେ ଛାତ୍ର ଥିଲେ ଏବଂ ବାପାଙ୍କ ସଂଗ୍ରାମର ପ୍ରତ୍ୟକ୍ଷଦର୍ଶୀ ବୋଲି କହିଲେ  । ତାଙ୍କ ପରେ ଶିକ୍ଷାମଣ୍ଡଳାଧୀଶ ମୁଖ୍ୟଅତିଥି ଶ୍ରୀଯୁକ୍ତ ରାଜକିଶୋର ରାୟ ଦୀର୍ଘ ଏକ ଘଣ୍ଟା କହିଲେ  । ତାଙ୍କ ଭାଷଣ ଶୁଣିବାକୁ ଶ୍ରୋତାମାନେ ଅପେକ୍ଷା କରିଥାନ୍ତି  । ପ୍ରଥମେ ସେ ମୋର ପ୍ରଶଂସା କରି କହିଲେ ଯେ ଜଣେ ଦଶମ ଶ୍ରେଣୀ ଛାତ୍ର ଏପରି ଭାଷଣ ଦେଇ ପରେ ତାହା ମୋତେ ଆଶ୍ଚର୍ଯ୍ୟ କରିଛି  । ଯଦି ଏହିପରି ଏକ ହଜାର ଛାତ୍ର ଓଡ଼ିଶାରେ ବାହାରନ୍ତି ତେବେ ଓଡ଼ିଶା ଭାରତର ଏକ ଅଗ୍ରଣୀ ପ୍ରଦେଶର ମାନ୍ୟତା ଲାଭ କରିବ  । ମୋତେ ଆଶୀର୍ବାଦ କଲା ପରେ ସେ ମୋ ବାପାଙ୍କର ଭୂୟସୀ ପ୍ରଶଂସା କଲେ  । ବାପା ଅନୁପସ୍ଥିତ ଥିବାରୁ ସେ ସାକ୍ଷାତ କରି ପାରୁନାହାନ୍ତି ବୋଲି ଦୁଃଖ ପ୍ରକାଶ କଲେ  । ତାପରେ ଆମ ଗାଁ ମାର୍ଥାପୁର ଶାସନ ଏକ ପ୍ରାଚୀନ ବ୍ରାହ୍ମଣ ଶାସନ ଏବଂ ଏଠାରେ ବହୁ ବିଦ୍ୱାନ ଜନ୍ମ ନେଇଛନ୍ତି ବୋଲି କହିଲେ  । ବର୍ତ୍ତମାନ ଢେଙ୍କାନାଳ ଜିଲାରେ ମାର୍ଥାପୁର ଶାସନରେ ଶିକ୍ଷକଙ୍କ ସଂଖ୍ୟା ଅଧିକ ବୋଲି କହିଲେ  । ୧୯୫୦ ମସିହାରେ ମାର୍ଥାପୁର ସଦୃଶ ଅପନ୍ତରା ଗ୍ରାମରେ ଉଚ୍ଚ ଇଂରାଜୀ ବିଦ୍ୟାଳୟଟିଏ ସ୍ଥାପନ ଦୁରୂହ ବ୍ୟାପାର ଥିଲା, କିନ୍ତୁ ବ୍ରାହ୍ମଣମାନେ ଦେଶକୋଠ ଜମି ବିକ୍ରୟ କରି ଏହି ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ବୋଲି ଶାସନବାସୀଙ୍କର ପ୍ରଶଂସା କଲେ  । ଅର୍ଥ ଅଭାବ ହେବାରୁ ଗ୍ରାମ ଗ୍ରାମ ବୁଲି ଭିକ୍ଷା କରିଥିବା ସ୍ୱର୍ଗୀୟ ଗଣେଶ୍ୱର ମିଶ୍ର, ଶିକ୍ଷକ  ଦିଗମ୍ବର ନାୟକ ଓ ଶିକ୍ଷକ ହୃଷୀକେଶ ରାଉତଙ୍କର ପ୍ରଶଂସା କଲେ  । ଶ୍ରୀଯୁକ୍ତ ଅଲେଖ ଚରଣ ମହାନ୍ତି ଅସ୍ତରଙ୍ଗ ନିକଟ ପାଟଳଦା ଗ୍ରାମରୁ ଆସି ଏହି ବିଦ୍ୟାଳୟରେ ଦୀର୍ଘକାଳ ପ୍ରଧାନଶିକ୍ଷକ ରହିବା ସହିତ ବିଦ୍ୟାଳୟକୁ  ଏକ ଆଦର୍ଶ ବିଦ୍ୟାଳୟ ଭାବରେ ଗଢିଛନ୍ତି ବୋଲି କହିଲେ  । ଏହି ବିଦ୍ୟାଳୟର ଶ୍ରେଣୀ ଗୃହ ଓ ଛାତ୍ରାବାସ ଚାଳଘର ତଥା ଏଠାରେ ବିଦୁ୍ୟତ୍ ବା ପାଇଖାନା ପ୍ରଭୃତି ନଥିବା ସଂଖ୍ୟା ଛାତ୍ର ସଂଖ୍ୟା ଅନ୍ୟ ବିଦ୍ୟାଳୟ ତୁଳନାରେ ଅଧିକ ବୋଲି କହିଲେ  । ଶେଷରେ ଛାତ୍ରଛାତ୍ରୀମାନଙ୍କ ଉଦେ୍ଦଶ୍ୟରେ କହିଲେ ଯେ ଭଗବାନ ଶ୍ରୀରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ଗୁରୁ ବଶିଷ୍ଠଙ୍କ ନିକଟରେ ରହି ସକଳ ପ୍ରକାର ବିଦ୍ୟା ସହିତ ଆଧ୍ୟାତ୍ମିକ ଶିକ୍ଷା, ଶୃଙ୍ଖଳା ଓ ଚରିତ୍ରବତ୍ତା ଶିକ୍ଷା କରିଥିଲେ ତଥା ଭଗବାନ ଶ୍ରୀକୃଷ୍ଣ, ଭାଇ ବଳରାମ ଓ ସଖା ସୁଦାମାଙ୍କ ସହିତ ଗୁରୁ ସନ୍ଦିପନୀଙ୍କ ଆଶ୍ରମରେ ବିଦ୍ୟା ଶିକ୍ଷା କରିଥିଲେ  । ସେମାନେ ଭଗବାନ  ହେଲେ ମଧ୍ୟ ଛାତ୍ର ଜୀବନରେ କିପରି ଏକାଗ୍ରତାର ସହିତ ଗୁରୁଙ୍କ ଠାରୁ ଶିକ୍ଷାଲାଭ କରିଲେ ତହିଁରେ ଅନେକ ଉଦାହରଣ ଦେଲେ  । ଆଧ୍ୟାତ୍ମିକ ଶିକ୍ଷା ଦ୍ୱାରା ସମଗ୍ର ବସୁଧା ଗୋଟିଏ କୁଟୁମ୍ବରେ ପରିଣତ ହୋଇ ମର୍ତ୍ତ୍ୟରେ ସ୍ୱର୍ଗମୁଖ ମିଳିପାରିବ ତଥା ବିଶ୍ୱର ଏକାତ୍ମବୋଧ  ଅସୀମ ହୋଇ ବିଶ୍ୱଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କଲେ  । ସେ ଜଣେ ସାହିତି୍ୟକ ଓ ସୁବକ୍ତା ହୋଇଥିବାରୁ ତାଙ୍କ ଭାଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କଲା  । ତାପରେ ପ୍ରଧାନଶିକ୍ଷକ ପନ୍ଦର ମିନିଟ୍ ସାରଗର୍ଭକ ଭାଷଣ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ସଂପର୍କରେ କହିଲେ  । ଶେଷରେ ବରିଷ୍ଠ ଶିକ୍ଷକ ଭୀମସେନ ବେହେରା ଧନ୍ୟବାଦ ଦେବା ପରେ ସଭାସାଙ୍ଗ ହେଲା  ।
ଆନନ୍ଦନଗର, କାଠଗଡ଼ା
ଢେଙ୍କାନାଳ, ମୋ-୮୮୯୫୨୩୦୭୨୨