ପ୍ରଶାସନ ନାକ ତଳେ କ୍ରୋମାଇଟ ଚୋରି

 କାଳିଆପାଣି : କାଳିଆପାଣି ଖଣି ଅଞ୍ଚଳରୁ କ୍ରୋମାଇଟ ଚୋରି ଏବେ ନିତିଦିନିଆ ଘଟଣା ହୋଇଗଲାଣି । ବନ୍ଦ ପଡ଼ିଥିବା କଲରଙ୍ଗୀ କ୍ରୋମାଇଟ ଖାଦାନରୁ ବିଗତ କୋଡିଏ ବର୍ଷ ଭିତରେ ଗଛିତଥିବା କ୍ରୋମାଇଟ ଡିପୋ ଗୁଡିକ ପ୍ରାୟ ସମାପ୍ତ ହୋଇ ସାରିବା ପରେ ଏବେ ଗତ ୫ ବର୍ଷ ଠାରୁ ପୂର୍ବରୁ ଟାଟା କମ୍ପାନୀ ଅଧିନ ଏବଂ ବର୍ତମାନ ଓଡିଶା ଖଣି ନିଗମ ଅଧିନରେ ଥିବା ଏକ ନମ୍ବର ଖାଦାନ ଏବଂ ଗତ ୩ବର୍ଷ ଧରି ବନ୍ଦ ହୋଇ ରହିଥିବା ଫେକର ବେଦାନ୍ତ କମ୍ପାନୀର ୯ନଂ ଖାଦାନ ଉପରେ ମାଫିଆଙ୍କ ନଜର ପଡିଛି । କହିବାକୁ କେବଳ ସବୁ ଖାଦାନରେ କମ୍ପାନୀର ଠିକା ସୁରକ୍ଷାକର୍ମୀ ଦିନରାତି ଜଗିବାର ବାହାନା କରୁଛନ୍ତି ସିନା ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ସେମାନଙ୍କ ଉପସ୍ଥିତିରେ ପ୍ରତିଦିନ କ୍ରୋମାଇଟ ଲୁଟ୍ ଚାଲିଛି । ସୁରକ୍ଷାକର୍ମୀ କେବଳ ଜଗିବାର ଦାୟିତ୍ୱ ନେଇଛନ୍ତି । ମାତ୍ର, ଖେଳ ଚାଲିଛି ଉପରସ୍ଥରରୁ କିଛିକିଛି ଦିନ ବ୍ୟବଧାନରେ ଗଣମାଧ୍ୟମରେ ପଢିବାକୁ ମିଳେ କ୍ରୋମାଇଟ ଲୁଟ୍ ହୋଇଛି । 
ତାପରେ ସମ୍ପୃକ୍ତ ଖଣିର ଅଧିକାରୀ, ସୁରକ୍ଷା କର୍ମୀ ଏବଂ ଜିଲ୍ଲା ଖଣି ଅଧିକାରୀଙ୍କ ମିଳିତ ତଦାରଖ ହୁଏ । ପରେ ଏତେ ପରିମାଣର କ୍ରୋମାଇଟ ଚୋରି ହୋଇଛି ତ, କେବେ ଗାଡିଟିଏ ଏବଂ କେବେ ବସ୍ଥାରେ ବୋଝେଇ ହୋଇ ରହିଯାଇଥିବା କ୍ରୋମାଇଟ ଜବତ କରାଯାଇଛି ବୋଲି ବିଭାଗ ପକ୍ଷରୁ ସଫେଇ ଦିଆଯାଇଥାଏ । ଠିକ ତା 'ପରେ ପୁଣି ଆରମ୍ଭ ହୋଇଯାଏ କ୍ରୋମାଇଟ ଚୋରି । ଏହା କେବଳ ଯେ ଜଣେ ସାଧାରଣ ଚୋର ଚୋରି କରୁଛି ତାହା ଆଦୌ ଗ୍ରହଣୀୟ ନୁହେଁ । ନିଶ୍ଚିତ ରୂପେ କ୍ରୋମାଇଟ ମାଫିଆ, ଖଣି ବିଭାଗ, ଟ୍ରକ ମାଲିକଙ୍କ ମିଳିତ ଯୋଜନା ବୋଲି କୁହାଯାଉଛି । ନଚେତ ଯଦି ଖଣି ମାଲିକ ଏବଂ ଟ୍ରାନ୍ସପୋର୍ଟର ମାନେ ସମସ୍ତ ଟ୍ରକ ଗୁଡିକରେ ଜିପିଏସ ସଂଯୋଗ କରି ଏହାର ଅବସ୍ଥିତି ବିଷୟରେ ସମ୍ପୂର୍ଣ ତଥ୍ୟ ନଜରରେ ରଖୁଥିଲେ ବି ଏହା ସମ୍ଭବ ହେଉଛି କିପରି? ସାଧାରଣରେ ଚର୍ଚ୍ଚା ଯେ ଏହା ନିଶ୍ଚିତ ଭାବେ ସମସ୍ତଙ୍କ ମିଳିତ ଭାଗିଦାରୀ ଏବଂ ଯୋଜନା ଅନୁଯାଇ କରାଯାଏ ।ବିଡମ୍ବନାର ବିଷୟ ସୁକିନ୍ଦା ଖଣି ଅଞ୍ଚଳରୁ ଗୋଟିଏ ପରେ ଗୋଟିଏ ଖାଦାନ ବନ୍ଦ କରିବାର ସୁବନେ୍ଦାବସ୍ତ ଉପର ସ୍ଥରରୁ ହେଇଚାଲିଛି । ନୂଆ କିମ୍ବା ବନ୍ଦ ହୋଇ ରହିଥିବା ଖଣି ଗୁଡିକୁ କେହି ପୁନର୍ବାର ଖୋଲିବା ସମ୍ପର୍କରେ ଆଲୋଚନା ନକରି ସେହି ଖଣିରୁ ରୀତିମତ କ୍ରୋମାଇଟ ଚୋରି ହେବା ନିଶ୍ଚିତ ଭାବେ ଏକ କ୍ରୋମାଇଟ ଚୋରିର ଦୀର୍ଘ ମିଆଦି ଯୋଜନା ଏଥିରେ ସନେ୍ଦହ ନାହିଁ । ମାଫିଆଙ୍କ ସାହସ ଏବେ ଏତେ ପରିମାଣରେ ବଢିଯାଇଛି ଯେ ବର୍ତମାନ ବସ୍ଥାରେ ବୋଝେଇ ନକରି ସିଧା ସଳଖ ବଡ଼ବଡ଼ ମେସିନ ସାହାଯ୍ୟରେ କ୍ରୋମାଇଟ ଖୋଳି ଟ୍ରକରେ ବୋଝେଇ ହୋଇ ପୂର୍ବ ନିର୍ଧାରିତ ସ୍ଥାନକୁ ନିଆଯାଉଛି ।  ଗତ ୨ଦିନ ପୂର୍ବେ ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଥିଲା ଭୀମଟାଙ୍ଗର ଗାଁ ମୁଣ୍ଡରେ ଥିବା ଫେକର ବେଦାନ୍ତ ୯ନଂ ଖାଦାନରେ । ସ୍ଥାନୀୟ ଲୋକଙ୍କ ଆଖି ଆଗରେ ଏଠାରୁ ମେସିନ ଦ୍ୱାରା କ୍ରୋମାଇଟ ଖୋଳାଯାଇ ବଡ଼ବଡ଼ ଭାରୀଯାନ ମାଧ୍ୟମରେ ବୋଝେଇ ହୋଇ ରାତି ଅଧରେ ଚୋରା ବେପାର କରାଯାଉଛି । ତେବେ ସମ୍ପୃକ୍ତ କମ୍ପାନୀ ଗୁଡିକର ବଡ଼ ବଡ଼ ଅଧିକାରୀ ଏବଂ ମାଫିଆଙ୍କ ବିରୁଦ୍ଧରେ କେବେ ନିର୍ଣ୍ଣାୟକ ପଦକ୍ଷେପ ନିଆଯିବ ଏବଂ ଚୋରା କାରବାରକୁ ରୋକାଯିବ ତାହା ଭବିଷ୍ୟତ କହିବ ।