ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ଓ ଜିଲ୍ଲାପାଳ
ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତରଗତ ପାଟଳିପୁରା ପଞ୍ଚାୟତରେ ଥିବା ବୁଢ଼ାବଳଙ୍ଗ ନଦୀର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ ହେମକାନ୍ତ ସଏ ଓ ଏସ୍ ପି ବରୁଣ ଗୁଣ୍ଠୁପାଲି ଏବଂ ବିଧାୟକ । ସେତୁ ନିକଟରେ ଥିବା ଆଡ଼ିବନ୍ଧରେ ଅତଡା ଖସି ଫାଟ ସୃଷ୍ଟି ହୋଇଥିବା ଯୋଗୁଁ ନିକଟବର୍ତ୍ତୀ ପାଟଳୀପୁରା , ପ୍ରତିମାଦେଇପୁର , ନାଖରା , ଦାରିହା , ସିଙ୍ଗଲାମୁଣ୍ଡଳି , ଶାଳଗାଁ , ଦେବସ୍ଥଳୀ , ଡେଁଫଉଦା , ଖଣ୍ଡଦେଉଳା ଆଦି ତଳିଆ ଅଞ୍ଚଳର ଗ୍ରାମବାସୀ ମାନେ ଆତଙ୍କିତ ହୋଇପଡ଼ିଥିଲେ । ନଦୀର ଆଡ଼ିବନ୍ଧ ସୁରକ୍ଷା ବ୍ୟବସ୍ଥା ପ୍ରକୃତପକ୍ଷେ ଜଳସେଚନ ବିଭାଗର ଦାୟିତ୍ୱ ହୋଇଥିବା ବେଳେ ନାଖରା ସେତୁ ନିକଟରେ କିନ୍ତୁ ଜଳସେଚନ ବିଭାଗର ସାମାନ୍ୟତମ ତତ୍ପରତା ପ୍ରକାଶ ପାଇନଥିଲା । ଏହାକୁ ନେଇ ଜଳସେଚନ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ଉପରେ ବର୍ଷିଥିଲେ ବିଧାୟକ । ଏହି ରାସ୍ତାର ଉନ୍ନତିକରଣ ଦାୟିତ୍ୱରେ ଥିବା ବେତନଟୀ ପୂର୍ତ୍ତବିଭାଗ ଏସଡିଓ ଅରବିନ୍ଦ ମହାନ୍ତି ଜରୁରୀକାଳୀନ ଭିତ୍ତିରେ ବାଲିବସ୍ତା ଓ ବୁଲଡର୍ (ପଥର) ପକାଇ ଆଡ଼ିବନ୍ଧର ଫାଟ ନିୟନ୍ତ୍ରଣ କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି । ଏହି ସେତୁ ୩୫ ବର୍ଷର ପୁରୁଣା ହୋଇିଥିବା ବେଳେ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟାଜଳ ସେତୁ ଉପର ଦେଇ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡୁଥିବା କାରଣରୁ ଏଠାରେ ଏକ ନୂତନ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ବିଧାୟକଙ୍କ ପ୍ରସ୍ତାବକୁ ରାଜ୍ୟ ସରକାର ସ୍ୱିକୃତି ଦେଇସାରିଥିବା ଏବଂ ଖୁବ୍ ଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବ ବୋଲିି ବିଧାୟକ ପ୍ରକାଶ କରିଥିଲେ ।