ବଢୁନି ରାସ୍ତାର ଆକାର, ୪ ଲେନ୍ କରିବାକୁ ଦାବି : ଟ୍ରାଫିକ ସମସ୍ୟାରେ ସହରବାସୀ ଅତିଷ୍ଠ

କେନ୍ଦୁଝର : କେନ୍ଦୁଝର ସହରରେ ଜନସଂଖ୍ୟା ଏବଂ ଗାଡ଼ି ମୋଟର ସଂଖ୍ୟା ହୁହୁ ହୋଇ ବଢି ଚାଲିଛି । ତା ତୁଳନାରେ ସହରର ରାସ୍ତାକୁ ଓସାରିଆ କରାଯାଇନାହିଁ । ଗାଡ଼ି ମଟର ବୃଦ୍ଧି ପାଇଥିଲେ ମଧ୍ୟ ପାର୍କିଂ ବ୍ୟବସ୍ଥା ଆଦୌ ନାହିଁ । କେବଳ ଏବେ କେତେକ ରାସ୍ତା କଡ଼ରେ ପେଭର ବ୍ଲକ ପକାଇ ପାର୍କିଂ ସ୍ଥାନ ବୃଦ୍ଧି  କରାଯାଇଛି । ମାତ୍ର ସହରର ଜନସଂଖ୍ୟା ଏବଂ ଯାନବାହନ ଅନୁସାରେ ତାହା ଆଦୌ ଯଥେଷ୍ଟ ନୁହେଁ । ତେଣୁ ସହରରେ ରାସ୍ତା ଘାଟର ଯେଉଁଠି ଦେଖିଲେ ଯିଏ ଯେଉଁଠି ପାରିଲା ଗାଡିମଟର ଥୋଇ ଚାଲିଯାଉଛି । ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ଗାଡ଼ିମଟର ରହୁଥିଲେ ମଧ୍ୟ ପୁଲିସ ପ୍ରଶାସନ କିମ୍ବା ପୌର ପ୍ରଶାସନ କାର୍ଯ୍ୟନୁଷ୍ଠାନ ନେଉନାହାନ୍ତି । ଏଭଳି ପରିସ୍ଥିତିରେ ସହର ସାରା ରାସ୍ତାକଡ ଫୁଟପାଥରେ ବ୍ୟବସାୟୀ ମାନେ ସେମାନଙ୍କର ବ୍ୟବସାୟୀ ପସରା ମେଲି ଦେଉଛନ୍ତି । ଏହା ସହରର ଟ୍ରାଫିକ ସମସ୍ୟାକୁ ଆହୁରି ଜଟିଳ କରି ପକାଉଛି । ବିଶେଷ କରି ସହରର ପରିବା ବ୍ୟବସାୟୀ,ଫଳ ଦୋକାନୀ,ଜଳଖିଆ ଦୋକାନୀ ରାସ୍ତାକଡ ଅବରୋଧ କରି ବସୁଥିବାରୁ ଲୋକେ ଗାଡି ମଟର ରଖିବାକୁ ସ୍ଥାନ ପାଉନାହାନ୍ତି । ମାଧପୁର ଠାରୁ ମଣ୍ଡୁଆ,କଚେରୀ ଛକରୁ ଧରଣୀଧର ବିଶ୍ୱ ବିଦ୍ୟାଳୟ, ଗାନ୍ଧୀ ଛକରୁ ଜୁଡିଆ, ଗାନ୍ଧୀ ଛକରୁ ଧୋବାଡିଆ, କଚେରି ଛକରୁ ତହସିଲ ଛକ ପ୍ରଭୁତି ମୁଖ୍ୟ ରାସ୍ତାକଡ ବ୍ୟବସାୟୀଙ୍କ ସମ୍ପୁର୍ଣ୍ଣ କବ୍ଜାରେ ରହିଛି । ଏପରିକି ଚର୍ଚ୍ଚ ଛକରୁ ମେଡିକାଲ ରାସ୍ତାରେ ଆମ୍ବୁଲାନ୍ସ ମଧ୍ୟ ଟ୍ରାଫିକ ସମସ୍ୟାରେ ପଡୁଛି । ବିଶେଷ କରି ଦୁଇଚକିଆ ଯାନ ସଂଖ୍ୟା ସହରରେ ଅନୁମାନ ଠାରୁ ଅଧିକା ବୃଦ୍ଧି ପାଇ ଚାଲିଛି । କେନ୍ଦୁଝର ସହରରେ ଟ୍ରାଫିକ ସମସ୍ୟା ଜଟିଳ ହେବାରେ ଲାଗିଛି ।ବିନା ପାର୍କିଂ ବ୍ୟବସ୍ଥାରେ ବ୍ୟବସାୟିକ ପ୍ରତିଷ୍ଠାନ ସଂଖ୍ୟା ବଢୁଛି । ସହରର ଯେଉଁ ଆଡକୁ ଗଲେ ଲୋକେ ରାସ୍ତା ଉପରେ ଗାଡି ମୋଟର ରଖି ନିଜ ନିଜ କାମରେ ରହୁଥିବାବେଳେ, ରାସ୍ତାରେ ଗାଡିମୋଟର ଚଳାଚଳ କରିବା କଷ୍ଟକର ହେଉଛି । ବଜାର ଓ ମେଡିକାଲର ପ୍ରବେଶ ପଥରେ ବ୍ୟବସାୟୀ ମାନେ ସେମାନଙ୍କର ବ୍ୟବସାୟ ପସରା ମେଲାଇ ବସୁଥିବାରୁ ସେଠାରେ ଟ୍ରାଫିକ ସମସ୍ୟା ଅଧିକା ରହିଛି । ବଜାରକୁ ଆସୁଥିବା ଗ୍ରାହକମାନେ ନିଜ ନିଜର ବାହନ ଗୁଡିକ ପ୍ରବେଶ ପଥ ସମ୍ମୁଖରେ ବିନା ଦି୍ୱଧାରେ ଥୋଇ ଦେଇଯାଉଛନ୍ତି । ତେଣୁ ଏହି ରାସ୍ତାରେ ଗାଡି ଚଳପ୍ରଚଳ କରିବାରେ ଅନେକ ସମୟ ନଷ୍ଟ ହେଉଛି । ପୁଲିସ ଏବଂ ପୌରପାଳିକା କତ୍ତୃପକ୍ଷ ସବୁ ଦେଖୁଥିଲେ ମଧ୍ୟ କହିବାକୁ କେହି ନାହିଁ । ସହରରେ ସିସିଟିଭି ଲାଗିଛି । କିନ୍ତୁ କେବଳ ହେଲମେଣ୍ଟ ଚେକ ପାଇଁ ଏହା ଉଦ୍ଦିଷ୍ଟ ବୋଲି ସହରବାସୀ କହୁଛନ୍ତି । ସହର ମଧ୍ୟରେ ପାର୍କିଂ ଫି ଆଦାୟ କରି ଗାଡି ଗୁଡିକୁ ବ୍ୟବସ୍ଥିତ ଢଙ୍ଗରେ ରାସ୍ତା କଡରେ ପାର୍କିଂ ବ୍ୟବସ୍ଥା କିମ୍ବା ବେଆଇନ ଭାବେ ରାସ୍ତା ଉପରେ ରଖୁଥିବା ଗାଡିମୋଟର ଉପରେ ଜୋରିମାନା ଆଦାୟ ହୋଇ ପାରିଲେ ସହରର ଟ୍ରାଫିକ ବ୍ୟବସ୍ଥା ସୁବ୍ୟବସ୍ଥିତ ହୋଇ ପାରନ୍ତା । ଅନ୍ୟପଟରେ ବହୁ ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନର ସମ୍ମୁଖ ପାର୍କିଂ ସ୍ଥାନକୁ ପୂର୍ତ୍ତବିଭାଗର ଡ୍ରେନ ନିର୍ମାଣ ସମୟରେ ଛଡା ଯାଇଥିବାବେଳେ, ଘର ମାଲିକଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଇଛି ବୋଲି ଅଭିଯୋଗ ହେଉଛି । ଏହି ରାସ୍ତା ପୂର୍ବରୁ ଜାତୀୟ ରାଜପଥ ପ୍ରାଧିକରଣ ଅଧିନରେ ଥିଲା । ବାଇପାସ୍ ରାସ୍ତା ନିର୍ମାଣ ପରେ ୨୦୨୨ ମସିହାରେ କେନ୍ଦୁଝର ସହର ଦେଇ ଯାଇଥିବା ଏହି ରାସ୍ତାକୁ ପର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଏବେ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଓସାର ୪୦ ରୁ ୪୫ ମିଟର ରହିଛି । ରାସ୍ତା ହସ୍ତାନ୍ତର ପରେ ରାସ୍ତାର ସଂପ୍ରସାରଣ ଏବଂ ଡ୍ରେନ ନିର୍ମାଣ କରିବାକୁ ଦାବି ହୋଇଛି । ଏହି ରାସ୍ତା ନିର୍ମାଣ ହେଲେ ସହରର ଟ୍ରାଫିକ ସମସ୍ୟା ଅନେକାଂଶରେ ଦୂର ହୋଇପାରନ୍ତା ।