ବଦଳୁନି ସାତଭାୟାବାସୀଙ୍କ ଭାଗ୍ୟ , ଅସରାଏ ବର୍ଷାରେ ଥଇଥାନସ୍ଥଳୀ ବେହାଲ


 ରାଜନଗର: ରାଜନଗର ବ୍ଲକର ସାତଭାୟା ଥଇଥାନସ୍ଥଳୀ ବଗପାଟିଆର ଅବସ୍ଥା ବଦଳିବାର ନାଁ ଧରୁନି । ବଙ୍ଗୋପସାଗର ଗ୍ରାସରୁ ରକ୍ଷା କରିବା ପାଇଁ ସରକାର ସାତଭାୟାବାସୀଙ୍କୁ ବଗପାଟିଆଠାରେ ଥଇଥାନ କରିଦେଲେ । ସେମାନଙ୍କୁ ୧୦ଡିସିମିଲ ଜାଗା ଯୋଗାଇ ଦେବା ସହ ବିଜୁ ପକ୍କାଘର ଦେଇଥିଲେ । ରାସ୍ତା, ବିଜୁଳି, ପାନୀୟ ଜଳ ଯୋଗାଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।
 ଏଥିପାଇଁ ସରକାର ବିଭିନ୍ନସ୍ତରରୁ ପାଣ୍ଠି ଯୋଗାଇ ଦେଲେ । ସମୁଦ୍ରର କରାଳ ଗ୍ରାସରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଦୁଇଟି ପର୍ଯ୍ୟାୟରେ ୫୭୧ଓ ୧୪୮କୁ ମିଶାଇ ୭୧୯ପରିବାରଙ୍କୁ ଥଇଥାନ କରାଇଲେ । ପୂର୍ବରୁ ଏହି ଥଇଥାନସ୍ଥଳୀଟି ଚିଙ୍ଗୁଡିଘେରୀ ଥିଲା । ଅସରାଏ ବର୍ଷା ହେଲେ ଏହି ସା୍ଥନଗୁଡିକରେ ବର୍ଷାଜଳ ଜମି ରହୁଥିଲା । ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ମାଟି ଫିଲିଂ ଆରମ୍ଭ କରାଯାଇ କିଛିଦିନ ପରେ ବନ୍ଦ କରିଦିଆଗଲା । ମାଟି ଫିଲିଂକାମ ଅଧାପନ୍ତରିଆ ଭାବେ ରହିଗଲା । ମାଟି ପୂରଣ ସମୟରେ ତିଆରି ହୋଇଥିବା ରାସ୍ତାଗୁଡିକରେ ମାଟି ବୋଝେଇ ଟ୍ରାକ୍ଟର ଯିବା ଆସିବା ଫଳରେ ରାସ୍ତାଗୁଡିକ ଦବି ଯିବା ସହ ବିପର୍ଯ୍ୟସ୍ଥ ହୋଇପଡିଲା । ପରବର୍ତ୍ତୀ ସମୟରେ ସେଗୁଡିକୁ ସଜଡାଗଲା ନାହିଁ । ଯାହାଫଳରେ ରାସ୍ତାଗୁଡିକରେ ବର୍ଷାଜଳ ଜମି ରହିବା ସହ ଘରୁ ବାହାରିବା କଷ୍ଟକର ହେଉଛି । ଏହି ଥଇଥାନସ୍ଥଳୀର ୩, ୪,୬, ୭ ଓ ୮ ନମ୍ବର ରାସ୍ତା ପାଣିରେ ବୁଡି ରହିଥିବା ବେଳେ ୯,୧୦,୧୧ ଓ ୧୨ନମ୍ବର ରାସ୍ତାରେ ଅତ୍ୟଧିକ କାଦୁଅ ଯୋଗୁଁ ସ୍ଥାନୀୟ ଲୋକେ ଯିବା ଆସିବା କରିପାରୁ ନାହାଁନ୍ତି । 
ବ୍ଲକ ପ୍ରଶାସନ ପକ୍ଷରୁ ଜଳନିଷ୍କାସନ ପାଇଁ କେତେକ ରାସ୍ତାରେ ପାଇପ ବସାଯାଇଥିଲେ ମଧ୍ୟ ଅଧିକାଂଶ ରାସ୍ତାରେ ପାଇପ ବସାଯାଇନାହିଁ । ଫଳରେ ଜଳ ନିଷ୍କାସନ ହୋଇନପାରି ବର୍ଷାଜଳ ଜମି ରହୁଛି । ଘରୁ ବାହାରିବା କଷ୍ଟକର ହେଉଛି । ସବୁଠାରୁ ବଡକଥା ହେଲା, ଡ୍ରେନେଜ ଡିଭିଜନ ପକ୍ଷରୁ ଥଇଥାନସ୍ଥଳୀରୁ ଉଦ୍ବୃତ ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ସରିଛି । ମାତ୍ର ଥଇଥାନସ୍ଥଳୀ ମଧ୍ୟରୁ ଏହି ମୁଖ୍ୟ ଡ୍ରେନକୁ ବର୍ଷାଜଳ ଆସିବା ପାଇଁ କୈ÷ାଣସି ଡ୍ରେନ ନିର୍ମାଣ କରାଗଲା ନାହିଁ । ଯାହାଫଳରେ ବର୍ଷାଜଳ ନିଷ୍କାସନ ହୋଇନପାରି ଥଇଥାନସ୍ଥଳୀରେ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ନେଇ ସାତଭାୟାବାସୀ ଅଭିଯୋଗ କରିଛନ୍ତି ।